ଝାଡ଼ଖଣ୍ଡ କେବୁଲ୍‌ କାର୍‌ ଦୁର୍ଘଟଣାରେ ୨ ମୃତ; ୧୯ ଘଣ୍ଟା ଧରି ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଅଭିଯାନ ଚଳାଇଛି ବାୟୁସେନା

ଦେଓଘର: ଝାଡ଼ଖଣ୍ଡର ଦେଓଘର ଜିଲ୍ଲାସ୍ଥିତ ବାବା ବୈଦ୍ୟନାଥ ମନ୍ଦିର ନିକଟରେ ଥିବା ତ୍ରିକୂଟ ପର୍ବତରେ ଲାଗିଥିବା ‘ରୋପ୍‌ୱେ’ କେତେଗୁଡ଼ିଏ କେବୁଲ୍‌ କାର୍‌ ପରସ୍ପର ସହିତ ଧକ୍କା ଖାଇବାରୁ ଅନ୍ୟୂନ ୨ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ କେତେଜଣ ଆହତ ହୋଇଛନ୍ତି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ‌

ସରକାରୀ ଅଧିକାରୀମାନଙ୍କ କହିବା ଅନୁସାରେ, ଦୀର୍ଘ ୧୯ ଘଣ୍ଟା ହେବ ୧୨ଟି କ୍ୟାବିନ୍‌ରେ (ରୋପ୍‌ୱେ କାର୍‌) ଫସି ରହିଥିବା ୪୮ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ଲାଗି ଭାରତୀୟ ବାୟୁସେନାର ଦୁଇଟି ହେଲିକପ୍ଟର୍‌ ଅଭିଯାନ ଚଳାଇଛି।

ମହିଳା ଓ ପିଲାଙ୍କ ସମେତ ଫସିରହିଥିବା ଲୋକମାନଙ୍କୁ ଡ୍ରୋନ୍‌ ସହାୟତାରେ ଖାଦ୍ୟ ଓ ପାଣି ଯୋଗାଇ ଦିଆଯାଉଛି। ଦୁର୍ଘଟଣା ପରେ ପରେ ‘ରୋପ୍‌ୱେ’ ମ୍ୟାନେଜର୍‌ ଓ ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରୁ ଖସି ପଳାଇଛନ୍ତି ବୋଲି ‘ପିଟିଆଇ’ ରିପୋର୍ଟ କରିଛି।

Image Courtesy of India Today

ଗୁଜବ ପ୍ରଚାର ନ କରିବା ଅନୁରୋଧ କରି ଦେଓଘର ଡେପୁଟି କମିସନର୍‌ ମଞ୍ଜୁନାଥ ଭଜନ୍ତ୍ରୀ କହିଛନ୍ତି, ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ। ଏବେ ମଧ୍ୟ ‘ରୋପ୍‌ୱେ’ କେବୁଲ୍‌ କାର୍‌ରେ କିଛି ଲୋକ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଉଛି। ସମସ୍ତ ପର୍ଯ୍ୟଟକଙ୍କୁ ନିରାପଦରେ ସ୍ଥାନାନ୍ତରଣ କରାଯାଇଛି।

ପ୍ରକୃତ କାରଣ ଜଣା ପଡ଼ି ନ ଥିଲେ ବି ବୈଷୟିକ ତ୍ରୁଟି ଯୋଗୁଁ କେବୁଲ୍‌ କାର୍‌ ଧକ୍କା ଖାଇଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି।

ଝାଡ଼ଖଣ୍ଡ ପର୍ଯ୍ୟଟନ ବିଭାଗ କହିଛି ଯେ, ତ୍ରିକୂଟ ‘ରୋପ୍‌ୱେ’ ହେଉଛି ଭାରତର ସର୍ବୋଚ୍ଚ ‘ରୋପ୍‌ୱେ’। ବାବା ବୈଦ୍ୟନାଥ ମନ୍ଦିର ଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଅବସ୍ଥିତ ଏହି ‌‘ରୋପ୍‌ୱେ’ ପ୍ରାୟ ୭୬୬ ମିଟର୍‌ ଲମ୍ବ ହୋଇଥିବା ବେଳେ ପର୍ବତର ଉଚ୍ଚତା ୩୯୨ ମିଟର।

ସମ୍ବନ୍ଧିତ ଖବର