ତେବେ ଘରୋଇ ପରିସ୍ଥିତିର ଚାପ ସତ୍ତ୍ବେ ଭାରତ ମଧ୍ୟ ବିଶ୍ବ କୁଟୁମ୍ବଙ୍କ ସମ୍ଭାବ୍ୟ ସଙ୍କଟ ପ୍ରତି ସମ୍ପୂର୍ଣ୍ଣ ଆଖି ବୁଜି ଦେଇନାହିଁ। ବଜାର ଭିତ୍ତିକ ରପ୍ତାନି ନିଷିଦ୍ଧ କରିବା ସଙ୍ଗେ ସଙ୍ଗେ ଭାରତ ମଧ୍ୟ ଆଶ୍ବାସନା ଦେଇଛି ଯେ ଯେଉଁ ଦେଶ ନିଜର ଖାଦ୍ୟ ନିରାପତ୍ତା ନିଶ୍ଚିତ କରିବା ପାଇଁ ଭାରତକୁ ଅନୁରୋଧ କରିବ, ଭାରତ ସେ ଦେଶକୁ ତା’ର ଆବଶ୍ୟକତା ପୂରଣ କରିବା ନିମିତ୍ତ ଭଙ୍ଗା ଚାଉଳ ସୁଲଭ ମୂଲ୍ୟରେ ଯୋଗାଇ ଦେବ। ରପ୍ତାନି ନିଷେଧ ସତ୍ତ୍ବେ ନିଜେ ବଞ୍ଚିବା ସହିତ ଅନ୍ୟକୁ ମଧ୍ୟ ବଞ୍ଚିବାରେ ସାହାଯ୍ୟ କରିବା ପାଇଁ ଅଭିପ୍ରେତ ଭାରତର ଏହି ନୀତିକୁ ସମାଲୋଚନା ନ କରି ବିଶ୍ବ ସମୁଦାୟ ସ୍ବାଗତ କରିବା ଉଚିତ।

Advertisment

ଜୁଲାଇ ୧୭ ତାରିଖ ଦିନ ରୁଷିଆ କୃଷ୍ଣସାଗର ଶସ୍ୟ ଚୁକ୍ତିର ଅନ୍ତ ଘଟାଇବା ଘୋଷଣା କଲା। ଜାତିସଂଘର ମଧ୍ୟସ୍ଥତାରେ ସ୍ବାକ୍ଷରିତ ଏହି ଚୁକ୍ତି ଅନୁସାରେ କୃଷ୍ଣସାଗରୀୟ ବନ୍ଦରମାନଙ୍କରୁ ୟୁକ୍ରେନ୍‌ ଶସ୍ୟ ରପ୍ତାନି କରିବା ପଥରେ ରୁଷିଆ କୌଣସି ବାଧା ସୃଷ୍ଟି କରୁନଥିଲା। ଚୁକ୍ତିରୁ ଓହରିଯିବା ପରେ ପରେ ରୁଷିଆ ସେଇ ବନ୍ଦରମାନଙ୍କ ଉପରେ ବୋମାମାଡ଼ ଆରମ୍ଭ କରିଦେବାରୁ ୟୁକ୍ରେନ୍‌ରୁ ଶସ୍ୟ ରପ୍ତାନି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଜୁଲାଇ ୨୦ ତାରିଖ ଦିନ ଭାରତ ସରକାର ଏକ ଘୋଷଣାନାମା ଜାରି କରି ଭାରତରୁ ଅଣ-ବାସୁମତୀ ଧଳା ଚାଉଳ ରପ୍ତାନି ଉପରେ ନିଷେଧାଦେଶ ଲାଗୁ କରିଛନ୍ତି। ଏହାକୁ ଏକ ବିଡ଼ମ୍ବନା ରୂପେ ବିଚାର କରାଯାଇପାରେ ଯେ ଆନ୍ତର୍ଜାତିକ ପରିସରରେ ରୁଷିଆର ଅନ୍ୟ ଏକ ଦେଶ ଉପରେ ଏଭଳି ସଶସ୍ତ୍ର ଆକ୍ରମଣ ପ୍ରତି ଯେଉଁ ଭଳି ପ୍ରତିକ୍ରିୟା ପ୍ରକାଶ ପାଇଛି, ଭାରତର ଏହି ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ପ୍ରଶାସନିକ ନିଷ୍ପତ୍ତି ପ୍ରତି ପ୍ରାୟ ସେଇଭଳି ପ୍ରତିକ୍ରିୟା ପ୍ରକାଶ ପାଇଛି।
ଉଲ୍ଲେଖଯୋଗ୍ୟ ଯେ ଭାରତ ସରକାରଙ୍କର ସେଇ ‌େଘାଷଣାନାମାରେ କୁହାଯାଇଛି ଏଭଳି ପଦକ୍ଷେପ ଗ୍ରହଣ କରାଯିବାର କାରଣ ହେଉଛି ‘‘ଉଚିତ ଦରରେ ଯଥେଷ୍ଟ ଆଭ୍ୟନ୍ତରୀଣ ଉପଲବ୍‌ଧତା ନିଶ୍ଚିତ କରିବା।’’ ଭାରତର ଏହି ନିଷ୍ପତ୍ତି ପ୍ରତି ଏଭଳି ପ୍ରତିକୂଳ ଆନ୍ତର୍ଜାତିକ ପ୍ରତିକ୍ରିୟା ପ୍ରକାଶ ପାଇବାର କାରଣ ହେଲା, ରୁଷିଆର ନିଷ୍ପତ୍ତି ଯୋଗୁଁ କେତେକ ଦେଶରେ ଯେଉଁ ଖାଦ୍ୟ ସଂକଟ ସୃଷ୍ଟି ହେବ, ଭାରତର ନିଷ୍ପତ୍ତି ତାହାକୁ ଆାହୁରି ଗୁରୁତର କରିବ। ଭାରତ ପ୍ରତି ଏଭଳି ଅଙ୍ଗୁଳି ପ୍ରଦର୍ଶନର ଅନ୍ୟ ଏକ କାରଣ ହେଲା ଅତୀତରେ ଭାରତର ପ୍ରଧାନମନ୍ତ୍ରୀ ଭାରତକୁ ପୃଥିବୀର ଅନ୍ନଦାତା ବୋଲି ବର୍ଣ୍ଣନା କରି ମାରିଥିବା ବାହାସ୍ଫୋଟ। ଆତ୍ମଘୋଷିତ ଦାତା ବର୍ତ୍ତମାନ ଏପରି କାର୍ପଣ୍ୟ ପ୍ରକାଶ କରିବା ସ୍ବାଭାବିକ ଭାବରେ ସମାଲୋଚନା ଆକର୍ଷଣ କରିଛି।
କିନ୍ତୁ ପ୍ରଧାନମନ୍ତ୍ରୀ ଯେତେବେଳେ ଏକଥା କହିଥିଲେ, ସେତେବେଳେ ସେ ଜାଣି ନ ଥିଲେ ଏ ବର୍ଷର ଜୁଲାଇ ମାସରେ ଦେଶର ବିସ୍ତୃତ ଅଞ୍ଚଳରେ ଏଭଳି ଭୟଙ୍କର ବର୍ଷା ବିତ୍ପାତ ଦେଖାଦେବ। ପାଣିପାଗ ବୈଜ୍ଞାନିକମାନେ ଏହି ଅସ୍ବାଭାବିକ ଅତି ବୃଷ୍ଟି ପାଇଁ ଯାହାକୁ ଦାୟୀ କରୁଛନ୍ତି ତାହା ହେଉଛି ମୌସୁମୀ କ୍ଷେତ୍ର ବାହାରେ ଭୂମଧ୍ୟସାଗରରେ ଜନ୍ମ ନେଇଥିବା ‘ୱେଷ୍ଟର୍ନ ଡିସ୍‌ଟର୍ବାନ୍‌ସ’ ନାମକ ଏକ ଝଡ଼ ଯାହା ପୂର୍ବ ଦିଗକୁ ଗତି କରି ମୌସୁମୀ ପ୍ରବାହ ସହିତ ମିଶି ଯାଇ ଭାରତରେ ଏଭଳି ପ୍ରଳୟ କାଣ୍ଡ ରଚନା କରିଛି। ଏଥିପୂର୍ବରୁ ୨୦୧୩ରେ ଉତ୍ତର ଭାରତ ଏହି ଦୁଇ ଶକ୍ତିଙ୍କର ମିଳିତ ଆକ୍ରମଣ ଯୋଗୁଁ ଅନୁରୂପ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏଭଳି ‘ୱେଷ୍ଟର୍ନ ଡିସ୍‌ଟର୍ବାନ୍‌ସ’ ସାଧାରଣତଃ ଶୀତ ଋତୁରେ ସୃଷ୍ଟି ହୋଇଥାଏ; କିନ୍ତୁ ‘ଗ୍ଲୋବାଲ୍‌ ୱାର୍ମିଙ୍ଗ୍‌’ ବା ବିଶ୍ବତାପନ ଯୋଗୁଁ ଶୀତଋତୁ ପୂର୍ବରୁ ବର୍ତ୍ତମାନ ଏହା ଘଟୁଛି ବୋଲି ବୈଜ୍ଞାନିକମାନେ ବିଶ୍ବାସ କରୁଛନ୍ତି।
କାରଣ ଯାହା ହୋଇଥାଉ ନା କାହିଁକି, ମୂଷଳ ଧାରାରେ ବର୍ଷା ଓ ବନ୍ୟା ଯୋଗୁଁ ପ୍ରଭାବିତ ବ୍ୟାପକ ଅଞ୍ଚଳରେ ଧାନ କିଆରି ସବୁ ସମ୍ପୂର୍ଣ୍ଣ ଧୋଇ ଯାଇଛି, ଯାହା ଏ ବର୍ଷ ଖରିଫ ଧାନ ଉତ୍ପାଦନ କ୍ଷତିଗ୍ରସ୍ତ ହେବାର ଘୋର ଆଶଙ୍କା ସୃଷ୍ଟି କରିଛି। ଏମିତିରେ ଏବେ ଦେଶରେ ଚାଉଳ ଦରରେ ବୃଦ୍ଧି ଘଟି ଚାଲିବା ଦେଖାଯାଇଛି। ଗତ ବର୍ଷକ ମଧ୍ୟରେ ଏହି ମୁଖ୍ୟ ଖାଦ୍ୟାନ୍ନ ଦରରେ ପ୍ରାୟ ୧୨ ଶତାଂଶ ବୃଦ୍ଧି ଘଟିଛି। ସାଧାରଣ ନିର୍ବାଚନ ମୁଣ୍ଡ ଉପରେ ଝୁଲୁଥିବା ସମୟରେ କୌଣସି ବି ସରକାର ପାଇଁ ଏହା ଏକ ସ୍ବାଗ‌ତଯୋଗ୍ୟ ପରିସ୍ଥିତି ନୁ‌ହେଁ। ଏମିତିରେ ଘରୋଇ ଖାଉଟିମାନଙ୍କର ସ୍ବାର୍ଥ ରକ୍ଷା କରିବା ଉଦ୍ଦେଶ୍ୟରେ ଗତ ବର୍ଷ ମଧ୍ୟ ସରକାର ସବୁ କିସମର ଚାଉଳ ଉପରେ ରପ୍ତାନି ଶୁଳ୍‌କ ଲାଗୁ କରିଥିଲେ ଏବଂ ଅପେକ୍ଷାକୃତ ଶସ୍ତା ହୋଇଥିବା ଭଙ୍ଗା ଚାଉଳର ରପ୍ତାନି ନିଷେଧ କରି ଦେଇଥିଲେ। ବର୍ତ୍ତମାନ ରପ୍ତାନି ନିଷେଧ କରି ଦିଆଯିବା ଦ୍ବାରା ଆଗାମୀ ସମୟରେ ଦେଶରେ ଘରୋଇ ଚାହିଦା ପୂରଣ ନିମିତ୍ତ ଆବଶ୍ୟକ ପରିମାଣର ଚାଉଳ ଉପଲବ୍‌ଧ ହୋଇପାରିବ ଏବଂ ଦର ମଧ୍ୟ ନିୟନ୍ତ୍ରଣ ମଧ୍ୟରେ ରହିବ ବୋଲି ଆଶା କରାଯାଉଛି।
କିନ୍ତୁ ଏହା ଅନ୍ୟ ଦେଶମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ, ଏଥିରେ ସନ୍ଦେହ ନାହିଁ। ଭାରତ ହେଉଛି ‌ପୃଥିବୀର ବୃହତ୍ତମ ଚାଉଳ ରପ୍ତାନିକାରୀ; ପୃଥିବୀର ଚାଉଳ ବାଣିଜ୍ୟରେ ଭାରତର ଅଂଶ ହେଉଛି ୪୦ ଶତାଂଶ। ୨୦୨୨ରେ ଭାରତ ୧୪୦ଟି ଦେଶକୁ ମୋଟ ୨୨ ନିୟୁତ ଟନ୍‌ ଚାଉଳ ରପ୍ତାନି କରିଥିଲା। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ରପ୍ତାନି ହୋଇଥିବା ଏହି ଚାଉଳର ପ୍ରାୟ ଅଧା ଥିଲା ଅଣ-ବାସୁମତୀ କିସମର ଚାଉଳ। ବାସୁମତୀ ଚାଉଳ ତୁଳନାରେ ଶସ୍ତା ହୋଇଥିବାରୁ ବାଂଲାଦେଶ, ନେପାଳ ଓ ଅନେକ ଆଫ୍ରିକୀୟ ଦେଶମାନଙ୍କରେ ଏହି ଅଣ-ବାସୁମତୀ ଚାଉଳ ପାଇଁ ଚାହିଦା ଦେଶ୍‌ ଉଚ୍ଚା ହୋଇଥାଏ। ଭାରତ ଏବେ ଏହି ଚାଉଳର ରପ୍ତାନି ବନ୍ଦ କରିଦେଲେ ଏହି ବିକାଶଶୀଳ ଦେଶମାନଙ୍କରେ ଚାଉଳ ଦରରେ ଅସହନୀୟ ବୃଦ୍ଧି ଘଟିବ ବୋଲି ଆଶାଙ୍କା କରାଯାଉଛି। ଜାତିସଂଘ ସଂସ୍ଥା ‘ଫୁଡ୍‌ ଆଣ୍ଡ୍‌ ଏଗ୍ରିକଲ୍‌ଚର୍‌ ଅର୍ଗାନାଇଜେସନ୍‌’ (‘ଏଫ୍ଏଓ’) ଦ୍ବାରା ପ୍ରତି ମାସରେ ପ୍ରକାଶ କରାଯାଉଥିବା ଚାଉଳ ଦର ସୂଚକ ଅନୁସାରେ ଗତ ଜୁନ୍‌ ସୁଦ୍ଧା ବର୍ଷକ ମଧ୍ୟରେ ଏଥିରେ ୧୪ ଶତାଂଶ ବୃଦ୍ଧି ଘଟିଥିଲା। ଭାରତର ନିଷ୍ପତ୍ତି ଯୋଗୁଁ ଏଥିରେ ଆହୁରି ବୃଦ୍ଧି ଘଟିବା ନିଶ୍ଚିତ। ସେ ସବୁ ଦେଶମାନଙ୍କ ପାଇଁ ଏହା ନିଶ୍ଚିତ ରୂପେ କଷ୍ଟଦାୟକ ହେବ। ଏକ ଉଦାହରଣ ସ୍ବରୂପ ଆଫ୍ରିକାର ସର୍ବାଧିକ ପରିମାଣର ଚାଉଳ ଆମଦାନିକାରୀ ଦେଶ ହେଉଛି ବେନିନ୍‌; ସେଠାରେ ୨୦୨୦ ତୁଳନାରେ ବର୍ତ୍ତମାନ ଖାଦ୍ୟ ଦରରେ ୪୦ ଶତାଂଶ ବୃଦ୍ଧି ଘଟି ସାରିଛି, ଭାରତର କାର୍ଯ୍ୟାନୁଷ୍ଠାନ ଏହାକୁ ଆହୁରି ଅସହନୀୟ ସ୍ତରକୁ ନେଇଯିବ।
ଆନ୍ତର୍ଜାତିକ ସମୁଦାୟକୁ ଯାହା ଆହୁରି ଚିନ୍ତିତ କରୁଛି, ତାହା ହେଲା ଭାରତୀୟ ନୀତି ସଂକ୍ରାମକ ହେବାର ସମ୍ଭାବନା। ଭାରତକୁ ଅନୁସରଣ କରି ଯଦି ଅନ୍ୟ ଚାଉଳ ଉତ୍ପାଦନକାରୀ ଦେଶମାନେ ରପ୍ତାନି ସଂକୋଚନ ଘଟାନ୍ତି, ତା’ହେଲେ ପରିସ୍ଥିତି ଅସମ୍ଭାଳ ହୋଇ ଯାଇପାରେ, ଯେମିତି ହୋଇଥିଲା ୨୦୦୮ରେ। ସେ ବର୍ଷ ଭିଏତ୍‌ନାମ ଚାଉଳ ରପ୍ତାନି ନିଷେଧ କରି ଦେବା ପରେ ଭାରତ, ଚୀନ୍‌ ଓ କାମ୍ବୋଡ଼ିଆ ମଧ୍ୟ ଅନୁରୂପ ନୀତି ଅବଲମ୍ବନ କରିବାରୁ ଆନ୍ତର୍ଜାତିକ ଚାଉଳ ଦରରେ ୫୨ ଶତାଂଶ ବୃଦ୍ଧି ଘଟିବା ଦେଖାଯାଇଥିଲା। ଅର୍ଦ୍ଧେକ ପୃଥିବୀରେ ଚାଉଳ ଲୋକମାନଙ୍କର ମୁଖ୍ୟ ଆହାର ହୋଇଥିବା ବେଳେ ଏହା ନିଶ୍ଚିତ ରୂପେ ଚିନ୍ତାଜନକ, ଏଥିରେ ସନ୍ଦେହ ନାହିଁ।
ତେବେ ଘରୋଇ ପରିସ୍ଥିତିର ଚାପ ସତ୍ତ୍ବେ ଭାରତ ମଧ୍ୟ ବିଶ୍ବ କୁଟୁମ୍ବଙ୍କ ସମ୍ଭାବ୍ୟ ସଙ୍କଟ ପ୍ରତି ସମ୍ପୂର୍ଣ୍ଣ ଆଖି ବୁଜି ଦେଇନାହିଁ। ବଜାର ଭିତ୍ତିକ ରପ୍ତାନି ନିଷିଦ୍ଧ କରିବା ସଙ୍ଗେ ସଙ୍ଗେ ଭାରତ ମଧ୍ୟ ଆଶ୍ବାସନା ଦେଇଛି ଯେ ଯେଉଁ ଦେଶ ନିଜର ଖାଦ୍ୟ ନିରାପତ୍ତା ନିଶ୍ଚିତ କରିବା ପାଇଁ ଭାରତକୁ ଅନୁରୋଧ କରିବ, ଭାରତ ସେ ଦେଶକୁ ତା’ର ଆବଶ୍ୟକତା ପୂରଣ କରିବା ନିମିତ୍ତ ଭଙ୍ଗା ଚାଉଳ ସୁଲଭ ମୂଲ୍ୟରେ ଯୋଗାଇ ଦେବ। ରପ୍ତାନି ନିଷେଧ ସତ୍ତ୍ବେ ନିଜେ ବଞ୍ଚିବା ସହିତ ଅନ୍ୟକୁ ମଧ୍ୟ ବଞ୍ଚିବାରେ ସାହାଯ୍ୟ କରିବା ପାଇଁ ଅଭିପ୍ରେତ ଭାରତର ଏହି ନୀତିକୁ ସମାଲୋଚନା ନ କରି ବିଶ୍ବ ସମୁଦାୟ ସ୍ବାଗତ କରିବା ଉଚିତ।