ଏହି ପୃଷ୍ଠଭୂମିରେ ଭାରତର ନେତୃତ୍ବରେ ‘ଜି-୨୦’ ନାମକ ପୃଥିବୀର ପ୍ରମୁଖ ଓ ଶକ୍ତିଶାଳୀ ରାଷ୍ଟ୍ରମାନଙ୍କର ଏକ ଗେ‌ାଷ୍ଠୀ ଆଫ୍ରିକାର ସମସ୍ତ ୫୫ଟି ଦେଶମାନଙ୍କର ପ୍ରତିନିଧିତ୍ବ କରୁଥିବା ‘ଆଫ୍ରିକାନ୍‌ ୟୁନିଅନ୍‌’କୁ ବିଧିବଦ୍ଧ ସଦସ୍ୟ ରୂପେ ଗ୍ରହଣ କରିବା କେବଳ ଭାରତ କିମ୍ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିମ୍ବା ‘ଜି-୨୦’ର ଏକ ଅତୁଳନୀୟ ଉପଲବ୍‌ଧି, ତାହା ନୁହେଁ, ଏହା ହେଉଛି ଉପରୋକ୍ତ ପ୍ରବାସୀମାନେ ଦୀର୍ଘ କାଳ ଧରି ନିଜର ମୂଳ ପରିବାରବର୍ଗଙ୍କ ପ୍ରତି ଆଚରଣ କରି ଆସିଥିବା ପାପ ପ୍ରକ୍ଷାଳନ ଦିଗରେ ଏକ ବିଳମ୍ବିତ କିନ୍ତୁ ନିଶ୍ଚିତ ପଦକ୍ଷେପ। ‘ଜି-୨୦’ର ଏହି ସ୍ଥାୟୀ ସଦସ୍ୟ ପଦ ହେଉଛି ଏକ ମହାଦେଶର ଅଭ୍ୟୁତ୍‌ଥାନକୁ ସ୍ବୀକୃତି ପ୍ରଦାନ ସ୍ବରୂପ, ଯାହାର ୧୩୦ କୋଟି ସଂଖ୍ୟକ ଜନସଂଖ୍ୟା ୨୦୫୦ ବେଳକୁ ଦ୍ବିଗୁଣିତ ହୋଇ ପୃଥିବୀର ଜନସଂଖ୍ୟାର ଏକ-ଚତୁର୍ଥାଂଶରେ ପରିଣତ ହେବାକୁ ଯାଉଛି।

Advertisment

ବୈଜ୍ଞାନିକମାନଙ୍କ ଭାଷାରେ ଆମେ ମନୁଷ୍ୟମାନେ ହେଉଛୁ ‘ହୋମୋ ସାପିଏନ୍‌ସ’। ସେମାନେ ପ୍ରାୟ ଏକମତ ଯେ ପ୍ରାୟ ଦୁଇ ଲକ୍ଷ ବର୍ଷ ତଳେ ପୃଥିବୀ ନାମକ ଗ୍ରହର ଯେଉଁ ଅଞ୍ଚଳରେ ବିବର୍ତ୍ତନ ପ୍ରକ୍ରିୟାରେ ଅନ୍ୟ କୌଣସି ଏକ ମାନବ ଜାତୀୟ ପ୍ରାଣୀ (ବୋଧହୁଏ ‘ହୋମୋ ହାଇଡେଲ୍‌ବର୍ଗେନ୍‌ସିସ୍‌’)ରୁ ‘ହୋମୋ ସାପିଏନ୍‌ସ’ର ପ୍ରଥମ ଆବିର୍ଭାବ ଘଟିଲା, ତାହା ହେଉଛି ଆଫ୍ରିକା। ବୈଜ୍ଞାନିକମାନେ ମଧ୍ୟ ଏକମତ ଯେ ଏଇ ମାତ୍ର ପ୍ରାୟ ୭୦,୦୦୦ ବର୍ଷ ତଳେ ଏହି ‘ହୋମୋ ସାପିଏନ୍‌ସ’ମାନେ ପୂର୍ବ ଆଫ୍ରିକାରୁ ଆସି ଆରବ ଉପଦ୍ବୀପ ଅଞ୍ଚଳରେ ପ୍ରବେଶ କଲେ ଓ ସମୟ କ୍ରମେ ସେଠାରୁ ବାହାରି ଇଉରେସୀୟ ଅଞ୍ଚଳରେ ଖେଳାଇ ହୋଇଗଲେ। ଏ ସମସ୍ତ ଅଞ୍ଚଳରେ ପୂର୍ବରୁ ଯେଉଁ ‘ହୋମୋ’ ଶ୍ରେଣୀର ବା ମନୁଷ୍ୟଜାତୀୟ ପ୍ରାଣୀମାନେ ଆତଯାତ ହେଉଥିଲେ, କାଳ କ୍ରମେ ସେମାନେ ସମସ୍ତେ ଲୋପ ପାଇଯାଇ ସାରା ପୃଥିବୀରେ କେବଳ ‘ହୋମୋ ସାପିଏନ୍‌ସ’ମାନେ - ଅର୍ଥାତ୍‌ ଆମେମାନେ - ବର୍ତ୍ତମାନ ଆଧିପତ୍ୟ ବିସ୍ତାର କରୁଛନ୍ତି।
ଏକ ପ୍ରକାର କହିବାକୁ ଗଲେ ବର୍ତ୍ତମାନ ଏସିଆ, ଇଉରୋପ, ଆମେରିକା ଆଦି ଆଫ୍ରିକା ମହାଦେଶ ବାହାରେ ଥିବା ପୃଥିବୀର ସମସ୍ତ ଅଞ୍ଚଳରେ ରହୁଥିବା ସମସ୍ତ ମନୁଷ୍ୟମାନେ ହେଉଛନ୍ତି ପ୍ରବାସୀ ମନୁଷ୍ୟ। ପୃଥିବୀ‌େର ଏଇ ବୁଦ୍ଧିମାନ ମନୁଷ୍ୟମାନଙ୍କର କାର୍ଯ୍ୟକଳାପ ଓ ଆଚରଣର ଇତିହାସ ହେଉଛି ଅନ୍ୟାୟ, ଅତ୍ୟାଚାର, ନିଷ୍ଠୁରତା ଆଦିର ଏକ ଅବିରତ ଇତିହାସ। ଏହି ଇତିହାସର କିନ୍ତୁ ଯାହା ହେଉଛି ବୋଧହୁଏ ସର୍ବାଧିକ ଲଜ୍ଜାଜନକ ତଥା ନିଷ୍ଠୁର ବିଡ଼ମ୍ବନା, ତାହା ହେଉଛି ଆଫ୍ରିକାରେ ଛାଡ଼ି ଆସିଥିବା ନିଜର ସେଇ ମୂଳ ପରିବାର ପ୍ରତି ଏହି ପ୍ରବାସୀମାନେ ପ୍ରଦର୍ଶନ କରିଆସିଥିବା ଜଘନ୍ୟ ଆଚରଣ। ସଂକ୍ଷେପରେ କହିଲେ, ନିଜକୁ ସଭ୍ୟ, ଶିକ୍ଷିତ ଓ ଆଲୋକିତ ମନେ କରୁଥିବା ଏହି ପ୍ରବାସୀମାନେ ସେମାନେ ଛାଡ଼ି ଚାଲିଆସିଥିବା ନିଜର ସେଇ ମୂଳ ମୁଲକକୁ ନାମ ପ୍ରଦାନ କରିଥିଲେ: ‘ଅନ୍ଧାରି ମହାଦେଶ’।
ଏଇ ଅନ୍ଧାରି ମୁଲକର ଅଧିବାସୀମାନେ କେବଳ ଯେଉଁ ଗୋଟିଏ କାର୍ଯ୍ୟ ପାଇଁ ଯୋଗ୍ୟ ବିବେଚିତ ହେଉଥିଲେ, ତାହା ହେଲା ଏଇ ପ୍ରବାସୀମାନଙ୍କ ମଧ୍ୟରୁ କେତେକଙ୍କ ପାଇଁ କ୍ରୀତଦାସ ରୂପେ କାର୍ଯ୍ୟ କରିବା। ବ୍ରାଜିଲ୍‌ରୁ ଆମେରିକା ପର୍ଯ୍ୟନ୍ତ ଦେଶମାନଙ୍କର ଅର୍ଥନୀତିମାନ ଏଇ କ୍ରୀତଦାସମାନଙ୍କର ପଶୁସୁଲଭ ଶୋଷଣରେ ପରିପୁଷ୍ଟ ହୋଇଥିଲା। ମତ୍ସ୍ୟଜୀବୀମାନଙ୍କ ପାଇଁ ମାଛ ଭର୍ତ୍ତି ପୋଖରୀ ଭଳି କ୍ରୀତଦାସ ବେପାରୀମାନଙ୍କ ପାଇଁ ଆଫ୍ରିକା ଥିଲା ଏକ କ୍ରୀତଦାସ ଭର୍ତ୍ତି ପୋଖରୀ ପରି। ଇଉରୋପୀୟ ଦେଶମାନେ ଆଫ୍ରିକାକୁ ଖଣ୍ଡ ଖଣ୍ଡ କରି ନିଜ ନିଜ ମଧ୍ୟରେ ବାଣ୍ଟି ନେଇ ସେଠାରେ ରଚନା କରିଥିବା ଲୋମହର୍ଷଣକାରୀ ଶେ‌ାଷଣ ଓ ଅତ୍ୟାଚାରର ବର୍ଣ୍ଣନା କରିବା ସମ୍ଭବ ନୁହେଁ। ଆଫ୍ରିକାରେ ସେ ଅନ୍ଧାରି ଅଧ୍ୟାୟର ଅନ୍ତ ଘଟିବା ପରେ ଚୀନ୍‌ ବର୍ତ୍ତମାନ ‌େସଠାରେ ଅର୍ଥନୈତିକ ଶୋଷଣର ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଚେଷ୍ଟା ଚଳାଇଛି।
ଏହି ପୃଷ୍ଠଭୂମିରେ ଭାରତର ନେତୃତ୍ବରେ ‘ଜି-୨୦’ ନାମକ ପୃଥିବୀର ପ୍ରମୁଖ ଓ ଶକ୍ତିଶାଳୀ ରାଷ୍ଟ୍ରମାନଙ୍କର ଏକ ଗେ‌ାଷ୍ଠୀ ଆଫ୍ରିକାର ସମସ୍ତ ୫୫ଟି ଦେଶମାନଙ୍କର ପ୍ରତିନିଧିତ୍ବ କରୁଥିବା ‘ଆଫ୍ରିକାନ୍‌ ୟୁନିଅନ୍‌’କୁ ବିଧିବଦ୍ଧ ସଦସ୍ୟ ରୂପେ ଗ୍ରହଣ କରିବା କେବଳ ଭାରତ କିମ୍ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିମ୍ବା ‘ଜି-୨୦’ର ଏକ ଅତୁଳନୀୟ ଉପଲବ୍‌ଧି, ତାହା ନୁହେଁ, ଏହା ହେଉଛି ଉପରୋକ୍ତ ପ୍ରବାସୀମାନେ ଦୀର୍ଘ କାଳ ଧରି ନିଜର ମୂଳ ପରିବାରବର୍ଗଙ୍କ ପ୍ରତି ଆଚରଣ କରି ଆସିଥିବା ପାପ ପ୍ରକ୍ଷାଳନ ଦିଗରେ ଏକ ବିଳମ୍ବିତ କିନ୍ତୁ ନିଶ୍ଚିତ ପଦକ୍ଷେପ। ‘ଜି-୨୦’ର ଏହି ସ୍ଥାୟୀ ସଦସ୍ୟ ପଦ ହେଉଛି ଏକ ମହାଦେଶର ଅଭ୍ୟୁତ୍‌ଥାନକୁ ସ୍ବୀକୃତି ପ୍ରଦାନ ସ୍ବରୂପ, ଯାହାର ୧୩୦ କୋଟି ସଂଖ୍ୟକ ଜନସଂଖ୍ୟା ୨୦୫୦ ବେଳକୁ ଦ୍ବିଗୁଣିତ ହୋଇ ପୃଥିବୀର ଜନସଂଖ୍ୟାର ଏକ-ଚତୁର୍ଥାଂଶରେ ପରିଣତ ହେବାକୁ ଯାଉଛି।
ଦ୍ବିତୀୟ ବିଶ୍ବ ଯୁଦ୍ଧ ସମାପ୍ତ ହେବା ପରେ ଜାତିସଂଘ ସମେତ ଅନ୍ୟ ଯେଉଁ ସବୁ ଆନ୍ତର୍ଜାତିକ ଅନୁଷ୍ଠାନମାନ ପ୍ରତିଷ୍ଠିତ ହୋଇଥିଲା, ସେଥି ମଧ୍ୟରୁ କୌଣସିଟିରେ ହେଲେ ଆଫ୍ରିକୀୟ ଦେଶମାନଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକା‌ ପ୍ରଦାନ କରାଯାଇ ନ ଥିଲା, ଯେମିତି ଉଦାହରଣ ସ୍ବରୂପ ‘ଜାତିସଂଘ ନିରାପତ୍ତା ପରିଷଦ’। ଏପରିକି ବିଶ୍ବ ବ୍ୟାଙ୍କ୍‌ ଭଳି ଆନ୍ତର୍ଜାତିକ ବିତ୍ତୀୟ ଅନୁଷ୍ଠାନମାନେ ମଧ୍ୟ ଆଫ୍ରିକୀୟ ଦେଶମାନଙ୍କୁ ଋଣ ପ୍ରଦାନ କରିବା ପାଇଁ ଉଚ୍ଚତର ହାରରେ ସୁଧ ଦାବି କରିଥାନ୍ତି। ‘ଜି-୨୦’ ଗୋଷ୍ଠୀରେ ସ୍ଥାୟୀ ସଦସ୍ୟ ମାନ୍ୟତା ଆଫ୍ରିକା ସମ୍ମୁଖୀନ ହୋଇ ଆସୁଥିବା ଏହି ଅସନ୍ତୁଳିତ ଚିତ୍ରରେ କିଛି ମାତ୍ରାରେ ସନ୍ତୁଳନ ଆଣିବାରେ ସହାୟକ ହେବ।
କେବଳ ଆଫ୍ରିକା ନୁହେଁ, ସମଗ୍ର ପୃଥିବୀର ଅର୍ଥନୀତିରୁ ଆରମ୍ଭ କରି ପରିବେଶ ପର୍ଯ୍ୟନ୍ତ ମଧ୍ୟ ଏହାର ସୁଫଳ ଉପ‌େଭାଗ କରିବେ। ‘ଜି-୨୦’ର ସଦସ୍ୟ ରୂପେ ‘ଆଫ୍ରିକାନ୍‌ ୟୁନିଅନ୍‌’ ପୃଥିବୀର ବୃହତ୍ତମ ଅବାଧ ବାଣିଜ୍ୟ ଅଞ୍ଚଳର ପ୍ରତିନିଧିତ୍ବ କରିବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୃଥିବୀର ଜଳବାୟୁ ପରିବର୍ତ୍ତନ ସମସ୍ୟା ପ୍ରତି ଆଫ୍ରିକାର ଅବଦାନ ସର୍ବନିମ୍ନ ହୋଇଥିବା ବେଳେ ଏହି ମହାଦେଶର ଅଧିବାସୀମାନେ ଏହାର ସର୍ବାଧିକ କୁପରିଣାମ ଭୋଗ କରିଥାନ୍ତି। କିନ୍ତୁ ପ୍ରକୃତିର ଆଫ୍ରିକା ପ୍ରତି ଏକ ଶୁଭଦୃଷ୍ଟି ସଦୃଶ ଜଳବାୟୁ ପରିବର୍ତ୍ତନ ସହିତ ଲଢ଼ିବା ପାଇଁ ପୃଥିବୀବାସୀ ଯେଉଁ ସବୁ ସମ୍ବଳ ଆବଶ୍ୟକ କରନ୍ତି, ତାହାର ଏକ ବିଶେଷ ଅଂଶ ମହଜୁଦ ଅଛି ଆଫ୍ରିକାରେ। ସୌରଶକ୍ତିରୁ ବାୟୁଶକ୍ତି ପର୍ଯ୍ୟନ୍ତ ପୃଥିବୀର ଅକ୍ଷୟ ଶକ୍ତି ସମ୍ପଦର ପ୍ରାୟ ୬୦ ଶତାଂଶ ଉପଲବ୍‌ଧ ଅଛି ଆଫ୍ରିକାରେ ଏବଂ ଅକ୍ଷୟ ତଥା ଅଙ୍ଗାର-ନୀଚା ପ୍ରବିଧି ପାଇଁ ଆବଶ୍ୟକ ଖଣିଜ ପଦାର୍ଥମାନଙ୍କର ୩୦ ଶତାଂଶରୁ ଅଧିକ ଗଚ୍ଛିତ ଅଛି ଆଫ୍ରିକାର ଭୂମିରେ। ବିଦ୍ୟୁତ୍‌-ଚାଳିତ ଗାଡ଼ିମାନଙ୍କରେ ବ୍ୟବହୃତ ଲିଥିଅମ୍‌-ଆଇଅନ୍‌ ବ୍ୟାଟେରି ପାଇଁ ଅତ୍ୟାବଶ୍ୟକ ହୋଇଥିବା ଧାତୁ କୋବାଲ୍‌ଟ ସାରା ପୃଥିବୀରେ ଯେତିକି ଉପଲବ୍‌ଧ, ତା’ର ପ୍ରାୟ ଅର୍ଦ୍ଧେକ ଗଚ୍ଛିତ ଅଛି କଙ୍ଗୋରେ। ଏ ପର୍ଯ୍ୟନ୍ତ ବାହାର ଦେଶର କମ୍ପାନିମାନେ ଆଫ୍ରିକାରୁ ଏହି ସମସ୍ତ କଞ୍ଚାମାଲ ଶସ୍ତା‌େର ସଂଗ୍ରହ କରି ବିଦେଶରେ ତାହାର ପ୍ରକ୍ରିୟାକରଣ କରି ବେଶ୍‌ ଲାଭ ଅର୍ଜନ କରିବାରେ ଲାଗିଛନ୍ତି। ଆଫ୍ରିକୀୟ ନେତାମାନେ ଏବେ ଚାହୁଁଛନ୍ତି ଯେ ସେମାନଙ୍କ ଦେଶ ଭିତରେ ହିଁ ଏ ସବୁ ଶିଳ୍ପର ବିକାଶ ଘଟି ସେଠାରେ ଅର୍ଥନୈତିକ ବିକାଶକୁ ତ୍ବରାନ୍ବିତ କରୁ।
ଆନ୍ତର୍ଜାତିକ ଦୃଷ୍ଟି ଅନ୍ତରାଳରେ ଥିବାରୁ ଆଫ୍ରିକୀୟ ଦେଶମାନଙ୍କରେ ଅଧିକ ରାଜନୈତିକ ଅସ୍ଥିରତା ଦେଖାଯିବା ସହିତ ସେଠାରେ ଗଣତନ୍ତ୍ର ମଧ୍ୟ ଚେର ବିସ୍ତାର କରି ପାରୁନାହିଁ ବୋଲି ବିଶ୍ବାସ କରାଯାଏ। ‘ଜି-୨୦’ରେ ସଦସ୍ୟ ପଦ ଯଦି ସେଥିରେ ଉନ୍ନତି ଘଟାଏ, ତେବେ ଆଫ୍ରିକାର ଜନସାଧାରଣଙ୍କ ପାଇଁ ତାହା ହେବ ସବୁଠାରୁ ବଡ଼ ଉପହାର।