ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୩୪: କାଶ୍ମୀର, ପଂଜାବ, ତାମିଲନାଡ଼ୁରେ ୫ ଜଣ ଆକ୍ରାନ୍ତ

ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ଆତଙ୍କର କାରଣ ପାଲଟିଥିବା କରୋନା ଭାଇରସ୍‌ ଏବେ ଭାରତର ବିଭିନ୍ନ ଅଂଚଳରେ କାୟା ବିସ୍ତାର କରୁଛି। ଆଜି ଜମ୍ମୁ କାଶ୍ମୀରରେ କରୋନା ଭାଇରସ୍‌ର ପ୍ରଥମ ପଜିଟିଭି ମାମଲା ସାମ୍ନାକୁ ଆସିଥିବା ବେଳେ ପଂଜାବର ଅମୃତସରରେ ୨ ଜଣ ଏବଂ ତାମିଲନାଡ଼ୁରେ ଜଣେ କରୋନା ଭାଇରସ୍‌ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେବେ ପଂଜାବର ୨ଟି ଯାକ ମାମଲା ପ୍ରାଥମିକ ରିପୋର୍ଟରୁ ପଜିଟିଭ୍ ଆସିଥିଲେ ମଧ୍ୟ ଦ୍ବିତୀୟ ରିପୋର୍ଟରେ ହିଁ ସ୍ଥିତି ସ୍ପଷ୍ଟ ହେବ ବୋଲି କୁହାଯାଇଛି। ପଂଜାବର ଉଭୟ ଆକ୍ରାନ୍ତ ନିକଟରେ ଇଟାଲି ଗସ୍ତ କରିଥିଲେ ଏବଂ ସେମାନେ ହୋସିୟାରପୁର ବାସିନ୍ଦା ବୋଲି ଜଣାପଡ଼ିଛି। ଜମ୍ମୁ କାଶ୍ମୀରର ଲଦାଖ୍‌ରେ ଦୁଇଟି କରୋନା ପଜିଟିଭ୍‌ ମାମଲା ଜଣାପଡ଼ିବା ପରେ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ କେତେକ ପଦକ୍ଷେପ ନେଇଛି। ତାମିଲନାଡ଼ୁର ଯେଉଁ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି ସେ ନିକଟରେ ଓମାନ୍‌ରୁ ଫେରିଥିବା ଜଣାପଡ଼ିଛି। ଭାରତରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୩୪ରେ ପହଞ୍ଚିଛି।

ଏବେ ଦେଶରେ ମୋଟ ୨୯୬୦୭ ଜଣଙ୍କୁ ନିରୀକ୍ଷଣ ବ୍ୟବସ୍ଥାରେ ରଖାଯାଇଛି। ଦେଶର ୩୦ଟି ବିମାନ ବନ୍ଦରରେ ଗତକାଲି ସୁଦ୍ଧା ୬,୪୯, ୪୫୨ ଜଣଙ୍କୁ ସ୍କ୍ରିନିଂ କରାଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି। ଦେଶରେ କରୋନା ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ବିଭିନ୍ନ କଟକଣା ସଂପର୍କରେ ହର୍ଷବର୍ଦ୍ଧନ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅବଗତ କରାଇଛନ୍ତି। ଆଜି ଏ ବାବଦରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଦେଶରେ ପର୍ଯ୍ୟାପ୍ତ କ୍ବାରେଣ୍ଟିନ୍‌ କେନ୍ଦ୍ର ସ୍ଥାପନ ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ରୋଗୀଙ୍କ ଅବସ୍ଥା ଗୁରୁତର ହେଉଛି ସେମାନଙ୍କ କ୍ଷେତ୍ରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ପାଇଁ ସେ କହିଛନ୍ତି। ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ନିଆଯାଉଥିବା ପଦକ୍ଷେପଗୁଡ଼ିକ ସଂପର୍କରେ ପ୍ରତ୍ୟହ ସମୀକ୍ଷା କରାଯିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି। କରୋନାକୁ ନେଇ ଉପୁଜିଥିବା ଅନ୍ତର୍ଜାତୀୟ ସଙ୍କଟ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଅବଗତ ହୋଇଛନ୍ତି। କରୋନା ସଂପର୍କରେ ସଚେତନତା ସୃଷ୍ଟି ପାଇଁ ଟେଲିକମ୍‌ ବିଭାଗ ଦ୍ବାରା ଏବେ ଏକ ଅଡିଓ ବାର୍ତ୍ତା ଦିଆଯାଉଛି । ଏହି ବାର୍ତ୍ତା ମୋବାଇଲ୍‌ ଫୋନ୍‌ ରିଙ୍ଗ୍‌ଟୋନ୍‌ ସ୍ଥାନରେ ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଜାରି ହୋଇଛି।

ସମ୍ବନ୍ଧିତ ଖବର