ଅନେକ ବର୍ଷ ଓଡ଼ିଶା ବାହାରେ ରହିବା ପରେ ଚାକିରିରୁ ଅବସର ନେଇ ଓଡ଼ିଶା ଫେରିଲି। ଅବସର ବିନୋଦନ ନିମନ୍ତେ କିଛି ପୁରୁଣା ସମ୍ବାଦପତ୍ର ନେଇ ଆମୂଳଚୂଳ ଅଧ୍ୟୟନ କରିଗଲି। ଏପରିକି ମୁଦ୍ରାକର ନାମ, ଠିକଣା, ଶ୍ରାଦ୍ଧବାର୍ଷିକ, ଶ୍ରଦ୍ଧାଞ୍ଜଳି, ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ସମ୍ବନ୍ଧୀୟ ସୂଚନା ଦୈନିକ ରାଶିଫଳ ଆଦି ସବୁକିଛି ତର୍ଜମା କରିଗଲି। କିଛିଟା ସମ୍ବାଦ କିନ୍ତୁ ହଜମ ହେଲା ନାହିଁ। ମନେହେଲା ଯେପରି ଏକ ଅନ୍ଧ ରାଜ୍ୟରେ ପଦାର୍ପଣ କରିଛି। ଏବେ ସେ ଘଟଣା ଉପରେ କିଂଚିତ ଆଲୋକପାତ କରୁଛି।
ପ୍ରଥମ ଖବରଟି ଚାଞ୍ଚଲ୍ୟକର। ଜଗତର ନାଥ ଜଗନ୍ନାଥଙ୍କର ପାଟ ବସ୍ତ୍ର ଓ ବ୍ରହ୍ମ ଦାରୁ ଗର୍ଭଗୃହ ମଧ୍ୟରେ ମୂଷିକମାନଙ୍କ ଆକ୍ରମଣରେ ନଷ୍ଟ ହେଇଯାଉଛି। ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀମାନେ ସମସ୍ୟାର ସମାଧାନ ନିମନ୍ତେ ଏକ ଧ୍ୱନି ନିଃସୃତକାରୀ ଯନ୍ତ୍ର ସ୍ଥାପନ କରିବାର ପ୍ରସ୍ତାବ ଦେଲେ, ଯାହାକି ମଧ୍ୟ ରାତ୍ରିରେ କେବଳ ମୂଷିକମାନଙ୍କ କର୍ଣ୍ଣ ଗହ୍ୱରକୁ ପ୍ରକମ୍ପିତ କରି ସେମାନଙ୍କୁ ନିରୁତ୍ସାହିତ କରିଥାନ୍ତା। କିନ୍ତୁ ସେବକମାନେ ଘୋର ବିରୋଧ କଲେ, କାରଣ ଦିଅଁଙ୍କ ନିଦ୍ରାରେ ବ୍ୟାଘାତ ଘଟିବ। ଥରେ ଭାବି ଦେଖନ୍ତୁ, କି ପ୍ରକାର କଳ୍ପନାତ୍ମକ ମୌଳିକ ଯୁକ୍ତି। ବିଚରା ସରକାର ମୁଣ୍ଡ ନୁଆଁଇଲେ।
ଦ୍ୱିତୀୟ ଘଟଣାଟି ସମ୍ବାଦପତ୍ରରୁ ନୁହେଁ ବରଂ ନିଜ ଅନୁଭୂତିରୁ କହୁଛି। ବିଶ୍ୱ ପ୍ରସିଦ୍ଧ ପୁରୀ ଜଗନ୍ନାଥ ମନ୍ଦିର ଦର୍ଶନ ନିମନ୍ତେ ପ୍ରାୟ ଏକ ଘଣ୍ଟା ଧାଡ଼ିରେ ଅପେକ୍ଷା କରି ଭବ୍ୟ ଜୋତା ଷ୍ଟାଣ୍ଡରେ ନିଜ ଜୋତା, ଫୋନ ଜମା ଦେଇ ମନ୍ଦିରରେ ପ୍ରବେଶ କଲି। ମାତ୍ର ପ୍ରସ୍ଥାନ ଦ୍ୱାରରୁ ନିର୍ଗତ ହୋଇ ଦେଖିଲି ଯେ ଜୋତାଗୁଡ଼ିକ ଫେରି ପାଇବା ନିମନ୍ତେ, ପ୍ରାୟ ଏକ କିଲୋମିଟର ଖାଲି ପାଦରେ ଲକ୍ଷ୍ମୀ ବଜାରର ପରିବା କଚଡ଼ା ଦେଇ ପଦବ୍ରଜରେ ଯାତ୍ରା କରିବାକୁ ହେବ। ଏ କି ପ୍ରକାର ବନ୍ଦୋବସ୍ତ! ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର କ’ଣ ସ୍ୱତନ୍ତ୍ର ହେବା ଅତ୍ୟାବଶ୍ୟକ?
ବଡ଼ ମନ୍ଦିରରୁ ନିରାଶ ହୋଇ ଭାବିଲି କିଛି ଛୋଟ ମନ୍ଦିର ଯାଇ ଉତ୍କଳୀୟ ପ୍ରସ୍ତର କାରୁକାର୍ଯ୍ୟର ଲାଳିତ୍ୟର ତର୍ଜମା କରି ଆହ୍ଲାଦିତ ହେବି। ଭୁବନେଶ୍ୱର ଉପକଣ୍ଠରେ ଅନେକ ପ୍ରାଚୀନ ଦେବାଳୟ। ସେଠାରେ ପାର୍ଶ୍ୱ ପରିକ୍ରମା ସମୟରେ ଲକ୍ଷ୍ୟ କଲି ମନ୍ଦିର ବାହ୍ୟ ଗାତ୍ରରେ ଥିବା ଦେବତାମାନଙ୍କ ମୂର୍ତ୍ତିଗୁଡ଼ିକୁ ରଙ୍ଗୀନ ‘ମିନି ସ୍କାର୍ଟ୍’ ପିନ୍ଧାଇ ଦିଆଯାଇଛି। ଆମ୍ଭମାନଙ୍କର ଦେବଦେବୀ ତ ଉଲଗ୍ନ ନୁହନ୍ତି। ଶିଳ୍ପୀମାନେ ସେମାନଙ୍କ ନିହାଣ ମୁନରେ ଅପୂର୍ବ ଅଳଙ୍କାର ଇତ୍ୟାଦି ଖୋଦେଇ କରି ମୂର୍ତ୍ତିଗୁଡ଼ିକୁ ସମୃଦ୍ଧ କରିଛନ୍ତି। ତେବେ, ଏଭଳି ରୁଚିହୀନ ବସ୍ତ୍ର ଆବରଣର କି ପ୍ରୟୋଜନ?
ଚିନ୍ତା କଲି ହୁଏତ ସରକାର ମନ୍ଦିର ପରିଚାଳନାରେ ହସ୍ତକ୍ଷେପ ନ କରିବାକୁ ନୀତିଗତ ନିଷ୍ପତ୍ତି ନେଇଥିବେ। ତେଣୁ, ସହରର ଅନ୍ୟ କୃତି ପ୍ରତି ଦୃଷ୍ଟିପାତ କଲି। ପ୍ରଥମ ଚକ୍ଷୁଶୂଳ ହେଲା ସତ୍ୟ ନଗରର ଶ୍ମଶାନ। ଆଜିକାଲି ମୃତଦେହକୁ କୋକେଇରେ ବୋହି ପଦଯାତ୍ରାରେ ଶ୍ମଶାନ ଗମନ ପ୍ରଥା ବିଲୁପ୍ତ ପ୍ରାୟ। ସୁସଜ୍ଜିତ ଶବ ବାହାକ ଗାଡ଼ିରେ ଅନ୍ତିମ ଯାତ୍ରା ସୀମିତ ସମୟରେ ସମାହିତ ହେଇପାରୁଛି। ତେବେ ସହରର କେନ୍ଦ୍ର ସ୍ଥଳରେ, ତଥା ଆବାସିକ ଅଂଚଳରେ ଶ୍ମଶାନଟିକୁ ରଖିବାର ଯଥାର୍ଥତା କ’ଣ? ଅନ୍ତତଃ, ସହରର ଉପକଣ୍ଠରେ ନୂତନ, ବିଶାଳ, ସୁଦୃଶ୍ୟ, ବିଦ୍ୟୁତ୍ ଚୁଲା ବ୍ୟବସ୍ଥା ସହିତ ନୂତନ ଶ୍ମଶାନଟିଏ କରି ହୁଅନ୍ତା। ଅନ୍ତତଃ ସତ୍ୟନଗରବାସୀ ଶବ ଦାହ ଦୁର୍ଗନ୍ଧରୁ ରକ୍ଷା ପାଇପାରନ୍ତେ।
ସେହିପରି ଭାବୁଛି ଯେ ବିଧାୟକମାନଙ୍କ ବାସ ଭବନ ନିମନ୍ତେ ନିର୍ମାଣରତ ବହୁତଳ ବିଶିଷ୍ଟ ପ୍ରାସାଦଗୁଡ଼ିକୁ ସହରର ମଧ୍ୟ ଭାଗରେ ନ ରଖି, ଉପକଣ୍ଠରେ ରଖା ଯାଇଥିଲେ, ହୁଏତ ରାଜ୍ୟର ବିଭିନ୍ନ ଅଂଚଳରୁ ବହୁ ସଂଖ୍ୟାରେ ଆସୁଥିବା ସେମାନଙ୍କ ସମର୍ଥକ, ସ୍ତାବକ କିମ୍ବା ଅନୁଗାମୀମାନେ ସଂପୂର୍ଣ୍ଣ ଅଞ୍ଚଳଟିକୁ ଜନାକୀର୍ଣ୍ଣ କରନ୍ତେ ନାହିଁ। ଫଳରେ ପଡ଼ୋଶୀମାନଙ୍କ ଯନ୍ତ୍ରଣା ଲାଘବ ହୁଅନ୍ତା। ମାନନୀୟ ବିଧାୟକମାନେ ସରକାରୀ ବାହାନ ବ୍ୟବହାର କରି ବିଧାନସଭାରେ ଉପସ୍ଥିତ ହେବାରେ ବିଳମ୍ବର ସମ୍ଭାବନା ରହନ୍ତା ନାହିଁ। ପୂର୍ବ ସ୍ଥାନଟିରେ ଏକ ସୁଦୃଶ୍ୟ ଉଦ୍ୟାନ କରି ସବୁଜ ବଳୟଟିଏ ସୃଷ୍ଟି ହେଇପାରିଥାନ୍ତା। ଅଥବା ରାଜଧାନୀରେ ଦୁଷ୍ପ୍ରାପ୍ୟ କର୍ମଜୀବୀ ମହିଳା ଆବାସଟିଏ ସ୍ଥାପନ କରି ସରକାର ମହିଳା ସଶକ୍ତୀକରଣକୁ ତ୍ୱରାନ୍ୱିତ କରିପାରିଥାନ୍ତେ। କିନ୍ତୁ ମାର୍ଜାର ଗ୍ରୀବାରେ ଘଣ୍ଟି ବନ୍ଧନର ପ୍ରୟାସ ଅସମ୍ଭବ ନ ହେଲେ ବି ବିପଦପୂର୍ଣ୍ଣ ନିଶ୍ଚୟ!
ମା ବିରଜା କ୍ଷେତ୍ର ଯାଜପୁରରେ ଏକ ପରିତ୍ୟକ୍ତ ଜଳାଶୟ କୁସୁମା ପୋଖରୀଟିର ସମ୍ପୂର୍ଣ୍ଣ କାୟାକଳ୍ପ କରି ଏହାକୁ ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳରେ ସଫଳ ରୂପାୟନ କରାଯାଇ ପାରିଛି। ମାତ୍ର, ଭୁବନେଶ୍ୱରରେ ନିକୋ ପାର୍କର ମଧ୍ୟ ଭାଗରେ ଥିବା ଏକ ଜଳାଶୟ ଅଧୁନା ଅଦୃଶ୍ୟ ହୋଇ ଯାଇଛି। ସାମାନ୍ୟ ପ୍ରୟାସ କଲେ ହୁଏତ ସେହି ପୁଷ୍କରିଣୀର ପୁନର୍ଜନ୍ମ ହୋଇ ପାରନ୍ତା, ତଥା ନୌକା ବିହାରର ସୁଯୋଗ ମିଳନ୍ତା।
ହୁଏତ କଳିଙ୍ଗ ଷ୍ଟାଡିଅମ୍, ଯେବେ ସ୍ଥାପିତ ହୋଇଥିଲା, ସେତେବେଳେ ସ୍ଥାନଟି ଥିଲା ସହରର ଉପକଣ୍ଠରେ। କିନ୍ତୁ ଯେବେ ଏହି କ୍ରୀଡ଼ାଙ୍ଗନଟିକୁ ବୃହଦାକାର କରି ବିଶ୍ୱ ସ୍ତରୀୟ କରିବାର ନିଷ୍ପତ୍ତି ହେଲା, ସେତେବେଳେ ଅନ୍ତତଃ ସାମାନ୍ୟ ଦୂରଦୃଷ୍ଟି ପ୍ରୟୋଗ କରି ସହରର କେନ୍ଦ୍ର ସ୍ଥଳ ଠାରୁ ଦୂରରେ, ସୀମାବର୍ତ୍ତୀ ଅଞ୍ଚଳରେ ନୂତନ ଷ୍ଟାଡିଅମ୍ଟିଏ ଗଢ଼ିବା ଉଚିତ ଥିଲା। ତା’ ଦ୍ୱାରା ଅନ୍ତତଃ ପାର୍କିଂ ତଥା ଟ୍ରାଫିକ୍ ସମସ୍ୟା ଉପୁଜି ନ ଥାନ୍ତା।
ଏପରି ଅନେକ କିଛି ନିଷ୍ପତ୍ତି ଆମ ରାଜ୍ୟରେ ନିଆଯାଇଛି ଏବଂ ନିଆଯାଉଛି; ଯାହା ବିଷୟରେ ଆମେ ତର୍ଜମା କଲେ ମନେ ହେବ ସତେ ଯେପରି ଆମେ ଅନ୍ଧ ରାଜ୍ୟରେ ଦର୍ପଣ ବିକୁଛୁ। କିନ୍ତୁ ବିଶେଷ ବିଳମ୍ବ ହୋଇନାହିଁ। ସରକାର ଦୂରଗାମୀ ନିଷ୍ପତ୍ତି ନେବା ସମୟରେ ଜନସାଧାରଣଙ୍କ ବିଚାରକୁ ଧ୍ୟାନ ଦେଲେ କେହି କହିବେ ନାହିଁ ଯେ, ‘ବଡ ବଡ଼ିଆଙ୍କୁ ଉତ୍ତର ନାହିଁ।’
ମୋ: ୭୮୬୭୦୦୨୦୨୪