୨ ଦିନିଆ ପୁଲିସ୍ ହେପାଜତରେ ଗଲେ କ୍ୟାଟ୍ରିନ୍ କୈଫ୍ ଓ ତାଙ୍କ ସ୍ବାମୀ ଭିକି କୌଶଲଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ
ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନ୍ କୈଫ୍ ଓ ତାଙ୍କ ସ୍ବାମୀ ଭିକି କୌଶଲଙ୍କୁ ହତ୍ୟା ଧମକ ଦେଇଥିବା କ୍ୟାଟ୍ରିନାଙ୍କ ଏକତରଫା ପ୍ରେମିକ ମାନ୍ଭିନ୍ଦେର ସିଂହଙ୍କୁ ମୁମ୍ବାଇ କୋର୍ଟ ୨ ଦିନଆ ପୁଲିସ୍ ହେପାଜତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ ଆଗାମୀ ୨୮ ତାରିଖ ପର୍ଯ୍ୟନ୍ତ ପୁଲିସ୍ ହେପାଜତରେ ରହିବେ। ଅଭିନେତ୍ରୀ କ୍ୟାଟ୍ରିନ୍ କୈଫ୍ ଓ ତାଙ୍କ ସ୍ବାମୀ ଭିକି କୌଶଲଙ୍କୁ ହତ୍ୟା ଧମକ ମିଳିବା ପରେ ଗତକାଲି ମୁମ୍ବାଇ ପୁଲିସ୍ ମାନ୍ଭିନ୍ଦେରଙ୍କୁ ଗିରଫ କରିଥିଲା।
ମାନ୍ଭିନ୍ଦେର ଗତକାଲି ଗିରଫ ହେବା ପରେ ଭିକି କହିଥିଲେ ଯେ ମାନ୍ଭିନ୍ଦେର ହେଉଛନ୍ତି ଜଣେ ଷ୍ଟ୍ରଗଲିଂ ଆକ୍ଟର। ସେ କ୍ୟାଟ୍ଙ୍କୁ ଏକତରଫା ପ୍ରେମ କରୁଥିଲେ ଓ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ସେହି କାରଣରୁ କ୍ୟାଟ୍ରିନାଙ୍କ ବିବାହ ପରେ ସେ ତାଙ୍କୁ ସୋସିଆଲ୍ ମିଡିଆରେ ହଇରାଣ କରିବା ଆରମ୍ଭ କରି ଦେଇଛନ୍ତି। ଉଭୟ ପତି-ପତ୍ନୀଙ୍କୁ ହତ୍ୟା ଧମକ ବି ଦେଇଛନ୍ତି। ସେ ଅନେକ ଦିନ ଆଗରୁ କ୍ୟାଟ୍ଙ୍କ ସହ ତାଙ୍କର ଫଟୋ ଓ ଭିଡିଓ ଏଡିଟ୍ କରି ଇନ୍ଷ୍ଟାରେ ଛାଡୁଥିବା ଦେଖିବାକୁ ମିଳିଛି। ସେ କ୍ୟାଟ୍ଙ୍କର ଜଣେ ପାଗଳ ପ୍ରଶଂସକ। ଭିକି ଓ କ୍ୟାଟ୍ଙ୍କୁ ସୋସିଆଲ୍ ମିଡିଆରେ ଧମକ ମିଳିବା ପରେ ମୁମ୍ବାଇ ପୁଲିସ୍ ଏ ନେଇ ଜଣେ ଅଜଣା ବ୍ୟକ୍ତିଙ୍କ ନାମରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍ ସୂତ୍ରରୁ ଜାଣିବାକୁ ମିଳିଥିଲା ଯେ ଅଭିଯୋଗ କରିବାକୁ ଭିକି ନିଜେ ସାଣ୍ଟାକ୍ଲଜ୍ ପୁଲିସ୍ ଷ୍ଟେସନ୍କୁ ଯାଇଥିଲେ।