ଇଭିଏମ୍‌‌ରେ ୪୪୦୦ରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ; ମହାରାଷ୍ଟ୍ରରେ ୫୯%, ହରିୟାଣାରେ ୬୫% ମତଦାନ

୨୪ରେ ଫଳାଫଳ ଘୋଷଣା

ନୂଆଦିଲ୍ଲୀ: ହରିୟାଣା ଏବଂ ମହାରାଷ୍ଟ୍ର ବିଧାନସଭା ପାଇଁ ଆଜି ଭୋଟ ଗ୍ରହଣ ଶେଷ ହୋଇଛି। ହରିୟାଣାର ୯୦ ଆସନ ଏବଂ ମହାରାଷ୍ଟ୍ରର ୨୮୮ ଆସନ ପାଇଁ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଦାନ ହୋଇଛି। ମହାରାଷ୍ଟ୍ରରେ ୫୯.୦୧% ଏବଂ ହରିୟାଣାରେ ୬୫.୫୭% ମତଦାନ ହୋଇଥିବା ନିର୍ବାଚନ କମିସନଙ୍କ ୱେବସାଇଟ୍‌ ସୂତ୍ରରୁ ଜଣାଯାଇଛି। ଦୁଇଟି ଯାକ ରାଜ୍ୟରେ ବିଜେପି ସରକାର ରହିଛି। ନରେନ୍ଦ୍ର ମୋଦୀ ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହେବା ଏବଂ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ନିମନ୍ତେ କୌଣସି ରାଜ୍ୟ ପାଇଁ ନିର୍ବାଚନ ହେଉଥିବାରୁ ଏହାର ଗୁରୁତ୍ବ ବଢ଼ିଯାଇଛି। ଦୁଇ ରାଜ୍ୟର ନିର୍ବାଚନ ଫଳ ଆସନ୍ତା ୨୪ ତାରିଖରେ ଘୋଷଣା ହେବ। ଆଜିର ନିର୍ବାଚନରେ ଦୁଇଟି ରାଜ୍ୟରେ ମୋଟ ୪୪୦୦ରୁ ଅଧିକ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ହରିୟାଣାରେ ୧୧୬୯ ଜଣ ଏବଂ ମହାରାଷ୍ଟ୍ରରେ ୩୨୩୭ ଜଣ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି। ଦୁଇଟି ଯାକ ରାଜ୍ୟରେ ଇଭିଏମରେ ତ୍ରୁଟି ଥିବା ଅଭିଯୋଗମାନ ଆସିଛି। ତେବେ ଭୋଟଦାନ ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି।

ଭୋଟଦାନକୁ ସୁରୁଖୁରରେ ସମ୍ପାଦନ କରିବା ପାଇଁ ହରିୟାଣାରେ ୧୯,୫୭୮ଟି ଏବଂ ମହାରାଷ୍ଟ୍ରରେ ୯୬,୬୬୧ଟି ପୁଲିଂ ‌ବୁଥ୍ ଖୋଲାଯାଇଥିଲା। ହରିୟାଣାରେ ଭୋଟଦାନ ପ୍ରକ୍ରିୟାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ୪୦ ହଜାରରୁ ଅଧିକ ପୁଲିସ ମୁତୟନ ହୋଇଛନ୍ତି। ଏମାନଙ୍କ ସହିତ ୧୩ ହଜାର ଅର୍ଦ୍ଧ ସାମରିକ ବଳ, ୨୦ ହଜାରେରୁ ଅଧିକ ହୋମ୍ ଗାର୍ଡ ଏବଂ ସ୍ବତନ୍ତ୍ର ପୁଲିସ ଅଧିକାରୀ ମୁତୟନ ହୋଇଛନ୍ତି। ହରିୟାଣାର କେତେକ ଆସନରେ ବହୁମୁଖୀ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳୁଛି। ମୁଖ୍ୟତଃ ବିଜେପି, କଂଗ୍ରେସ, ଭାରତୀୟ ଲୋକଦଳ ଏବଂ ଜନନାୟକ ଜନତା ପାର୍ଟି ମଧ୍ୟରେ ବିଭିନ୍ନ ଆସନରେ ଲଢ଼େଇ ହେଉଛି।

ମହାରାଷ୍ଟ୍ରରେ ସୁରକ୍ଷା କାର୍ଯ୍ୟରେ ଡ୍ରୋନକୁ ବ୍ୟବହାର କରାଯାଇଛି। ମହାରାଷ୍ଟ୍ରରେ ୨୮୮ଟି ଆସନ ମଧ୍ୟରୁ ବିଜେପି ୧୫୦ଟି ଆସନରେ ନିର୍ବାଚନ ଲଢ଼ୁଥିବାବେଳେ ଏହାର ସହଯୋଗୀ ଶିବ ସେନା ୧୨୪ଟି ଆସନରେ ପ୍ରାର୍ଥୀ ଦେଇଛି। ଅନ୍ୟ ଆସନ ଗୁଡ଼ିକୁ ଛୋଟ ସହଯୋଗୀ ଦଳ ଗୁଡ଼ିକ ପାଇଁ ଛାଡ଼ି ଦିଆଯାଇଥିଲା। ମହାରାଷ୍ଟ୍ରରେ କଂଗ୍ରେସ ଏବଂ ଏନସିପି ମିଳିତଭାବେ ନିର୍ବାଚନ ଲଢ଼ୁଛନ୍ତି। ଏହି ଦୁଇ ରାଜ୍ୟ ପାଇଁ ନିର୍ବାଚନ ପ୍ରଚାର ଗତ ଶନିବାର ଶେଷ ହୋଇଥିଲା। ନିର୍ବାଚନ କମିସନ ଗତ ସେପ୍ଟେମ୍ବର ୨୧ ତାରିଖରେ ନିର୍ବାଚନ ତାରିଖ ଘୋଷଣା କରିଥିଲେ। ସେହିଦିନଠାରୁ ଏହି ଦୁଇ ରାଜ୍ୟରେ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି। ଦୁଇ ରାଜ୍ୟରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଲାଗି ନିର୍ବାଚନ ମଇଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବରିଷ୍ଠ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ପ୍ରମୁଖ ଓହ୍ଲାଇଥିଲେ। ହରିୟାଣାରେ ବିଜେପି ଏକାକୀ ସରକାର ଗଠନ କରି ଶାସନ କରୁଥିବାବେଳେ ମହାରାଷ୍ଟ୍ରରେ ଶିବସେନା ସହଯୋଗରେ ଶାସନ କ୍ଷମତାରେ ରହିଛି।

ସମ୍ବନ୍ଧିତ ଖବର