ଆଶାବାଦରେ ଜୀବନ

କରୋନାକାଳୀନ ଚିନ୍ତନ - ବିବେକ ପଟ୍ଟନାୟକ

ସାରା ବିଶ୍ବରେ ‘କୋଭିଡ୍‌ ୧୯’ ମହାମାରୀ ଦୁଇ ଲକ୍ଷରୁ ଅଧିକ ମଣିଷଙ୍କ ଜୀବନ ନେଇସାରିଲାଣି। ବାଳୁତ-ଯୁବା-ବୟସ୍କ, ଧନୀ-ଗରିବ ଏବ˚ ପ୍ରତିଷ୍ଠିତ-କ୍ଷମତାଶାଳୀ ନିର୍ବିଶେଷରେ ଏହା ଦ୍ବାରା କୋଡ଼ିଏ ଲକ୍ଷରୁ ଅଧିକ ଆକ୍ରାନ୍ତ ହେଲେଣି। ଚାରି ମାସରୁ ଅଧିକ କାଳ ଧରି ତାଲାବନ୍ଦୀ ଅବସ୍ଥାରୁ ମୁକ୍ତି ମିଳିପାରିନାହିଁ। ଜଳ, ସ୍ଥଳ ଓ ଆକାଶ ପଥରେ ହେଉଥିବା ପ୍ରାୟ ସମସ୍ତ ପ୍ରକାରର ପରିବହନ ବାଧାପ୍ରାପ୍ତ ଅବସ୍ଥାରେ। ଫଳରେ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଯୋଗାଣ ଶୃଙ୍ଖଳ ମଧୢ ଆକ୍ରାନ୍ତ ହୋଇଥିବାରୁ ଅର୍ଥନୀତି ବିଧ୍ବସ୍ତ ପ୍ରାୟ। ଲୋକଙ୍କ ଚାକିରି ଯିବାରେ ଲାଗିଛି। ଦରିଦ୍ରଙ୍କ ଦୁର୍ଦଶା ବଢୁଛି ସିନା କମୁନାହିଁ।

ଏ ଭଳି ସର୍ବ-ବ୍ୟାପୀ ନିଷ୍ପ୍ରଭତା ଓ ହତାଶା ମଧୢରେ ସୌଭାଗ୍ୟବଶତଃ ସ˚ଚାର ବ୍ୟବସ୍ଥା ଅତୁଟ ରହି ପାରିଛି। ଟେଲିଫୋନ୍‌ ଓ ଇଣ୍ଟରନେଟ୍‌ କାମ କରୁଛି। ମୋବାଇଲ୍‌ ଫୋନ୍‌ ରି˚ ହେଉଛି, ବାର୍ତ୍ତା ଆସୁଛି, ଖବର ଆସୁଛି। ଲୋକେ ଇ-ମେଲ୍‌ ପଠାଉଛନ୍ତି; ହ୍ବାଟସ୍‌ଆପ୍‌ ମାଧୢମରେ ଭିଡିଓ କ୍ଲିପ୍‌ ପ୍ରସାରଣ କରୁଛନ୍ତି। ସିନେମା ହଲ ବନ୍ଦ ଥିବାରୁ ଆମାଜନ ପ୍ରାଇମରେ ସିନେମା ମୁକ୍ତିିଲାଭ କରୁଛି। ପରସ୍ପର ଠାରୁ ଦୂରରେ ରହିଥିବା ଲୋକେ ନିଜ ଆତ୍ମୀୟ ସ୍ବଜନଙ୍କ ସହିତ ଭିଡିଓ କଲ୍‌ କରି କଥା ହେଉଛନ୍ତି ଓ ପରସ୍ପରକୁ ଦେଖି ପାରୁଛନ୍ତି। ସେମିତି ବିଜୁଳି ଓ ଜଳ ଯୋଗାଣ ବ୍ୟାହତ ହୋଇନାହିଁ। ବ୍ୟାଙ୍କ୍‌ଗୁଡ଼ିକ କାର୍ଯ୍ୟକ୍ଷମ ଅଛନ୍ତି। ଅନେକ ପେସାଦାର ଘରୁ କାମ କରୁଛନ୍ତି। ସ୍କୁଲ୍‌-କଲେଜରେ ଅନ୍‌ଲାଇନ୍‌ ଶିକ୍ଷା ଦିଆଯାଉଛି। ଅନ୍‌ଲାଇନ୍‌ରେ ଖାଦ୍ୟ ମଗାଇଲେ ଘରେ ପହଞ୍ଚି ଯାଉଛି।

ପୃଥିବୀର ଭୌତିକ ଭିତ୍ତଭୂମି ବିଦ୍ୟମାନ ଅଛନ୍ତି। ରାସ୍ତା-ଘାଟ, ରେଳପଥ, ବିମାନ ବନ୍ଦର, ପୋତାଶ୍ରୟଗୁଡ଼ିକର କୌଣସି କ୍ଷତି ହୋଇନାହିଁ। ଏହା ସବୁ ଭାବିଲା ବେଳେ ମନକୁ ଆସୁଛି ଯେ ଯଦି କରୋନା ନ ହୋଇ ବିଶ୍ବଯୁଦ୍ଧ ଭଳି ଏକ ସମସ୍ୟା ଦ୍ବାରା ପୃଥିବୀ ଆକ୍ରାନ୍ତ ହୋଇଥାଆନ୍ତା, ତେବେ ବୋମା, କ୍ଷେପଣାସ୍ତ୍ର, ଗୋଳା, ବାରୁଦ ଆଦିର ବ୍ୟାପକ ବ୍ୟବହାର ଦ୍ବାରା ଅଜସ୍ର ଭିତ୍ତିଭୂମିଗତ କ୍ଷତି ହୋଇଥାଆନ୍ତା। ଏବେ ବି ମଣିଷଙ୍କ ଜୀବନ ଯାଉଛି, ସେହି ସ୍ଥିତିରେ ବି ଜୀବନ ଯାଉଥାଆନ୍ତା।

ଭୂମିକ˚ପ, ଆଗ୍ନେୟଗିରି ଉଦ୍‌ଗୀରଣ, ଘୂର୍ଣ୍ଣିବାତ୍ୟା, ସାମୁଦ୍ରିକ ଝଡ଼ ଭଳି ବିପର୍ଯ୍ୟୟରେ ମଧୢ ଜନଜୀବନ ସହିତ ଭିତ୍ତିଭୂମିର ଅଜସ୍ର କ୍ଷତି ହୋଇଥାଏ। ସେମିତି ଏବେ ହୋଇନାହିଁ। ସୁତରା˚, ଆମ ପାଖରେ ଯାହା କିଛି ସ˚ପଦ ଅଛି, ସେଗୁଡ଼ିକ ଉପରେ ଭରସା ରଖିବାକୁ ହେବ।

ଲୋକେ ନିକଟ ଅତୀତରେ ଘଟିଥିବା ମହାମାରୀଗୁଡ଼ିକ ତୁଳନାରେ ଏହି ମହାମାରୀ ବାବଦରେ ଅଧିକ ଜାଣିଲେଣି। ବ୍ୟକ୍ତିଗତ ସ୍ବଚ୍ଛତା ବାବଦରେ ପୂର୍ବାପେକ୍ଷା ଅଧିକ ସଚେତନ ଅଛନ୍ତି। ଯଦିଓ କେତେକ ସ୍ଥାନରେ କଳହ ଓ ବିଭ୍ରାନ୍ତି ସୃଷ୍ଟିକାରୀ ବିବୃତି ଦିଆଯାଉଛି, କିଛି ରାଜନୈତିକ ବ୍ୟକ୍ତି ଘୃଣା ଓ ବିଦ୍ବେଷର ପ୍ରସାର କରୁଛନ୍ତି ଏବଂ ଏସବୁକୁ ନେଇ କେହି କେହି ବିଚାରବୋଧ ହରାଉଛନ୍ତି, ତଥାପି ଦେଶ ଓ ସମାଜରେ ବିଚାରଶୀଳ ମଣିଷଙ୍କ ସ˚ଖ୍ୟା ମଧୢ କିଛି କମ୍‌ ନାହିଁ। କାରଣ ସେହିଭଳି ଲୋକେ ନିଜ ଜୀବନକୁ ଖାତିର ନ କରି ଅପୂର୍ବ ସାହସ ଓ ସମର୍ପିତ ମନୋଭାବ ରଖି ଭୂତାଣୁ ସହିତ ଯୁଦ୍ଧ କରି ଚାଲିଛନ୍ତି। ସେମାନଙ୍କ ଉତ୍ସର୍ଗୀକୃତ ମନୋଭାବ ହେତୁ ଆମେମାନେ ସେମାନଙ୍କୁ କରୋନା ଯୋଦ୍ଧା ବୋଲି କହୁଛୁ।

ରାଜନୈତିକ, ଅର୍ଥନୈତିକ, ସାମାଜିକ, ସା˚ସ୍କୃତିକ, ଭାଷାଗତ, ବର୍ଣ୍ଣଗତ ଓ ଧାର୍ମିକ ବିଭେଦ ଥିବା ସତ୍ତ୍ବେ ଏବେ ସାରା ବିଶ୍ବ ଏକତ୍ର ହେବାର ସମୟ। ଭେଷଜ ବିଜ୍ଞାନୀ, ଅଣୁଜୀବ ବିଜ୍ଞାନୀ, ମହାମାରୀ ବିଜ୍ଞାନୀ ଓ ଭୂତାଣୁ ବିଜ୍ଞାନୀ ଆଦି ସମସ୍ତେ ପ୍ରତିଷେଧକ ଟିକା ଏବଂ ଔଷଧ ବିକଶିତ କରିବା ପାଇଁ ଲାଗିଛନ୍ତି। ଏମାନେ ଏକ ଚିତ୍ତରେ କାମ କରୁଛନ୍ତି ଏବ˚ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ଏକ ତତ୍ତ୍ବାବଧାରକ ଭାବେ ସେ ସବୁର ଖବର ରଖୁଛି ଏବ˚ ବିଶ୍ବକୁ ଜଣାଉଛି। ଏହି ସମୟରେ ଦେଶ ଦେଶ ଭିତରେ ଏକତା ରହିବା ସବୁଠାରୁ ବଡ଼ ଆବଶ୍ୟକତା। ତା’ ନ ହେଲେ ସାରା ବିଶ୍ବ ଭୋଗିବ।

ଏହା ନିଃସନ୍ଦେହ ଯେ, ତାଲାବନ୍ଦୀ ଯୋଗୁଁ ବଡ଼ ଧରଣର ଅସୁବିଧା ସୃଷ୍ଟି ହୋଇଛି। କିନ୍ତୁ ଏହାଦ୍ବାରା ଏକ ବିକଳ୍ପ ସାମର୍ଥ୍ୟ ସୃଷ୍ଟି ହୋଇଛି। ଏହା କାରଣରୁ ଅସ˚ଖ୍ୟ ଅସ୍ଥାୟୀ କୋଭିଡ୍‌ ହାସପାତାଲ ଖୋଲା ଯାଇପାରିଲା। ଡାକ୍ତର ବା ନର୍ସ ବା ପୁଲିସ କର୍ମଚାରୀମାନେ ଅସମ୍ଭବ ଚାପରେ କାମ କରି ସେମାନଙ୍କ ନିଷ୍ଠା ଓ ଧୈର୍ଯ୍ୟର ପ୍ରମାଣ ଦେବାରେ ଲାଗିିଛନ୍ତି। ଆମ ଦେଶରେ କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗଗୁଡ଼ିକ ମୁଖା, ଜୀବାଣୁନାଶକ ସାନିଟାଇଜର ଓ ଭେନ୍‌ଟିଲେଟର‌୍‌ ଉତ୍ପାଦନ କରିବାରେ ସମର୍ଥ ହୋଇ ଦେଶର ଚାହିଦା ପୂରଣ କରିବାରେ ଊଣାଅଧିକେ ସଫଳ ହୋଇଛନ୍ତି। ପ୍ରତ୍ୟେକ ସ˚କଟ ଭିତରେ ବି ସୁଯୋଗର ସମ୍ଭାବନା ରହିଥାଏ। ତାହା ପାଇବା ଲାଗି ଦୁର୍ଦଶା ସମୟରେ ଲୋଡ଼ା ଏକ ସକାରାତ୍ମକ ଦୃଷ୍ଟିଭଙ୍ଗୀ। ଆଶାବାଦ ସର୍ବଦା ଗୁରୁତ୍ବପୂର୍ଣ୍ଣ। କରୋନା ସହିତ ମୁକାବିଲା ବେଳେ ଆମେ ତାହା ଦେଖୁଛେ ଏବ˚ ତହିଁରୁ ଶିଖୁଛେ।

[email protected]

ସମ୍ବନ୍ଧିତ ଖବର