ପୁରସ୍କାର ରାଶିରେ ନିଜର ଋଣ ପରିଶୋଧ କରିବେ ସଲମାନ୍‌ ଅଲ୍ଲୀ

ନୂଆଦିଲ୍ଲୀ: ସୋନି ଟିଭିରେ ପ୍ରସାରିତ ସଙ୍ଗୀତଭିତ୍ତିକ ରିଆଲିଟି ସୋ’‘ଇଣ୍ଡିଆନ୍ ଆଇଡଲ୍’ର ଦଶମ ସଂସ୍କରଣରେ ହରିୟାଣାର ସଲମାନ୍‌ ଅଲ୍ଲୀ ବିଜେତା ଘୋଷିତ ହୋଇଛନ୍ତି। ସେ ଏହି ପୁରସ୍କାର ବାବଦରେ ୨୫ ଲକ୍ଷ ଟଙ୍କାର କ୍ୟାସ୍ ଏବଂ ଏକ ଡାଟ୍ସନ୍ ଗୋ କାର୍ ପାଇଛନ୍ତି। ଏବେ ସଲମାନ୍‌ ଅଲ୍ଲୀ ଏହି ଅର୍ଥରାଶିର କିଭଳି ଉପଯୋଗ କରିବେ ତାହା ଜାଣିବାକୁ ଚାହାଁନ୍ତି ଲୋକେ। ଏସଂପର୍କରେ ସଲମାନ୍‌ କହିଛନ୍ତି ଯେ ତାଙ୍କ ଘରର ଅବସ୍ଥା ଭଲ ନୁହେଁ। ସେମାନେ ଋଣଭାରରେ ପଡ଼ିଛନ୍ତି। ଏଣୁ ଆଗେ ସେହି ଋଣ ପରିଶୋଧ କରିବେ। ନିଜର ଘରର ମରାମତି କରିବେ ସେ। ତା’ଛଡ଼ା ବଲିଉଡରେ କିଛି ଭଲ କାମ କରିବାକୁ ତାଙ୍କର ଇଚ୍ଛା ରହିଛି ବୋଲି ସଲମାନ୍‌ କହିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ‘ଇଣ୍ଡିଆନ୍ ଆଇଡଲ୍’ର ଦଶମ ସଂସ୍କରଣରେ ଅନ୍ୟ ୪ ଜଣ ଫାଇନାଲିଷ୍ଟ ନୀତୀନ୍ କୁମାର, ଅଙ୍କୁଶ ଭରଦ୍ୱାଜ, ନୀଲାଞ୍ଜନା ରାୟ ଏବଂ ବିଭୋର୍ ପରାସରଙ୍କୁ ପଛରେ ପକାଇ ୨୦ ବର୍ଷୀୟ ସଲମାନ୍‌ ବିଜୟୀ ହୋଇଛନ୍ତି। ବଲିଉଡ୍ ପ୍ରଚ୍ଛଦପଟ ଗାୟକ ବିଶାଲ ଡଡ୍ଲାନି ଏବଂ ନେହା କକ୍କର ତାଙ୍କର ନାମ ଘୋଷଣା କରିଥିଲେ। ଚୂଡ଼ାନ୍ତ ପର୍ଯ୍ୟାୟକୁ ଅଙ୍କୁଶ ଭରଦ୍ୱାଜ, ଓ ସଲମାନ୍‌ ଅଲ୍ଲୀ ଉନ୍ନୀତ ହୋଇଥିଲେ। ଶେଷରେ ଅଙ୍କୁଶଙ୍କୁ ସଲମାନ୍‌ ହରାଇଦେଇଥିଲେ। ଗ୍ରାଣ୍ଡ୍ ଫିନାଲେରେ ଶାହରୁଖ୍ ଖାନ୍, କାଟ୍ରିନା କୈଫ୍ ଏବଂ ଅନୁଷ୍କା ଶର୍ମା ଉପସ୍ଥିତ ହୋଇ ଦର୍ଶକଙ୍କର ମନୋରଞ୍ଜନ କରିଥିଲେ।

ସମ୍ବନ୍ଧିତ ଖବର