୨୦୨୧ରେ ୩୧,୦୦୦ ମହିଳାବିରୋଧୀ ଅପରାଧ; ଅଧାରୁ ଅଧିକ ଘଟିଛି ଉତ୍ତରପ୍ରଦେଶରେ: ଏନ୍‌ସିଡବ୍ଲୁ

ନୂଆଦିଲ୍ଲୀ: ୨୦୨୧ରେ ମହିଳାଙ୍କ ବିରୋଧରେ ପ୍ରାୟ ୩୧,୦୦୦ ଅପରାଧ ଘଟିଥିବା ନେଇ ଜାତୀୟ ମହିଳା ଆୟୋଗ (ଏନ୍‌ସିଡବ୍ଲୁ) ଅଭିଯୋଗ ପାଇଥିଲା, ଯାହା ୨୦୧୪ରୁ ସର୍ବାଧିକ ଏବଂ ଏହି ଅପରାଧଗୁଡ଼ିକ ମଧ୍ୟରୁ ଅଧାରୁ ଅଧିକ ଘଟିଛି ଉତ୍ତରପ୍ରଦେଶରେ। ୨୦୨୦ରେ ୨୩,୭୨୨ଟି ମହିଳା ବିରୋଧୀ ଅପରାଧ ଘଟିଥିବା ବେଳେ ଏବର୍ଷ ସେଥିରେ ୩୦ ପ୍ରତିଶତ ବୃଦ୍ଧି ଘଟିଛି। ମିଳିଥିବା ୩୦,୮୬୪ଟି ଅଭିଯୋଗ ମଧ୍ୟରୁ ସର୍ବାଧିକ ୧୧,୦୧୩ଟି ହେଉଛି ସମ୍ମାନର ସହ ବଞ୍ଚିବାର ଅଧିକାର ସମ୍ବନ୍ଧିତ, ଯେଉଁଥିରେ ମହିଳାମାନଙ୍କୁ ଆବେଗିକ ନିର୍ଯାତନା ଦିଆଯାଏ। ତା’ ତଳକୁ ୬,୬୩୩ଟି ଅଭିଯୋଗ ଥିଲା ଘରୋଇ ହିଂସାଜନିତ ଏବଂ ଯୌତୁକ ନିର୍ଯାତନା ଅଭିଯୋଗ ଥିଲା ୪,୫୮୯ଟି। ସବୁଠୁ ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶରେ ନାରୀ ନିର୍ଯାତନା ସଂଖ୍ୟା ଥିଲା ସର୍ବାଧିକ ୧୫,୮୨୮ଟି ଯାହା ସାରା ଦେଶରେ ଘଟିଥିବା ମୋଟ ସଂଖ୍ୟାର ଅଧାରୁ ଅଧିକ। ତା’ ତଳକୁ ଦିଲ୍ଲୀରେ ୩,୩୩୬ଟି, ମହାରାଷ୍ଟ୍ରରେ ୧,୫୦୪ଟି, ହରିୟାଣାରେ ୧,୪୬୦ଟି ଏବଂ ବିହାରରେ ୧,୪୫୬ଟି ନାରୀ ନିର୍ଯାତନା ଘଟିଥିବା ଅଭିଯୋଗ ମିଳିଥିଲା।

ତେବେ ସଂଖ୍ୟା ବୃଦ୍ଧିର କାରଣ ବିଷୟରେ କୁହାଯାଇଛି ଯେ ଆଗରୁ ମହିଳାମାନେ ଏତେ ସଚେତନ ନ ଥିଲେ ଏବଂ ନିର୍ଯାତିତ ହେଲେ ମଧ୍ୟ ଅଭିଯୋଗ କରୁ ନଥିଲେ। ଏବେ ସଚେତନତା ବୃଦ୍ଧି ପାଇଥିବାରୁ ଅଭିଯୋଗ ସଂଖ୍ୟା ବଢ଼ିଛି ଏବଂ ବାସ୍ତବ ନିର୍ଯାତନା ସଂଖ୍ୟାରେ ସେତେ ବୃଦ୍ଧି ହୋଇ ନ ଥିବ ବୋଲି ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର