ଘାଟିରୁ ୬୦ ଫୁଟ୍ ତଳକୁ ଖସି ପଡ଼ିଲା ବସ୍; ୮ ଯାତ୍ରୀଙ୍କ ମୃତ୍ୟୁ, ବହୁ ଗୁରୁତର

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାରେ ମଙ୍ଗଳବାର ଏକ ଯାତ୍ରୀବାହୀ ବସ୍‌ ଘାଟିରୁ ତଳକୁ  ଖସି ପଡ଼ିବାରୁ ୮ଜଣଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ୫ଜଣ ମୃତ୍ୟୁବରଣ କରିଥିବା ବେଳେ ଡାକ୍ତରଖାନାରେ ୩ଜଣଙ୍କର ଜୀବନ ଯାଇଛି। ବସ୍‌ ମଧ୍ୟରେ ପ୍ରାୟ ୨୦-୨୫ଜଣ ଯାତ୍ରୀ ଥିଲେ ଓ ମୃତକଙ୍କୁ ଛାଡ଼ି ଅନ୍ୟ ସମସ୍ତେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ତେବେ ଦ୍ରୁତି ଗତି ପାଇଁ କି ବ୍ରେକ୍‌ ଫେଲ୍‌ ହେବାରୁ ବସ୍‌ଟି ଖସି ପଡ଼ିଥିଲା, ତାହା ସ୍ପଷ୍ଟ ହୋଇ ପାରି ନାହିଁ । ଘାଟି ରାସ୍ତାରେ ଯିବା ବେଳେ  ପ୍ରାୟ ୬୦ଫୁଟ୍ ତଳକୁ ଖସି ପଡ଼ିବାରୁ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ବସ୍‌ଟି ରାଜାମହେନ୍ଦ୍ରୀରୁ  ୪୦ କିଲୋମିଟର ଦୂରରେ ଥିବା ମରେଡୁମିଲିରୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ବାଲ୍ମିକୀକୋଣ୍ଡାଠାରେ ବସ୍‌ଟି ବୁଲାଣି ବୁଲୁଥିବା ବେଳେ ନିୟନ୍ତ୍ରଣ ହରାଇ ଘାଟି ତଳକୁ ଖସି ପଡ଼ିଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମରେଡୁମିଲି ଓ ଚିନ୍ତୁରର ରାସ୍ତା ଖୁବ୍‌ ସଂକୀର୍ଣ୍ଣ । ବର୍ଷା ହେତୁ ଏହାର ଅବସ୍ଥା ଆହୁରି ଖରାପ ହୋଇ ଯାଇଥିଲା । ଏବେ ବି ବର୍ଷା ଲାଗି ରହିଥିବା ହେତୁ ଗାଡ଼ି ଚଳାଇବା କଷ୍ଟକର ହୋଇ ପଡ଼ିଛି,  ଯାହା ପାଇଁ ଦୁର୍ଘଟଣା ଘଟୁଛି ।

ସମ୍ବନ୍ଧିତ ଖବର