କାଶ୍ମୀର ସାମ୍ବାଦିକ ହତ୍ୟା ମାମଲାରେ ଜଣେ ସଂଦିଗ୍ଧ ଗିରଫ, ହତ୍ୟାପରେ ପିସ୍ତଲ ଚୋରୀ କରିଥିଲା

ଶ୍ରୀନଗର : ଗତକାଲି ଶ୍ରୀନଗରରେ ହୋଇଥିବା ବରିଷ୍ଠ ସାମ୍ବାଦିକ ସୁଜ୍ଜାତ ବୁଖାରୀଙ୍କ ହତ୍ୟା ମାମଲାରେ ପୁଲିସ ଆଜି ଜଣେ ସଂଦିଗ୍ଧକୁ ଗିରଫ କରିଛି । ଏହି ବ୍ୟକ୍ତି ବୁଖାରୀଙ୍କ ହତ୍ୟାପରେ ତାଙ୍କ ଗାଡ଼ିରେ ପଶି ମୃତ ବ୍ୟକ୍ତିକୁ ଦେଖିବା ସହ ସେଠାରୁ ଏକ ପିସ୍ତଲ ନେଇ ଫେରାର ହୋଇଯାଇଥିଲା । ଏହି ସମୟରେ ଜଣେ ସ୍ଥାନୀୟ ଲୋକ ଏହାର ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିବା ପରେ ଏହି ଲୋକ ପୁଲିସ ସଂଦେହକୁ ଆସିଯାଇଥିଲା । ତେବେ ପୁଲିସ ସଂଦେହ କରୁଛି ଯେ ସେ ବୋଧହୁଏ ଏହି ହତ୍ୟାକାଣ୍ଡରେ ନାହିଁ । କାରଣ ହତ୍ୟାକାରୀମାନେ ଏକ ବାଇକରେ ଆସି ବୁଖାରୀଙ୍କ ହତ୍ୟା କରି ଫେରାର ହୋଇଯାଇଥିଲେ । ତା ପରେ ଏହି ବ୍ୟକ୍ତି ଆସିଥିଲା । ତାକୁ ଗିରଫ କରିବା ପରେ ସେ ଚୋରୀ କରିଥିବା ପିସ୍ତଲକୁ ପୁଲିସ ଜବତ କରିଛି । ସେ କାଲି ପିନ୍ଧିଥିବା ପୋଷାକକୁ ଜବତ କରାଯାଇଛି । ଏହା ଆତଙ୍କବାଦ ସଂପର୍କିତ ଏକ ଘଟଣା ବୋଲି କାଶ୍ମୀରର ଆଇଜି ଏସପି ପାଣି କହିଛନ୍ତି । ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ହତ୍ୟାକାରୀ ୩ ଜଣ ବ୍ୟକ୍ତିଙ୍କର କୌଣସି ସୁରାକ ମିଳିନାହିଁ । ସୂଚନାଯୋଗ୍ୟ ଯେ ଗତକାଲି ସଂଧ୍ୟାରେ ରାଇଜିଂ କାଶ୍ମୀରର ମୁଖ୍ୟ ସଂପାଦକ ବୁଖାରୀ ନିଜ ଅଫିସରୁ ବାହାରୁ ଥିବାବେଳେ ଆତତାୟୀମାନେ ଏକ ବାଇକରେ ଆସି ତାଙ୍କୁ ଗୁଳି କରିଥିଲେ । ତାଙ୍କ ମୁଣ୍ଡରେ ଓ ପେଟରେ ଗୁଳି ବାଜିଥିଲା । ଏହି ଆକ୍ରମଣ ସମୟରେ ତାଙ୍କର ସୁରକ୍ଷା ଦାୟିତ୍ୱରେ ଥିବା ଦୁଇଜଣ ସ୍ୱତନ୍ତ୍ର ପୁଲିସ ସୁରକ୍ଷାକର୍ମୀ ଥିଲେ ମଧ୍ୟ ତାଙ୍କୁ ବଞ୍ଚାଇପାରିନଥିଲେ ।

ସମ୍ବନ୍ଧିତ ଖବର