ସଭ୍ୟତା ଲାଗି ଚାରି ସଙ୍କଟ

ସମାଜ ଚିନ୍ତନ - ଧନେଶ୍ବର ସାହୁ

ସଭ୍ୟତାରେ ଯାହା କିଛି ବିକଶିତ ହୋଇଛି ତାହା ମାନବିକ ପ୍ରୟାସ ଓ ପ୍ରଚେଷ୍ଟାରେ ହୋଇଛି। ଆମର ବିଚାରଶୀଳତା ଓ ସମ୍ବେଦନଶୀଳତାକୁ ଆମେ ଯଦି ସାର୍ବଜନୀନ ଭାବରେ ବିଶ୍ବରେ ପ୍ରତିଷ୍ଠା କରିପାରିବା, ତେବେ ଏକ ସୁନ୍ଦର ପୃଥିବୀର ଯେ ଉନ୍ମେଷ ହୋଇପାରିବ; ଏହା ଆଶା କରିବା ଅମୂଳକ ହେବ ନାହିଁ।

ମାନବ ସଭ୍ୟତା ସର୍ବଦା କିଛି ନା କିଛି ସଙ୍କଟ ମଧୢ ଦେଇ ଗତି କରି ଆସିଛି। ସଭ୍ୟତାର ଆଦିମ ସ୍ଥିତିରୁ ଆଜିର ଅତ୍ୟାଧୁନିକ ସ୍ଥିତି ପର୍ଯ୍ୟନ୍ତ ସର୍ବଦା ମନୁଷ୍ୟ ପାଖରେ ସମସ୍ୟା ଓ ସଙ୍କଟ ରହିଛି। ନାନା ସମସ୍ୟା, ସଙ୍କଟ, ବିପର୍ଯ୍ୟୟ ଓ ବିଭୀଷିକାକୁ ସାମ୍ନା କରି ସଭ୍ୟତାର କ୍ରମବିକାଶ ଘଟିଛି। ମନୁଷ୍ୟ ଯେଉଁ ଦୁର୍ଦ୍ଦିନ ବା ଆହ୍ବାନର ସମ୍ମୁଖୀନ ହୋଇଛି, କିପରି ତାର ମୁକାବିଲା କରି ଭବିଷ୍ୟତକୁ ନିରାପଦ ରଖିବ, ସେଥିପାଇଁ ପ୍ରୟାସ କରିଛି। ସେହି ମାନବିକ ପ୍ରୟାସ ମଧୢରୁ ସମାଧାନର ପନ୍ଥା ବାହାରିଛି। ତେବେ ଗୋଟିଏ ସମସ୍ୟାର ସଫଳ ମୁକାବିଲା ପରେ ପୁଣି ନୂଆ ସମସ୍ୟା ସାମ୍ନାକୁ ଆସିଛି। ତେବେ, କୌଣସି ସ୍ଥିତିରେ ମନୁଷ୍ୟ ହାର ମାନିନାହିଁ। ବେଳେବେଳେ ଏଥି ଲାଗି ମାନବ ଜାତିକୁ ଅନେକ ମୂଲ୍ୟ ଦେବାକୁ ପଡ଼ିଛି, କେତେ ମଣିଷ ମୃତ୍ୟୁ ଲଭିଛନ୍ତି ଏବ˚ ଯନ୍ତ୍ରଣା ଜର୍ଜରିତ ହୋଇଛନ୍ତି। କିନ୍ତୁ ମନୁଷ୍ୟ ଜାତି ପରାଜୟ ବରଣ କରି ନାହିଁ। ପରନ୍ତୁ ଏହି ଆହ୍ବାନ ଓ ଦୁର୍ଦ୍ଦିନକୁ ଜ୍ଞାନର ବିକାଶରେ ଉପଯୋଗ କରିଛି ଓ ଦୁର୍ଦ୍ଦିନକୁ ସାମ୍ନା କରିବା ଭିତରେ ତା’ ଜୀବନର ଉତ୍ତରଣ ଘଟିଛି।

ସକଳ ମାନବୀୟ ସଙ୍କଟକୁ କେତେକ ଚାରିଟି ଶ୍ରେଣୀରେ ବିଭାଜନ କରିଥା’ନ୍ତି। କୁହାଯାଏ ସଭ୍ୟତା ଯେଉଁ ସ୍ଥିତିରେ ଥିଲେ ମଧୢ ସାମଗ୍ରିକ ଭାବରେ ମନୁଷ୍ୟ ଜାତି ପାଖରେ ଏହି ସମସ୍ୟା ହିଁ ପରିଲକ୍ଷିତ ହୋଇଥାଏ। ସେହି ସଙ୍କଟଗୁଡ଼ିକ ହେଲା ସୀମିତ ସମ୍ବଳ, ସୀମିତ ଜ୍ଞାନ, ସୀମିତ ବିଚାରଶୀଳତା ଓ ସୀମିତ ସମ୍ବେଦନଶୀଳତା। ସଭ୍ୟତା ଯେଉଁ ସ୍ଥିତିରେ ରହିଥିଲେ ମଧୢ ସ˚ସାରର କିଛି ମଣିଷ ସର୍ବଦା ସମ୍ବଳହୀନ ହୋଇ ରହିଛନ୍ତି। ଅନୁଶୀଳନରୁ ଜଣାଯାଏ ଯେ ଖ୍ରୀଷ୍ଟାଦ୍ଦ ଆରମ୍ଭ ବେଳକୁ ପୃଥିବୀର ଲୋକସ˚ଖ୍ୟା ଥିଲା କୋଡ଼ିଏ କୋଟି, ୧୮୦୦ ମସିହା ସମୟକୁ ପୃଥିବୀର ଲୋକସ˚ଖ୍ୟା ଥିଲା ମାତ୍ର ୧୧୦୦ କୋଟି ଓ ୧୯୦୦ ମସିହାରେ ପୃଥିବୀରେ ଥିଲେ ୧୬୦ କୋଟି ଲୋକ। ପୃଥିବୀରେ ଏତେ କମ୍‌ ସ˚ଖ୍ୟକ ଲୋକ ଥିବା ବେଳେ ମଧୢ ସବୁ ମଣିଷ ନିଜର ସର୍ବନିମ୍ନ ଆବଶ୍ୟକତା ପୂରଣ କରିପାରୁନଥିଲେ। ପୃଥିବୀର କେଉଁ ନା କେଉଁ ଅଞ୍ଚଳରେ ମଝିରେ ମଝିରେ ଦୁର୍ଭିକ୍ଷ ପଡ଼ୁଥିଲା ଓ ଅନେକ ଲୋକ ଖାଇବାକୁ ନ ପାଇ ମୃତ୍ୟୁବରଣ କରୁଥିଲେ। ଏକବି˚ଶ ଶତାବ୍ଦୀରେ କରୋନା ଯୋଗୁ କେତେ ମଣିଷ କେତେ ଦୁର୍ଦଶା ଭିତରେ ରହିଛନ୍ତି, ତାହାର ଚିତ୍ର ଆମେ ଦେଖିବାକୁ ପାଉଛେ। ଏବେ ବି ବିକାଶଶୀଳ ଦେଶମାନଙ୍କରେ ଅନେକ ମଣିଷ ଅତ୍ୟନ୍ତ ଅସ୍ବାସ୍ଥ୍ୟକର ସ୍ଥିତିରେ ସ୍ଲମ୍‌ ବା ବସ୍ତିମାନଙ୍କରେ ଜୀବନ କାଟୁଛନ୍ତି। ସମ୍ବଳର ଏକ ନ୍ୟାୟସଙ୍ଗତ ବଣ୍ଟନ ହୋଇପାରୁନାହିଁ। ବିଭିନ୍ନ ଜନହିତକର ଯୋଜନା ସତ୍ତ୍ବେ କିଛି ବ୍ୟକ୍ତି ସମ୍ବଳହୀନ ହୋଇ ରହିବା ଅବଧାରିତ ହୋଇଯାଇଛି।

ସେହିପରି ଜ୍ଞାନ, ବିଜ୍ଞାନ ଓ ଆଧୁନିକ ପ୍ରଯୁକ୍ତିର ଉଲ୍ଲେଖନୀୟ ବିକାଶ ହୋଇଥିଲେ ମଧୢ ପ୍ରକୃତିର ବିଶାଳତା ପାଖରେ ଆମର ଜ୍ଞାନ ଯେ ସୀମିତ ଏହା ଏକ ଉପଲବ୍‌ଧି। କରୋନା ମହାମାରୀ ଯେଉଁପରି ଏକ ମହାମାରୀ ଭାବରେ ସମଗ୍ର ମନୁଷ୍ୟ ସମାଜ ପ୍ରତି ଏକ ବିପଦର ପରିବେଶ ସୃଷ୍ଟି କରିଛି, ଯହିିଁରେ ଆମ ଅସହାୟତା ଦୟନୀୟ ଭାବେ ପ୍ରକାଶ ପାଉଛି। ପ୍ଳେଗ୍‌, ବସନ୍ତ ଇତ୍ୟାଦି ମହାମାରୀମାନଙ୍କୁ ନିୟନ୍ତ୍ରଣ କଲା ପରେ ମାନବ ଜାତିର ଆତ୍ମବିଶ୍ବାସ ଆସିଥିଲା ଯେ ମହାମାରୀର ବିପଦ ପ୍ରାୟତଃ ଦୂର ହୋଇଯାଇଛି। ପ୍ରାୟ ଏକ ଶତାବ୍ଦୀ ଭିତରେ ଏପରି ଗୁରୁତର ମହାମାରୀ ପୃଥିବୀରେ ସୃଷ୍ଟି ହୋଇନଥିଲା। ଚିକିତ୍ସା ବିଜ୍ଞାନର ଏତେ ଉନ୍ନତି ସତ୍ତ୍ବେ ଏପରି ଏକ ମହାମାରୀ ଯେ ବିଶ୍ବବ୍ୟାପୀ ଏପରି ଆତଙ୍କ ସୃଷ୍ଟି କରିବ ଓ ସାଧାରଣ ଜୀବନ ପ୍ରବାହକୁ ବିପର୍ଯ୍ୟସ୍ତ କରିଦେବ, ତାହା କେହି ବି କେବେ କଳ୍ପନା କରିପାରି ନ ଥିଲେ। ଆଧୁନିକ ଗବେଷଣାର ପରିଣାମ ହୁଏତ ଭବିଷ୍ୟତରେ ଏହାର ପ୍ରତିଷେଧକ ବା ଚିକିତ୍ସା କ୍ଷେତ୍ରରେ ସଫଳତା ହାସଲ କରିବ; ତେବେ ତାହା ନ ହେବା ପର୍ଯ୍ୟନ୍ତ ଆମ ଭିତରେ ଅସହାୟତା ବୋଧ ରହିଥିବ। ଏହିପରି ଗୋଟିଏ ଗୋଟିଏ ବିଭୀଷିକା ଆମ ଜ୍ଞାନର ସୀମା ବିଷୟରେ ଆମକୁ ସଚେତନ କରାଉଛି। ପ୍ରକୃତିର ବିଶାଳତା ଓ ଜଟିଳତା ପରିପ୍ରେକ୍ଷୀରେ ଆମର ଜ୍ଞାନ ଯେ ସୀମିତ ଏହା ଏକ ବଡ଼ ଉପଲବ୍‌ଧି।

ସୀମିତ ସମ୍ବଳ ଓ ସୀମିତ ଜ୍ଞାନ ଆମ ସାମର୍ଥ୍ୟର ବହିର୍ଭୂତ ବିଷୟ। ଆମେ ଆମ ସମ୍ବଳକୁ ଅସୀମ କରିପାରିବା ନାହିଁ କି ଆମର ଜ୍ଞାନକୁ ମଧୢ ସୀମାତୀତ ଭାବରେ ବୃଦ୍ଧି କରିବା ସମ୍ଭବ ନୁହେଁ। ତେବେ ଯେଉଁ ବିଷୟ ଆମ ସାମର୍ଥ୍ୟର ବସ୍ତୁ, ତାହା ହାସଲ କରିବାରେ ମଧୢ ଆମେ ଅସମର୍ଥ ହୋଇଛେ। ତାହା ହେଉଛି ଆମର ବିଚାରଶୀଳତା ଓ ସମ୍ବେଦନଶୀଳତା। ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀର ଗ୍ରୀକ୍‌ ଦାର୍ଶନିକ ଆରିଷ୍ଟୋଟଲ ମନୁଷ୍ୟର ସ˚ଜ୍ଞା ଦେବାକୁ ଯାଇ କହିଥିଲେ ‘ମନୁଷ୍ୟ ଏକ ବିଚାରଶୀଳ ପ୍ରାଣୀ।’ କିନ୍ତୁ ମନୁଷ୍ୟ ସବୁ ସ୍ତରରେ ସର୍ବଦା ବିଚାରବୁଦ୍ଧି ଦ୍ବାରା ପରିଚାଳିତ ହୋଇନାହିଁ। ନାନା କୁସ˚ସ୍କାର, ଅନ୍ଧବିଶ୍ବାସ, ରୁଢ଼ିବାଦ ଓ ଅହେତୁକ ମାନସିକତା ସମାଜକୁ ଆକ୍ରାନ୍ତ କରି ଆସିଛି। କେବଳ ଅଶିକ୍ଷିତ ବ୍ୟକ୍ତିଙ୍କ ପାଖରେ ଯେ କୁସ˚ସ୍କାର ଓ ରୁଦ୍ଧ ମାନସିକତା ରହିଛି, ତାହା ନୁହଁ। ସମାଜର ବହୁ ଶିକ୍ଷିତ, ପ୍ରତିଷ୍ଠିତ ଓ ପ୍ରଭାବଶାଳୀ ଲୋକମାନେ ମଧୢ କୁସ˚ସ୍କାର, ଅପବିଶ୍ବାସ ଓ ଅବୈଜ୍ଞାନିକ ମାନସିକତାରୁ ମୁକ୍ତ ନୁହନ୍ତି। ସଭ୍ୟତାର ଇତିହାସରେ କିଛି ପ୍ରାଜ୍ଞ ଦାର୍ଶନିକ ଏକ ବିଚାରଶୀଳ ସମାଜ ବା ‘ରେସନାଲ ସୋସାଇଟି’ର ସ୍ବପ୍ନ ଦେଖିଛନ୍ତି, କିନ୍ତୁ ତାହା ସମ୍ଭବ ହୋଇନାହିଁ। ପାଶ୍ଚାତ୍ୟ ଜଗତ୍‌ରେ ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀର ଚିକିତ୍ସା ବିଜ୍ଞାନୀ ହିପୋକ୍ରେଟ୍‌ସଙ୍କୁ ଚିକିତ୍ସା-ବିଜ୍ଞାନର ଜନକ ଭାବରେ ନିଆଯାଏ। ସେ କହିଥିଲେ ‘ରୋଗର କାରଣ ଜାଣିବାକୁ କିମ୍ବା ତାର ନିରାକରଣ ପାଇଁ କୌଣସି ଦେବତାଙ୍କୁ ପ୍ରାର୍ଥନା କରିବା କିମ୍ବା ତାଙ୍କର ଶରଣାଗତ ହେବା ନିର୍ବୋଧତା।’ ପ୍ରାୟ ଅଢ଼େଇ ହଜାର ବର୍ଷ ତଳେ ଚିକିତ୍ସା-ବିଜ୍ଞାନର ଏହି ଜନକଙ୍କ ବକ୍ତବ୍ୟ କେତେ ସାର୍ବଜନୀନ ଭାବରେ ଗୃହୀତ ହୋଇପାରିଛି? କୌଣସି ଜଟିଳ ରୋଗରୁ ଭଲ ହେଲେ ଆମେ ଆମ କଳ୍ପନାର ଦେବତାଙ୍କ ଆଶୀର୍ବାଦରୁ ଭଲ ହେଲେ ବୋଲି ଭାବିଥାଉ ଓ କେହି ଭଲ ନ ହେଲେ ଏହା ତାଙ୍କର ଭାଗ୍ୟ ବୋଲି କହିଥାଉ। ଅହେତୁକ ମାନସିକତା ଏବେ ବି ସମାଜରେ ବ୍ୟାପକ ହୋଇ ରହିବା ଏକ ନିଚ୍ଛକ ବାସ୍ତବତା।

ତେବେ, ସଭ୍ୟତାର ସବୁଠାରୁ ବଡ଼ ସଙ୍କଟ ହେଉଛି ସୀମିତ ସମ୍ବେଦନଶୀଳତା। ଆମ ସ˚ସାରରେ ବହୁ ବିଦ୍ବେଷ, ଭେଦଭାବ ଓ ବୈଷମ୍ୟ ରହିଛି। ଜାତି, ବର୍ଣ୍ଣ, ଧର୍ମ, ଜାତୀୟତା ଇତ୍ୟାଦିକୁ ଆଧାର କରି ମନୁଷ୍ୟ ସମାଜ ଭାଗ ଭାଗ ହୋଇ ରହିଆସିଛି। ସେହିପରି ସଭ୍ୟତା ଆରମ୍ଭ ଦିନ ଠାରୁ ମାନବ ଜାତି ବହୁ ଯୁଦ୍ଧର ବିଭୀଷିକାକୁ ସହ୍ୟ କରିଛି। ଏକ ହି˚ସାମୁକ୍ତ, ଘୃଣାମୁକ୍ତ ଓ ଭେଦଭାବ ରହିତ ବିଶ୍ବ ସମାଜ ବାସ୍ତବରେ ରୂପରେଖ ପାଇ ନାହିଁ। ସଭ୍ୟତାର ଇତିହାସ ହେଉଛି ଶୋଷଣ, ଅସହିଷ୍ଣୁତା, ବିଦ୍ବେଷ ଓ ଭେଦଭାବର କାହାଣୀ। ସାମ୍ପ୍ରଦାୟିକତାବାଦ ଓ ସନ୍ତ୍ରାସବାଦ ଧରିତ୍ରୀକୁ ବହୁବାର ରକ୍ତର˚ଜିତ କରିଛି ଓ କରୁଛି ମଧୢ। ହାରାହାରି ପ୍ରତ୍ୟେକ ଦେଶ ନିଜ ଆୟର ଏକ ଚତୁର୍ଥା˚ଶ ପ୍ରତିରକ୍ଷା ବାବଦରେ ଖର୍ଚ୍ଚ କରୁଛନ୍ତି। ମାରଣାସ୍ତ୍ର ନିର୍ମାଣରେ ଯେତେ ଅର୍ଥ ବ୍ୟୟ କରାଯାଉଛି, ସ୍ବାସ୍ଥ୍ୟରକ୍ଷା ଓ ଗବେଷଣା କ୍ଷେତ୍ରରେ ତାହା ଖର୍ଚ୍ଚ କରାଯାଉନାହିଁ। ସମ୍ବେଦନଶୀଳ ଜୀବନ ଦୃଷ୍ଟି ଓ ବିଶ୍ବ ଭ୍ରାତୃତ୍ବର ମନୋଭାବ ସାର୍ବଜନୀନ ହୋଇ ପାରୁନାହିଁ। ପୃଥିବୀର ବିଭିନ୍ନ ଦେଶର କିଛି ମହାତ୍ତ୍ବାକା˚କ୍ଷୀ ବ୍ୟକ୍ତି ବିଶ୍ବ ଦୃଷ୍ଟି ଓ ଭ୍ରାତୃତ୍ବର ଭାବନା ଦେଇ ଆସିଛନ୍ତି, ତେବେ ସେମାନେ ବିଶେଷ ପ୍ରଭାବୀ ହୋଇପାରି ନାହାନ୍ତିି। ସଭ୍ୟତା ଯେତେ ଆଗକୁ ଗଲେ ମଧୢ ମାନବ ସମାଜରୁ ବିଦ୍ବେଷ, ଭେଦଭାବ ଓ ଅସହିଷ୍ଣୁତାର ବିଲୋପ ହେଉ ନାହିଁ।

ସାମଗ୍ରିକ ଭାବେ ଯେତେବେଳେ ମାନବଜାତି କୌଣସି ଗୁରୁତର ଦୁଃସମୟ ଓ ଦୁର୍ଦ୍ଦିନର ସମ୍ମୁଖୀନ ହେଉଛି, ସେତେବେଳେ କିଛି ବିଶ୍ବପ୍ରାଣ ବ୍ୟକ୍ତି କିଛି ବିକଳ୍ପର ଭାବନା ବ୍ୟକ୍ତ କରୁଛନ୍ତି। ଦ୍ବିତୀୟ ବିଶ୍ବଯୁଦ୍ଧର ଧ୍ବ˚ସଲୀଳା ଓ ଆଣବିକ ଅସ୍ତ୍ର ନିର୍ମାଣ ପରିପ୍ରେକ୍ଷୀରେ ବି˚ଶ ଶତାବ୍ଦୀର ବିଶିଷ୍ଟ ଦାର୍ଶନିକ ବର୍ଟ୍ରାଣ୍ତ ରସେଲ ପୃଥିବୀକୁ ଯୁଦ୍ଧ ମୁକ୍ତ କରିବା ପାଇଁ ଏକ ବିଶ୍ବ ସରକାରର ପରିକଳ୍ପନା କରିଥିଲେ। ପୃଥିବୀର ଅନେକ ଶାନ୍ତିକାମୀ ରାଷ୍ଟ୍ରନୀତିଜ୍ଞ, ଦାର୍ଶନିକ ଓ ବୈଜ୍ଞାନିକଙ୍କୁ ନେଇ ଏଥିପାଇଁ ସମଗ୍ର ବିଶ୍ବରେ ଏକ ସଚେତନ ବାୟୁମଣ୍ତଳ ସୃଷ୍ଟି କରିଥିଲେ। ବି˚ଶ ଶତାବ୍ଦୀର ଶେଷ ଭାଗରେ ଆଉ ଜଣେ ବିଶିଷ୍ଟ ଦାର୍ଶନିକ ପଲ୍‌ କର୍ଜ ଗ୍ରହମଣ୍ତଳୀୟ ମାନବବାଦ ନାମରେ ଏକ ବିଚାରର ଅବତାରଣା କରିଛନ୍ତି। ଆମ ଗ୍ରହମଣ୍ତଳରେ ପୃଥିବୀ ହେଉଛି ଏକ ମାତ୍ର ଗ୍ରହ ଯେଉଁଠି ଜୀବ ଜଗତ୍‌ ଓ ସଭ୍ୟତାର ବିକାଶ ହୋଇଛି। ଆମ ସଭ୍ୟତାକୁ ନିରନ୍ତର ଭାବେ ସୁରକ୍ଷିତ ରଖିବା ମନୁଷ୍ୟ ସମାଜର ନୈତିକ କର୍ତ୍ତବ୍ୟ। ଏହି ପରିପ୍ରେକ୍ଷୀରେ ଏକ ଆନ୍ତର୍ଜାତିକ ଦୃଷ୍ଟିଭଙ୍ଗୀ ଓ ବୈଶ୍ବିକ ଭାବର ବିକାଶକୁ ସେ ପ୍ରାଧାନ୍ୟ ଦେଉଛନ୍ତି। ଆଜିର କରୋନା ମହାମାରୀ ପରିସ୍ଥିତିରେ କିପରି ସମଗ୍ର ମାନବଜାତି ଏକତ୍ର ହୋଇ ଏହି ସଙ୍କଟରୁ ସଭ୍ୟତାକୁ ରକ୍ଷା କରିବ, ତାହା ଚିନ୍ତା କରିବାର ସମୟ ଉପନୀତ।

ସଭ୍ୟତାରେ ଯାହା କିଛି ବିକଶିତ ହୋଇଛି ତାହା ମାନବିକ ପ୍ରୟାସ ଓ ପ୍ରଚେଷ୍ଟାରେ ହୋଇଛି। ଆମର ବିଚାରଶୀଳତା ଓ ସମ୍ବେଦନଶୀଳତାକୁ ଆମେ ଯଦି ସାର୍ବଜନୀନ ଭାବରେ ବିଶ୍ବରେ ପ୍ରତିଷ୍ଠା କରିପାରିବା, ତେବେ ଏକ ସୁନ୍ଦର ପୃଥିବୀର ଯେ ଉନ୍ମେଷ ହୋଇପାରିବ; ଏହା ଆଶା କରିବା ଅମୂଳକ ହେବ ନାହିଁ।

ଏ-୧୨, ଭାଗୀରଥି ବିହାର, ଢେଙ୍କାନାଳ

ସମ୍ବନ୍ଧିତ ଖବର