‘ଜନୌଷଧି ସୁଗମ’ ମୋବାଇଲ ଆପ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ : କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡି.ଭି ସଦାନନ୍ଦ ଗୌଡ଼ା ଆଜି ନୂଆଦିଲ୍ଲୀଠାରେ ‘ଜନୌଷଧି ସୁଗମ’ ମୋବାଇଲ ଆପ୍‌ର ଶୁଭାରମ୍ଭ କରିଛନ୍ତି। ଏଥିସହିତ “ଜନ ଔଷଧି ସୁବିଧା ଅକ୍ସୋ-ବାୟୋଡିଗ୍ରେଡେବଲ ସାନିଟାରୀ ନାପକିନ ମାତ୍ର ୧ ଟଙ୍କାରେ ମିଳିବ ବୋଲି ମଧ୍ୟ ମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଅବସରରେ ଜାହାଜ ଚଳାଚଳ ଏବଂ ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନସୁଖ ଲାଲ ମାଣ୍ଡବ୍ୟ ମଧ୍ୟ ଉପସ୍ଥିତ ଥିଲେ।

ଶ୍ରୀ ଗୌଡ଼ା କହିଥିଲେ ଯେ ବର୍ଷକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନ ଔଷଧି ସୁବିଧା ଅକ୍ସୋ-ବାୟୋଡିଗ୍ରେଡେବଲ ସାନିଟାରୀ ନାପ୍‌କିନ ବିଷୟରେ ଘୋଷଣା କରି କରିଥିଲେ। ଯାହା ଏବେ ପୂରଣ ହୋଇଛି। ସେ କହିଥିଲେ ଯେ “ଜନୌଷଧି ସୁଗମ” ଆପ ମାଧ୍ୟମରେ ଲୋକମାନେ ଜୈବିକ ଔଷଧ ଏବଂ ଜନୌଷଧି କେନ୍ଦ୍ର ସମ୍ପର୍କରେ ସୂଚନା ପାଇବାରେ ସଫଳ ହେବେ।
ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ କହିଥିଲେ ଯେ, ଭଲ ସାନିଟାରୀ ନାପ୍‌କିନ ଅଭାବ କାରଣରୁ ୨ କୋଟି ୮୦ ଲକ୍ଷ କିଶୋରୀ ଅଧାରୁ ପାଠ ଛାଡ଼ି ଦେଇଥାନ୍ତି । କାରଣ ନାପକିନ ପ୍ୟାଡ ସେମାନଙ୍କୁ ଉଚିତ ଦାମରେ ମିଳିନଥାଏ। ସେ କହିଥିଲେ ଯେ ସାରା ଦେଶରେ ଥିବା ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ନେଟୱାର୍କ ଜରିଆରେ ସମସ୍ତ କିଶୋରୀମାନଙ୍କୁ ଶସ୍ତା ଦରରେ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରିବା ଲାଗି ସରକାର ପ୍ରତିବଦ୍ଧ। ପ୍ରକାଶଥାଉକି, କେନ୍ଦ୍ର ସରକାର ୪ ଜୁନ, ୨୦୧୮ରେ ବିଶ୍ୱ ପରିବେଶ ଦିବସର ପୂର୍ବ ସନ୍ଧ୍ୟାରେ ପ୍ୟାଡ ପିଛା ଅଢ଼େଇ ଟଙ୍କା ଦରରେ ‘ଜନ ଔଷଧି ସୁବିଧା ଅକ୍ସୋ-ବାୟୋଡିଗ୍ରେଡେବଲ ସାନିଟାରୀ ନ୍ୟାପକିନ’ ଯୋଗାଣ ଯୋଜନାର ଶୁଭାରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର