ହଲିଉଡ୍‌ ହିରୋଙ୍କୁ ଅଡୁଆରେ ପକାଇଲା ଭାରତୀୟ ପାନ ମସଲା !

ନୂଆଦିଲ୍ଲୀ : ଜେମ୍‌ସ୍‌ ବଣ୍ଡ୍‌ ସିରିଜ୍‌ର ବହୁ ଛବିରେ ଜେମ୍‌ସ ବଣ୍ଡ ଭୁମିକାରେ ଅଭିନୟ କରି ବିଶ୍ୱବାସୀଙ୍କ ମନ ଜିଣିଥିବା ହଲିଉଡ୍‌ ଅଭିନେତା ପିୟର୍ସ ବ୍ରସ୍‌ନାନ୍‌ଙ୍କୁ ଅଡୁଆରେ ପକାଇ ଦେଇଛି ଏକ ଭାରତୀୟ ପାନମସଲା ପ୍ରସ୍ତୁତ କରୁଥିବା କମ୍ପାନିି । ଏହି କମ୍ପାନି ପ୍ରସ୍ତୁତ କରୁଥିବା ପାନ ମସଲାର ବିଜ୍ଞାପନରେ ଅଭିନୟ କରିଥିଲେ ବ୍ରସନାନ୍‌ । ଟିଭି ଚାନେଲ ଗୁଡ଼ିକରେ ଏହା ପ୍ରସାରିତ ହୋଇ ବେଶ୍‌ ଲୋକପ୍ରିୟ ହୋଇଥିଲା। ଏହି ବିଜ୍ଞାପନରେ ଅଭିନୟ କରିବା ପରେ ବ୍ରସନାନ୍‌ଙ୍କୁ ଦିଲ୍ଲୀ ରାଜ୍ୟ ତମାଖୁ ନିୟନ୍ତ୍ରଣ ସେଲ୍‌ ପକ୍ଷରୁ ଏକ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା । ଜଣେ ଲୋକପ୍ରିୟ ସିନେ-ତାରକା ହୋଇ ସେ କିଭଳି ପାନ-ମସଲା ଭଳି ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ ଦ୍ରବ୍ୟର ବ୍ୟବହାର ଲାଗି ଲୋକଙ୍କୁ ପ୍ରବର୍ତ୍ତାଉଛନ୍ତି ତାହାର ଉତ୍ତର ରଖିବା ଲାଗି କୁହାଯାଇଥିଲା ।

ଏହି କାରଣ ଦର୍ଶାଅ ନୋଟିସ୍‌ର ଉତ୍ତରରେ ପିୟର୍ସ ବ୍ରସନାନ ଲିଖିତ ଭାବେ ଜଣାଇଛନ୍ତି କି ‘ପାନମସଲା କମ୍ପାନି ମତେ ଠକିଛନ୍ତି । ମୁଁ ଯେଉଁ ଦ୍ରବ୍ୟ ଲାଗି ବିଜ୍ଞାପନ କରୁଥିଲି, ତାହା ଏତେ କ୍ଷତିକାରକ ବୋଲି କମ୍ପାନି ମତେ ଜଣାଇନଥିଲା ।’ ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ଉକ୍ତ ପାନ ମସଲା କମ୍ପାନି ସହ ମୋର ଚୁକ୍ତି ସମାପ୍ତ ହୋଇଛି ତେଣୁ ସେ ବର୍ତ୍ତମାନ ତମାଖୁ ନିୟନ୍ତ୍ରଣ ସେଲ ସହ ଏ ନେଇ ସବୁ କାର୍ଯ୍ୟରେ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି ।

ଉଲ୍ଲେଖଯୋଗ୍ୟ କି ସିଗାରେଟ ଓ ଅନ୍ୟ ତମାଖୁ ଆଇନ ( କୋଟ୍‌ ପା) ୨୦୦୩ର ଧାରା ୫ ଅନୁଯାୟୀ ତମାଖୁ ଭଳି ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ ଦ୍ରବ୍ୟର ବିଜ୍ଞାପନ ଏକ ଦଣ୍ଡନୀୟ ଅପରାଧ । ତେଣୁ କେନ୍ଦ୍ର ସରକାରଙ୍କ ତମାଖୁ ନିୟନ୍ତ୍ରଣ ବିଭାଗ ପକ୍ଷରୁ ସେଲିବ୍ରିଟିମାନଙ୍କୁ ପାନମସଲା ଭଳି ବିଜ୍ଞାପନ ନ କରିବାକୁ ଅନୁରୋଧ କରାଯାଇଛି ।

ସମ୍ବନ୍ଧିତ ଖବର