ପହିଲି ପୁଲକ: ଥିଏଟର ଜଗତରେ ମଧୁସ୍ମିତା, ସିରିଏଲ୍ ଓ ସିନେମାରେ ମାମା

ମାମା, ଅଭିନେତ୍ରୀ

ମୋର ଉଚ୍ଚଶିକ୍ଷା ପରେ ମୁଁ ଦିଲ୍ଲୀ ଯାଇକି ଜବ୍ କରିବାକୁ ଚାହୁଥିଲି। ହେଲେ ମୋ ସ୍ବାମୀ କହିଲେ ନା ଏଇଠି ରହିକି ତୁମେ ଆକ୍ଟିଂ ଉପରେ ଧ୍ୟାନ ଦିଅ। ଚଳଚ୍ଚିତ୍ର ‘ବାଳୀ’ରେ ମୋତେ ସୁଯୋଗ ମିଳିଲା। ମୁଁ ସିନେମାର ହିରୋଇନ୍ ହେବି କେବେ ବି ଭାବି ନ ଥିଲି। ଥିଏଟରରେ ଅଭିନୟ କରିବା ସହ ମୁଁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିଖୁଥିଲି। ଘରେ କହିଲି ଚଳଚ୍ଚିତ୍ରରେ ଅଭିନୟ କରିବାକୁ ହେଲେ ମୋତେ ଅତିକମରେ ତିନି ମାସରୁ ଛ’ମାସ ସମୟ ଦରକାର। ହିରୋଇନ୍ ହେବାକୁ ହେଲେ ଦକ୍ଷତା ଓ ଅଭିଜ୍ଞତା ଦରକାର। ମୁଁ ଠାକୁରଙ୍କ ପାଖରେ ବସିକି କହିଥିଲି, ହେ ଠାକୁରେ ତୁମେ ଯଦି ଆଶୀର୍ବାଦ କରିବ ହୁଏତ ମୁଁ ସିନେମାରେ ହିରୋଇନ୍ ହେଇପାରିବି। ମୁଁ ଥିଏଟର ଓ ସିରିଏଲ୍‌ରେ ଅଭିନୟ କରିଥିଲି, ‌ମୋର କିଛିଟା ଅଭିଜ୍ଞତା ଥିଲେ ମଧ୍ୟ ନିର୍ଦ୍ଦେଶକ କହିଲେ ସିନେମାରେ ଆକ୍ଟିଂ କରିବା ଟିକେ ଅଲଗା। ଏତେବଡ଼ ୟୁନିଟ୍‌ରେ କାମ କରିବା ମୋ ପାଇଁ ଚିନ୍ତାଜନକ ଥିଲା। କ୍ୟାରିୟରର ପ୍ରଥମ ଫିଲ୍ମରେ ପୁଣି କେ. ମୁରଲୀକ୍ରିଷ୍ଣନ୍‌ଙ୍କ ସହ କାମ କରିବାର ସୁଯୋଗ ମିଳିଲା। କାମ ସରିଲା। ଫିଲ୍ମର ର’ କପିଟା ଆମ ଘରକୁ ଆସିଲା। ଯଦିଓ ‘ବାଳୀ’ ଏକ ହିରୋ ଓରିଏଣ୍ଟେଡ୍ ଫିଲ୍ମ ଥିଲା, ଏଥିରେ ହିରୋଇନ୍‌ର ଭୂମିକା କେବଳ ଗ୍ଲାମର ପାର୍ଟରେ ହିଁ ଥିଲା‌। ଏଥିରେ ମୁଁ ପ୍ରଚ୍ଛଦପଟରେ ମଧ୍ୟ ମୋ ଚରିତ୍ର ପାଇଁ କଣ୍ଠଦାନ କରିଛି।

ବଜାରରେ ଯାଇ ଦେଖିଲି ହୋଡିଂରେ ମୋ ଫଟୋ ଲାଗିଛି, ମୁଁ ମୋ ଫଟୋ ଦେଖି ଆତ୍ମହରା ହେଇଯାଇଥିଲି। ମଣିଷ ସକାରାତ୍ମକ ମନରେ ଯାହା ଭାବେ ତାହା ପାଏ। ବୃନ୍ଦାବନ ଟକିଜ୍‌ରେ ‘ବାଳୀ’ ଚଳଚ୍ଚିତ୍ର ଦେଖିବା ବେଳେ ଶୁଭ୍ରାଂଶୁ ଭାଇ ଓ ଚିନ୍ତାମଣି ଭାଇନା କହି‌େଲ, ମାମା  ତୁମ ଦକ୍ଷତା ଓ ପ୍ରଚେଷ୍ଟା ଶହେ ପ୍ରତିଶତ ଦେଇଛ। ଏହା ଶୁଣି ମୋର ବିଶ୍ବାସ ହେଲା ଯାହାହେଉ ମୁଁ ଚଳଚ୍ଚିତ୍ରରେ ଅଭିନୟ କରିପାରିବି। ଭଗବାନ ଯେଉଁ କଳା ଦେଇଛନ୍ତି ତାହା ବଡ଼ କାମରେ ଲାଗିବ। ଏହାପରେ ଭୁବନେଶ୍ବରର ଏକ ଷ୍ଟାର ଟକିଜ୍‌ରେ ଏଇ ଚଳଚ୍ଚିତ୍ରଟି ଦେଖିବା ପରେ ମୁଁ ଆହୁରି ଆତ୍ମବିଭୋର ହେଲି। ବଡ଼ ଜରୁରୀ କଥା ହେଉଛି ପ୍ରଥମ ଅଭିଜ୍ଞତା ମୋତେ ଶିଖାଇଦେଲା କ’ଣ ମୋତେ କରିବାକୁ ପଡ଼ିବ। ଭାବିଲି ମୁଁ ମୋର ଆଗାମୀ ପଦକ୍ଷେପ ଆହୁରି ଭଲ କରି ନେବି। ‘ବାଳୀ’ ଫିଲ୍ମ ପରେ ମୋର ମାନସିକ ଅବସ୍ଥାରେ ବହୁତ ପରିବର୍ତ୍ତନ ଆସିଗଲା। ଏହା ମୋତେ ନିଜର ସରଳ ସ୍ବଭାବ ପ୍ରୟୋଗ କରିବା ଶିଖାଇଦେଲା। ଜଣେ କଳାକାରକୁ ନିର୍ମାତା ବା ନିର୍ଦ୍ଦେଶକ ଯାହା କହିବେ ସେ ତ କରିବାକୁ ବାଧ୍ୟ। ମୁଁ ମଧ୍ୟ କରିଥିଲି।

ଥିଏଟର ଜଗତରେ ମୁଁ ମଧୁସ୍ମିତା ନାମରେ ଅଭିନୟ କରୁ କରୁ ମୋର ଡାକନାମ ମାମା ନାଁରେ ପରିଚୟ ସୃଷ୍ଟିହେଲା। ଉତ୍ତର ପୁରୁଷ ନାଟ୍ୟାନୁଷ୍ଠାନର ଅଭିନ୍ନ ରାଉତରାୟଙ୍କ ନିର୍ଦ୍ଦେଶିତ ନାଟକ ‘ଦୁଇଟି ସୁର୍ଯ୍ୟଦଗ୍ଧ ଫୁଲ’ରେ ମୋତେ ମିଳିଥିଲା ମୁଖ୍ୟ ନାୟିକାର ଭୂମିକା। ନାଟକଟି ନ୍ୟାସ୍‌ନାଲ୍‌ ସ୍କୁଲ ଅଫ୍ ଡ୍ରାମା ଦ୍ବାରା ଆୟୋଜିତ ଅନ୍ତର୍ଜାତୀୟ ନାଟକ ଉତ୍ସବରେ ମଞ୍ଚସ୍ଥ ହେଇଥିଲା। ପରେ ଅାଧେ ଅଧୁରା, ଚିଠି ଆଦି ନାଟକରେ ମୁଁ ଅଭିନୟ କରିଥିଲି। ଦୂରଦର୍ଶନ ଏବଂ କିଛି ଘରୋଇ ଚ୍ୟାନେଲ୍‌ରେ ପ୍ରସାରିତ ଟିଭି ସୋ’ରେ ହୋଷ୍ଟିଙ୍ଗ୍ କରିବା ସହ ହିନ୍ଦୀ ଧାରାବାହିକରେ ମଧ୍ୟ ମୁଁ ଅଭିନୟ କରିଛି। ଉପସ୍ଥାପନା ଓ ଅଭିନୟ ବ୍ୟତୀତ ମୋର ଗୀତ ଗାଇବାରେ ମଧ୍ୟ ‌ରୁଚି ରହିଛି। ମୁଁ ଏବେ ବି କୃଷ୍ଣ ସାର୍‌ଙ୍କଠାରୁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିଖୁଛି। ସାଧାରଣ ଶିକ୍ଷାକୁ ନେଇ ମୁଁ ସି‌ନା ସେ କ୍ଷେତ୍ରରେ ନାହିଁ କିନ୍ତୁ ଆଶା ରଖିଛି ସଙ୍ଗୀତ ଓ ଅଭିନୟ କ୍ଷେତ୍ରରେ ରହି ମୁଁ ନିଜେ ଆତ୍ମସନ୍ତୋଷ ପାଇବା ସହ ଦର୍ଶକଙ୍କୁ ବିମୁଗ୍ଧ ଓ ବିମୋହିତ କରିବାରିବି।

ମୁଁ କାହାକୁ ଅନୁକରଣ କରିନି, ଯେତେବେଳେ ଯେଉଁ ଚରିତ୍ର ମିଳିଛି ମୋ ଶୈଳୀରେ କରିଛି। ମନେ ଅଛି ‘ବାଳୀ’ ଚଳଚ୍ଚିତ୍ରରେ ଯେଉଁ ପ୍ରଥମ ଡ୍ୟାନ୍ସ ଆଇଟମ୍ ଥିଲା, ମୋତେ ସନ୍ଦେହ ଥିଲା ମୁଁ ଡ୍ୟାନ୍ସ କରିପାରିବି ନା ନାହିଁ। କିନ୍ତୁ କ୍ୟାମେରା ସାମ୍ନାକୁ ଗଲା ପରେ ମୋ ଡ୍ୟାନ୍ସ କି ଯାଦୁ କଲା, ୟୁନିଟ୍ ମେମ୍ବର ଓ ଦର୍ଶକ ସମସ୍ତେ ଆସି କହିଲେ-ଆଃ ମାମା ତୁମ ନୃତ୍ୟ ଅତ୍ୟନ୍ତ ଯାଦୁକରୀ। ମୁଁ ବି ପରଦାରେ ଦେଖି ଚକିତ ହେଇଯାଇଥିଲି।

ସମ୍ବନ୍ଧିତ ଖବର