ଲେମ୍ବୁ ବିରୋଧ

୨୦୧୭ ମସିହାରେ ‘ଡାଉନ୍‌ ଟୁ ଆର୍ଥ‌୍‌’ ପତ୍ରିକାରେ ପ୍ରକାଶିତ ଏକ ପ୍ରବନ୍ଧରେ ପ୍ରକାଶ ପାଇଥିଲା କିଭଳି ଅନୁଗୁଳ ଜିଲ୍ଲାର ସାତକୋଶିଆ ସମୀପବର୍ତ୍ତୀ ବିମରିପାଳ ଗାଁର କୁମୁଦ ଚନ୍ଦ୍ର ପ୍ରଧାନ ବଣୁଆ ହାତୀମାନଙ୍କ ଉତ୍ପାତର ଏକ ଗାନ୍ଧୀୟ ବିରୋଧ(ଅବଶ୍ୟ ନିଜ ଅଜାଣତରେ) କରି ପକାଇ ସେଥିରେ ସଫଳ ହୋଇଥିଲେ। ପ୍ରାୟ ଦୁଇ ଦଶନ୍ଧି ତଳେ ସେ ତାଙ୍କ ୨.୮ ହେକ୍ଟର ପରିମିତ ଚାଷଜମିରେ ଧାନ ବଦଳରେ ଲେମ୍ବୁ ଚାଷ କରି ଯାହା ଆବିଷ୍କାର କରିଥିଲେ, ତାହା ହେଲା ହାତୀ ପଲ ନିୟମିତ ଭାବେ ଆଖପାଖ ଜମିରେ ଫସଲ ଉଜାଡ଼ୁ ଥିବା ବେଳେ ତାଙ୍କ ଲେମ୍ବୁ ଚାଷକୁ ଅକ୍ଷତ ଛାଡ଼ି ଦେଇଛନ୍ତି। ଏହା ମଧୢ ଉଲ୍ଲେଖଯୋଗ୍ୟ ଯେ ଧାନ ତୁଳନାରେ ଲେମ୍ବୁରୁ ତାଙ୍କ ଉପାର୍ଜନ ଅଧିକ ହୋଇଛି। ଆଜି ଯେତେବେଳେ ଆମ ରାଜ୍ୟରେ ହାତୀ ଏବ˚ ମଣିଷ ସ˚ଘାତ ଏକ ଗମ୍ଭୀର ସ୍ଥିତିରେ ପହଞ୍ଚିଛି, ସେତିକି ବେଳେ କୁମୁଦଙ୍କ ‘ଲେମ୍ବୁ’ ବିରୋଧ ବିଶେଷ ପ୍ରଣିଧାନଯୋଗ୍ୟ। କିନ୍ତୁ ହାତୀମାନଙ୍କ ହେତୁ ଫସଲ ବା ଗୃହ ହାନି ଜନିତ ଗ୍ରାମ୍ୟ ଅର୍ଥନୀତି ଅକର୍ମଣ୍ୟ ହୋଇଯିବା କେବଳ ମାତ୍ର ଏକ ଗୁରୁତର ପ୍ରସଙ୍ଗ ନୁହେଁ, ଏଥିଯୋଗୁ ଯେତିକି ସ˚ଖ୍ୟାରେ ମଣିଷ ହତାହତ ହେଉଛନ୍ତି ତାହା ଗଭୀର ଭାବେ ଉଦ୍‌ବିଗ୍ନ କଲା ଭଳି। ଗଲା ୨୨ ତାରିଖ ଦିନ ପୁରୀ ଜିଲ୍ଲାରେ ଏକ ଉନ୍ମତ୍ତ ଦନ୍ତା ହାତୀ ଆକ୍ରମଣରେ ୪ ଜଣଙ୍କ ପ୍ରାଣହାନି ଘଟିବା ପରିପ୍ରେକ୍ଷୀରେ ହାତୀ ଓ ମଣିଷଙ୍କ ସ˚ଘାତକୁ ନେଇ ଯେ ନୂତନ ଚିନ୍ତନର ଆବଶ୍ୟକତା ରହିଛି, ଏହା ବୁଝି ହୋଇଥାଏ।

ଏହି ସ˚ଘାତରେ ଉଭୟ ପକ୍ଷରୁ ହତାହତଙ୍କ ସ˚ଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ସତ୍ତ୍ବେ ଗଲା ତିନି ଦଶନ୍ଧି ଧରି ଚାଲି ଆସିଥିବା ଆଲୋଚନାର ଧାରାରେ ବିଶେଷ କରି ବନ୍ୟ ଜନ୍ତୁଙ୍କ ଅଧିକାର ସପକ୍ଷରେ ଉଦ୍‌ବେଗର ପ୍ରାବଲ୍ୟ ପରିଦୃଷ୍ଟ ହୋଇଥାଏ। ଏହା ପଛରେ ନିହିତ କାରଣ ଅବଶ୍ୟ ସର୍ବଜ୍ଞାତ, ଯାହା କହିଥାଏ ଯେ ଏଭଳି ପରିସ୍ଥିତି ଲାଗି ଦାୟୀ ମଣିଷ। କିନ୍ତୁ ଏଠାରେ ପ୍ରଶ୍ନ ହେଉଛି ପ୍ରକୃତିକୁ ଦୋହନ କରି ତହିଁରୁ ଲାଭ ଆହରଣ କରୁଥିବା ଏକ ସ˚ଖ୍ୟା ଲଘୁ ମାତ୍ର ୨୦% ଙ୍କ ଲାଗି ଜଙ୍ଗଲ ସମୀପରେ ବସବାସ କରୁଥିବା ଆର୍ଥିକ ଭାବେ ଦୁର୍ବଳ ଗ୍ରାମବାସୀମାନେ ମୂଲ୍ୟ ପ୍ରଦାନ କରିବେ କାହିଁକି? ‘ମନୁଷ୍ୟକୃତ’ ବୋଲି ଏକ ସାଧାରଣୀକୃତ ଅବଧାରଣାର ଶିକାର ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରୁଥିବା ବା ଫସଲ ହରାଉଥିବା ଗ୍ରାମାଞ୍ଚଳ ବାସିନ୍ଦାମାନେ ହେବେ କାହିଁକି?

ଚଳିତ ବର୍ଷ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଆମ ରାଜ୍ୟରେ ପ୍ରତିବର୍ଷ ହାରାହାରି ଦୁଇ ଦିନରେ ଥରେ ହାତୀ ବନାମ ମଣିଷ ସ˚ଘର୍ଷ ଦେଖିବାକୁ ମିଳୁଛି ଏବ˚ ଏଭଳି ସ˚ଘର୍ଷରେ ପ୍ରତି ତିନି ଦିନରେ ଜଣଙ୍କର ପ୍ରାଣ ହାନି ଘଟୁଛି। ଜୀବନ ହାନି ସହିତ ଫସଲ ଏବ˚ ଗୃହ ହାନି ହେତୁ ଜଙ୍ଗଲ ସମୀପବର୍ତ୍ତୀ ଅସ˚ଖ୍ୟ ଗ୍ରାମର ଅର୍ଥନୀତି ଭୂଲୁଣ୍ଠିତ ହୋଇଗଲାଣି। ‘ଡାଉନ୍‌ ଟୁ ଆର୍ଥ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଆମ ଦେଶରେ ପ୍ରତିବର୍ଷ ୧୦୧ଟି ହାତୀ ଚଲାପଥରେ ପ୍ରାୟ ୧ ନିୟୁତରୁ ଅଧିକ ହେକ୍ଟର ପରିମିତ ଚାଷ ଜମିରେ ଫସଲ ଉଜୁଡୁଛି। ଏହି ସ˚ଦର୍ଭରେ ବନସ୍ତ ଛାଡ଼ି ହାତୀ ପଲ ଜନବସତିକୁ ଅନୁପ୍ରବେଶ କରୁଥିବାର କାରଣ ସ୍ବରୂପ ଚିରାଚରିତ ଭାବେ ଯାହା ସବୁ ଦର୍ଶାଯାଇଥାଏ, ସେଗୁଡ଼ିକ ମଧୢରେ ରହିଛି ଜଙ୍ଗଲ କ୍ଷୟ କାରଣରୁ ହାତୀମାନେ ବାସହରା ହେବା ଓ ଖାଦ୍ୟାଭାବର ସାମନା କରିବା, ବ୍ୟାପକ ଖଣି ଖନନ ହେତୁ ଜଙ୍ଗଲର ନିଘଞ୍ଚ ଅଭ୍ୟନ୍ତରରେ ମଧୢ ମନୁଷ୍ୟ ଅତିକ୍ରମଣ ମାତ୍ରାଧିକ ହେବା ଏବ˚ ବ୍ୟାପକ ଖଣିଖାଦାନ ହେତୁ ଜଳାଭାବ(କେନ୍ଦୁଝର ଜିଲ୍ଲାରେ ଏହି କାରଣରୁ ପ୍ରାୟ ୫୦ଟି ଚିରସ୍ରୋତା ଝର ଶୁଖିଗଲାଣି) ଦେଖା ଦେବା, ହାତୀ ଚଲାପଥକୁ ଛେଦ କରି ରାଜପଥ ଏବ˚ ରେଳପଥ ନିର୍ମାଣ କରାଯିବା, ହାତୀଙ୍କ ପ୍ରିୟ ଫସଲ (ଧାନ ଓ ଫଳ) କରାଯିବା ଏବ˚ ଗ୍ରାମାଞ୍ଚଳରେ ହାଣ୍ତିଆ ଓ ମହୁଲି ଭଳି ମାଦକ ପାନୀୟ ସକାଶେ ପ୍ରବଳ ନିଶାସକ୍ତ ହାତୀମାନେ ଆକର୍ଷିତ ହେଉଥିବା ଇତ୍ୟାଦି। ଏ ସବୁ ଊଣା ଅଧିକେ ସତ୍ୟ ହୋଇପାରେ, ଏବଂ ଏହାର ପ୍ରତିକାର ସମ୍ବନ୍ଧରେ ଅନେକ ଆଲୋଚନା ‌ହୋଇ ସାରିଛି। କିନ୍ତୁ ଏଭଳି ଆଲୋଚନା ସମୟରେ ଯେଉଁ ଗୋଟିଏ କାରଣ ଏଗୁଡ଼ିକର ପଛକୁ ରହିଯାଏ, ଅଥଚ ଗହୀରେଇ ଦେଖିଲେ ସବୁଠାରୁ ଅଧିକ ଗୁରୁତ୍ବବହନକାରୀ ଭଳି ଦିଶିଥାଏ, ତାହା ହେଉଛି ହାତୀ ଓ ମଣିଷ ସ˚ଘାତର ପରିଚାଳନାରେ ସରକାରୀ ବିଭାଗର ଘୋର ବିଫଳତା। ଏହାର ପ୍ରମାଣ ହେଲା, ଆମ ରାଜ୍ୟରେ ହାତୀ ସ˚ଖ୍ୟା ଅନୁପାତରେ (ହାତୀ ଆକ୍ରମଣରେ) ମଣିଷ ଜୀବନ ହାନି ସ˚ଖ୍ୟାରେ ଆଧିକ୍ୟ। ଗୋଟିଏ ଉଦାହରଣ ଦେଲେ ଯଥେଷ୍ଟ ହେବ। ବର୍ତ୍ତମାନ ଆମ ରାଜ୍ୟରେ ହାତୀ ସ˚ଖ୍ୟା ୧୯୭୬ ହୋଇଥିବା ବେଳେ ୨୦୧୭-୧୮ ଏବ˚ ୨୦୧୮-୧୯ରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ସ˚ଖ୍ୟା ହେଉଛି ଯଥାକ୍ରମେ ୮୫ ଏବ˚ ୯୨, ଅଥଚ କର୍ଣ୍ଣାଟକରେ ହାତୀମାନଙ୍କ ସ˚ଖ୍ୟା ୬୦୪୯ ହୋଇଥିବା ବେଳେ ହାତୀ ଆକ୍ରମଣରେ ମୃତକଙ୍କ ସ˚ଖ୍ୟା ସେହି ସମୟ ଖଣ୍ତରେ ହେଉଛି ଯଥାକ୍ରମେ ୨୩ ଏବ˚ ୧୩। ଆସାମ, କେରଳ ଓ ତାମିଲନାଡୁରେ ହାତୀଙ୍କ ସ˚ଖ୍ୟା ଆମ ରାଜ୍ୟ ହାତୀ ସ˚ଖ୍ୟାର ୨ରୁ ୩ ଗୁଣ ହୋଇଥିବା ବେଳେ ହାତୀ ଆକ୍ରମଣରେ ମୃତକଙ୍କ ସ˚ଖ୍ୟା ତୁଳନାତ୍ମକ ଭାବେ ଢେର କମ୍‌। ଆମ ରାଜ୍ୟରେ ବନ୍ୟ ଜନ୍ତୁଙ୍କ ସୁରକ୍ଷା କ୍ଷେତ୍ରରେ ଅନେକ କାର୍ଯ୍ୟ କରିଥିବା ସ˚ସ୍ଥା ‘ଵାଇଲ୍‌ଡ ଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶା’ ବା ‘ଡବ୍ଲ୍ୟୁଏସ୍‌ଓ’ ଅନୁସାରେ ହାତୀ-ମଣିଷ ସ˚ଘାତଜନିତ ପରିସ୍ଥିତିର ପରିଚାଳନା ଲାଗି ‘କନସଲଟାନ୍‌ସି ଫି’ ବାବଦକୁ ଆମ ରାଜ୍ୟ ସରକାର ୩.୬୭ କୋଟି ଟଙ୍କା ବ୍ୟୟ କରିଥିଲେ ସୁଦ୍ଧା ତାର କୌଣସି ଫଳ ଏ ଯାବତ୍‌ ପରିଦୃଶ୍ୟ ହୋଇନାହିଁ। ଏହା ମଧୢ ସର୍ବବିଦିତ ଯେ କେରଳ, ଆସାମ କର୍ଣ୍ଣାଟକ ଓ ତାମିଲନାଡୁ ଭଳି ରାଜ୍ୟରେ କାର୍ଯ୍ୟ କରୁଥିବା ହସ୍ତୀ-ବିଶାରଦଙ୍କ ଭଳି ଧୁରନ୍ଧରଙ୍କ ଘୋର ଅଭାବ ଆମ ରାଜ୍ୟରେ ରହିଛି, ଯାହା ‘ଟ୍ରା˚କୁଇଲାଇଜର’ ପ୍ରୟୋଗ ବା ଆହତ ହାତୀଙ୍କ ବିଶେଷ ଚିକିତ୍ସା ଅଥବା ସେମାନଙ୍କ ସ୍ଥାନାନ୍ତରଣ ଭଳି ବିଶେଷ କାର୍ଯ୍ୟ ସ˚ପାଦନ କରାଯିବା ସମୟରେ ବେଶ୍‌ ଅନୁଭବ କରାଯାଇଥାଏ। ଉଲ୍ଲେଖ ଥାଉ କି ହାତୀ ଆକ୍ରମଣରେ ମୃତାହତ, ବାସଚ୍ୟୁତ ଓ ଫସଲହାନିର କ୍ଷତିପୂରଣ ଭାବେ ରାଜ୍ୟ ସରକାର ବର୍ଷକୁ ହାରାହାରି ପ୍ରାୟ ୧୪ କୋଟି ଟଙ୍କା ବ୍ୟୟ କରିଥାଆନ୍ତି। କିନ୍ତୁ ଅନେକ ସମୟରେ କ୍ଷତିପୂରଣ ମିଳିବାରେ ବିଳମ୍ବ ଏବ˚ ଏହିଭଳି ବହୁ ଆୟାମୀ କ୍ଷତିର ସୁଦୂରପ୍ରସାରୀ ପ୍ରଭାବ କ୍ଷତିଗ୍ରସ୍ତଙ୍କ ପରିବାର ଉପରେ ଦୀର୍ଘ କାଳ ଧରି ଅନୁଭୂତ ହୋଇଥାଏ। ଏଣୁ ଏ ପରିପ୍ରେକ୍ଷୀରେ ସବୁଠାରୁ ବଡ଼ କଥା ହେଲା ହାତୀ-ମଣିଷ ସ˚ଘାତରେ ସରକାରୀ ବିଭାଗ ଦ୍ବାରା ପରିଚାଳନାଗତ ଉତ୍କର୍ଷର ପ୍ରଦର୍ଶନ, ଯହିଁରେ ତତ୍ପରତା ପ୍ରକାଶ ପାଇବା ଉଚିତ।

କୁମୁଦ ପ୍ରଧାନଙ୍କ ଭଳି ଚାଷୀ ତାଙ୍କ ସ୍ବୀୟ ଉଦ୍ୟମରେ ଫସଲ କ୍ଷତିକୁ ହାତୀ ଦାଉରୁ ରକ୍ଷା କରିବାରେ ସଫଳ ହୋଇ ଅନ୍ୟ ଚାଷୀମାନଙ୍କ ଲାଗି ଏକ ବିକଳ୍ପ ରଖିଛନ୍ତି। ଅବଶ୍ୟ ଗଲା ଶତାବ୍ଦୀର ନବମ ଦଶକରୁ ରାଜ୍ୟ ସରକାରଙ୍କ ପକ୍ଷରୁ ହାତୀ ଉପଦ୍ରୁତ ଅଞ୍ଚଳରେ ବିକଳ୍ପ ଚାଷ ଲାଗି ଉଦ୍ୟମ ଆରମ୍ଭ ହୋଇଛି; କିନ୍ତୁ ତାହା ଆଶାନୁରୂପକ ଫଳ ଦେଖାଇ ପାରି ନାହିଁ। ତେବେ, ଏ ସ˚ଦର୍ଭରେ ଅଜୟ ଦେଶାଇଙ୍କ ଭଳି ହାତୀ ବିଶାରଦ କର୍ଣ୍ଣାଟକର ଏକ ଦୃଷ୍ଟାନ୍ତ ଦେଇ ଏକ ବିପରୀତ ମତ ରଖିବା ସହିତ କହିଥାନ୍ତି ଯେ ଏ ପଦ୍ଧତି ସର୍ବଦା ସଫଳ ହୋଇ ନପାରେ। କାରଣ କର୍ଣ୍ଣାଟକରେ ହାତୀମାନଙ୍କୁ ଚାଷ ଜମିରୁ ଦୂରେଇ ରଖିବା ଲାଗି କରାଯାଇଥିବା କଫି ଚାଷ ଯଦିଓ କିଛି ବର୍ଷ ଲାଗି ସଫଳ ସାବ୍ୟସ୍ତ ହୋଇଥିଲା, ହାତୀମାନେ ଥରେ କଫି ବିନ୍‌ର ସ୍ବାଦ ଆସ୍ବାଦନ କଲା ପରେ ସେମାନଙ୍କୁ ରୋକିବା ଆଉ ସମ୍ଭବ ହୋଇ ନ ଥିଲା। କିନ୍ତୁ କୁମୁଦଙ୍କ ‘ଲେମ୍ବୁ’ ବିରୋଧ ଦୀର୍ଘ କାଳ ଧରି ସଫଳ ହୋଇ ରହିଛି। ବୋଧହୁଏ, ମାଦକତା ପ୍ରିୟ ହାତୀଙ୍କ ଲାଗି କଫିରେ ଥିବା କାଫେନ୍‌ର ଆକର୍ଷଣ ଖଟା ଲେମ୍ବୁର ସାଇଟ୍ରିକ ଏସିଡରେ ନାହିଁ।

ସମ୍ବନ୍ଧିତ ଖବର