ଚରିତ୍ରକୁ ଅନୁଭବ କରିବା ପାଇଁ ୪ଘଣ୍ଟା ଘରର ଶୌଚାଳୟ ଭିତରେ ବସି ରହୁଥିଲେ ‘ମର୍ଦାନୀ-୨’ର ଖଳନାୟକ ବିଶାଲ
ମୁମ୍ବାଇ: ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ କ୍ରାଇମ୍ ଡ୍ରାମା ‘ମର୍ଦାନୀ-୨’ ରିଲିଜ୍ ହୋଇ ସାରିଥିବା ବେଳେ ବକ୍ସ ଅଫିସରେ ତାହା ଭଲ ପ୍ରଦର୍ଶନ କରିବା ଆରମ୍ଭ କରିଛି। ଫିଲ୍ମରେ ଖଳଚରିତ୍ରରେ ନଜର ଆସିଥିବା ବିଶାଲ ଜେଠୱା ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିବାରେ ଲାଗିଛନ୍ତି। ତେବେ ପରଦାରେ ନିଜ ଚରିତ୍ରକୁ ଭଲ ଭାବରେ ଦେଖାଇବା ପାଇଁ ବିଶାଲ କେଉଁ ଭଳି ପ୍ରସ୍ତୁତ ହୋଇଥିଲେ, ତାହା ଏବେ ସେ ଜଣାଇଛନ୍ତି।

ତାଙ୍କ କହିବା ଅନୁଯାୟୀ, ମୋ ପାଇଁ ଏଭଳି ଚରିତ୍ର କରିବା କଷ୍ଟକର ଥିଲା। କିନ୍ତୁ ଅଭିନେତା ଭାବରେ ନିଜକୁ ପ୍ରମାଣ କରିବା ପାଇଁ ମୁଁ ଏହି ଚରିତ୍ରକୁ ସଫଳ କରିବାର ଚେଷ୍ଟା ଆରମ୍ଭ କରିଥିଲି। ମୋ ଚରିତ୍ରକୁ ଦେଖି ଲୋକେ ଯେମିତି ଘୃଣା କରନ୍ତୁ, ତାହା ମୁଁ ଚାହୁଁଥିଲି। ଫିଲ୍ମ ରିଲିଜ୍ ପରେ ତାହା ହିଁ ହେଲା। ଲୋକେ ଏବେ ସନ୍ନି ଚରିତ୍ରକୁ ଘୃଣା କରିବା ଆରମ୍ଭ କରିଛନ୍ତି। ନିଜକୁ ଏଭଳି ଏକ ଚରିତ୍ର ଭିତରକୁ ନେବା ମୋ ପାଇଁ ସହଜ ନ ଥିଲା। ପ୍ରତିଦିନ ସୁଟିଂ ସେଟରୁ ଘରକୁ ଯାଇ ମୁଁ ୪ ଘଣ୍ଟା ଶୌଚାଳୟରେ ବସି ସନ୍ନି ଭଳି ବ୍ୟବହାର କରିବାକୁ ଚେଷ୍ଟା କରୁଥିଲି ବୋଲି ସେ କହିଛନ୍ତି।