ଉହାନ୍‌ରୁ ୩୨୩ ଭାରତୀୟଙ୍କୁ ଧରି ଦିଲ୍ଲୀରେ ପହଞ୍ଚିଲା ଦ୍ୱିତୀୟ ଏୟାର୍‌ଇଣ୍ଡିଆ ବିମାନ; ସାହାଯ୍ୟ ପାଇଁ ଚିତ୍କାର କରୁଛନ୍ତି ପାକିସ୍ତାନୀ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: କରୋନାଭାଇରସ୍‌ ସଂକ୍ରମିତ ଚୀନ୍‌ ସହର ଉହାନ୍‌ରୁ ୩୨୩ ଜଣ ଭାରତୀୟ ଏବଂ ୭ ଜଣ ମାଳଦ୍ୱୀପବାସୀଙ୍କୁ ଧରି ଏୟାର୍‌ଇଣ୍ଡିଆର ଦ୍ୱିତୀୟ ବିମାନ ରବିବାର ସକାଳେ ନୂଆଦିଲ୍ଲୀରେ ଅବତରଣ କରିଛି।

ରବିବାର ପାହାନ୍ତା ୩: ୧୦ ମିନିଟ୍‌ରେ ଏହି ବିମାନଟି ଉହାନ୍‌ରୁ ଉଡ଼ାଣ ଆରମ୍ଭ କରିଥିଲା।

ଶନିବାର ଦିନ ପ୍ରଥମ ଛେକରେ ଏୟାର୍‌ଇଣ୍ଡିଆ ବିମାନ ୩୨୪ ଜଣ ଭାରତୀୟଙ୍କୁ ଧରି ଦିଲ୍ଲୀ ଆସିଥିଲା। ସେମାନଙ୍କ ମଧ୍ୟରୁ ତିନି ଜଣ ଥିଲେ ନାବାଳକ ଏବଂ ୨୧୧ଜଣ ଥିଲେ ବିଦ୍ୟାର୍ଥୀ।

ଉହାନ୍‌ରୁ ଭାରତ ସରକାର ନିଜର ନାଗରିକମାନଙ୍କୁ ସ୍ଥାନାନ୍ତର କରୁଥିବା ଦେଖି ସେଠାରେ ଥିବା ପାକିସ୍ତାନୀ ବିଦ୍ୟାର୍ଥୀମାନେ ସାହାଯ୍ୟ ଲାଗି ନିବେଦନ କରିବା ସହ ପାକିସ୍ତାନ ସରକାରଙ୍କୁ ସମାଲୋଚନା କରୁଛନ୍ତି। ଘନିଷ୍ଠ ବନ୍ଧୁ ଦେଶ ଚୀନ୍‌ର ଏ ଭଳି ଦୁଃସମୟରେ ସମ୍ବେଦନା ପ୍ରଦର୍ଶନପୂର୍ବକ ନିଜର ନାଗରିକମାନଙ୍କୁ ଉହାନ୍‌ରୁ ସ୍ଥାନାନ୍ତର କରିବ ନାହିଁ ବୋଲି ଇମ୍ରାନ୍‌ ଖାଁଙ୍କ ନେତୃତ୍ୱାଧୀନ ପାକିସ୍ତାନୀ ସରକାର କହିଥିଲେ।

Image Source: India Today

ଉହାନ୍‌ରେ ଥିବା ପାକିସ୍ତାନୀ ଛାତ୍ରଛାତ୍ରୀମାନେ ଭାରତୀୟ ଛାତ୍ରଛାତ୍ରୀଙ୍କ ସ୍ଥାନାନ୍ତର ଦୃଶ୍ୟର ଭିଡିଓ ଉତ୍ତୋଳନ କରିଛନ୍ତି। ସେଗୁଡ଼ିକୁ ସାମାଜିକ ଗଣମାଧ୍ୟମରେ ଅପ୍‌ଲୋଡ୍‌ କରିବା ସହ ସେଥିରେ ପାକିସ୍ତାନ ସରକାରଙ୍କୁ ସମାଲୋଚନା କରି ସାହାଯ୍ୟ ଲାଗି ଚିତ୍କାର କରିଛନ୍ତି। ସେଥିରୁ ଗୋଟିଏ ଭିଡିଓ ଭାଇରାଲ୍‌ ହୋଇଛି। ଉହାନ୍‌ରୁ ଉଡ଼ାଣ ଲାଗି ଭାରତୀୟ ଛାତ୍ରମାନଙ୍କୁ ବସ୍‌ରେ ବିମାନବନ୍ଦର ନିଆଯାଉଥିବା ଦୃଶ୍ୟ ସେଥିରେ ରହିଛି।

ସେଥିରେ କୁହାଯାଇଛି: ପରେ ପରେ ବାଂଲାଦେଶୀମାନଙ୍କୁ ସ୍ଥାନାନ୍ତର କରାଯିବ। କିନ୍ତୁ, ଏଠାରେ ଅଟକି ରହିଥିବା ଆମେ ସବୁ ପାକିସ୍ତାନୀଙ୍କ କଥା! ଆମ ସରକାର କହୁଛନ୍ତି ଆମେ ମଲେ କି, ସଂକ୍ରମିତ ହେଲେ କି, ବଞ୍ଚିଲେ ବି ସ୍ଥାନାନ୍ତରିତ ହେବୁନାହିଁ। ଲଜ୍ଜା ନାହିଁ ପାକିସ୍ତାନ ସରକାର, ଭାରତୀୟମାନଙ୍କ ଠାରୁ କିଛି ଶିଖ।

ସମ୍ବନ୍ଧିତ ଖବର