ଆମେ ଲରେନ୍ସକୁ ଶେଷ କରିଦେବୁ; ସଲମାନଙ୍କୁ ଭେଟିବା ପରେ ଏଭଳି କହିଲେ ମୁଖ୍ୟମନ୍ତ୍ରୀ ସିନ୍ଦେ

ମୁମ୍ବାଇ: ଜଣାଶୁଣା ଚଳଚ୍ଚିତ୍ର ଅଭିନେତା ସଲମାନ ଖାନ୍‌ଙ୍କ ବାନ୍ଦ୍ରାସ୍ଥିତ ଘର ଉପରକୁ ଲରେନ୍‌ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ସଦସ୍ୟମାନେ ଗୁଳିମାଡ଼ କରିଥିଲେ। ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ଏହା ଶେଷ ଚେତାବନୀ ବୋଲି ମାଫିଆ ଡନ୍‌ ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନ୍‌ମୋଲ ସାମାଜିକ ଗଣମାଧ୍ୟମରେ ଧମକ ଦେଇଥିଲା। ଏହି ଘଟଣା ପରେ ସୋମବାର ସଲମାନଙ୍କୁ ଭେଟିବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଥିଲେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ।

ଏହାର ଭିଡିଓ ଏବେ ସାମ୍ନାକୁ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଉଭୟ ସଲମାନ ଓ ସଲିମ ଖାନଙ୍କୁ ଭେଟିଥିବା ଦେଖାଯାଇଛି। ଦେଖା କରିବା ପରେ ସିନ୍ଦେ କହିଛନ୍ତି ଯେ, “ମୁଁ ସଲମାନ ଖାନଙ୍କୁ କହିଛି ଯେ ସରକାର ଆପଣଙ୍କ ସହ ଅଛନ୍ତି। ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ପଚରାଉଚରା କରାଯିବ। କାହାରିକୁ ଛଡ଼ାଯିବ ନାହିଁ। ଏହି ପରି କାହାକୁ ଟାର୍ଗେଟ କରିବା ଉଚିତ ନୁହେଁ। କୌଣସି ଗ୍ୟାଙ୍ଗ କିମ୍ବା ଗ୍ୟାଙ୍ଗ ୱାରକୁ ଅନୁମତି ଦିଆଯିବ ନାହିଁ। ଆମେ ଏହା ହେବାକୁ ଦେବୁ ନାହିଁ। ଆମେ ଲରେନ୍ସ ବିଷ୍ଣୋଇକୁ ଶେଷ କରିବୁ।”

ଉଲ୍ଲେଖଯୋଗ୍ୟ, ରବିବାର ଭୋର ୪ଟା ୫୧ ମିନିଟରେ ସଲମାନଙ୍କ ଗ୍ୟାଲେକ୍ସି ଆପାର୍ଟମେଣ୍ଟ୍‌ର ବାହାରେ ଗୁଳିମାଡ଼ ହୋଇଥିଲା। ଆଖପାଖର ସିସିଟିଭି ଯାଞ୍ଚ ପରେ ଦୁଇଜଣ ମୋଟରସାଇକେଲ ଆରୋହୀ ସଲମାନଙ୍କ ଘରକୁ ଲକ୍ଷ୍ୟ କରି ଗୁଳି କରିଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ପୁଲିସ ଆଖପାଖରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇଦେଇଥିଲା। କ୍ରାଇମ୍‌ ବ୍ରାଞ୍ଚ, ସ୍ଥାନୀୟ ପୁଲିସ ଓ ଫରେନ୍‌ସିକ୍‌ ଟିମ୍‌ ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ ଏବେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ପଚରାଉଚରାରୁ ଜଣାପଡ଼ିଛି ଯେ, ଆକ୍ରମଣର ୫ଦିନ ପୂର୍ବରୁ ଅଭିଯୁକ୍ତମାନେ ସଲମାନଙ୍କ ଗତିବିଧି ଉପରେ ନଜର ରଖିଥିଲେ।

ସମ୍ବନ୍ଧିତ ଖବର