ଜଙ୍ଗଲ ନିଆଁରେ ଜଳିଗଲେ ୪ ଛାତ୍ର

୨୦ ଉଦ୍ଧାର, ବାୟୁସେନାର ଅଭିଯାନ ଜାରି

ଚେନ୍ନାଇ: ତାମିଲନାଡୁର ଥେନିସ୍ଥିତ କୁରନଗାନି ଜଙ୍ଗଲରେ ଲାଗିଥିବା ଭୀଷଣ ନିଆଁରେ ଜଙ୍ଗଲ ଭ୍ରମଣ ଓ ପର୍ବତାରୋହଣ ପାଇଁ ଯାଇଥିବା ୪ ଜଣ କଲେଜ ଛାତ୍ର ଜୀବନ୍ତ ଦଗ୍ଧ ହୋଇଛନ୍ତି। ଆହୁରି ୧୦ରୁ ଊର୍ଦ୍ଧ୍ୱ ଛାତ୍ର ଏହି ଜଙ୍ଗଲି ନିଆଁରେ ଫସି ରହିଥିବା ବେଳେ ବାୟୁସେନାର ୪ଟି ଏମ୍‌ଆଇ-୧୭ ହେଲିକପ୍‌୍‌ଟର ୨୦ ଜଣ ଛାତ୍ରଙ୍କୁ ଉଦ୍ଧାର କରିସାରିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କେରଳ ସୀମାକୁ ଲାଗି ରହିଥିବା ଏହି ଜଂଗଲର ପାର୍ବତ୍ୟାଞ୍ଚଳରେ ସନ୍ଧ୍ୟା ସୁଦ୍ଧା ନିଆାଁର ଚିହ୍ନବର୍ଣ୍ଣ ନଥିବା ବେଳେ ଅଚାନକ ଏତେବଡ଼ ଅଗ୍ନିକାଣ୍ଡ ପଛରେ ଷଡ଼ଯନ୍ତ୍ର ଥିବା କୁହାଯାଉଛି ।

ସୂଚନାନୁଯାୟୀ, ଆଜି ସକାଳେ ପ୍ରାୟ ୪୦ ଜଣ କଲେଜ ଛାତ୍ର ଘଞ୍ଚ ଜଙ୍ଗଲର ପାର୍ବତ୍ୟାଞ୍ଚଳରେ ଟ୍ରେକିଂ ପାଇଁ ପହଞ୍ଚିଥିଲେ। ସେମାନେ ପଶ୍ଚିମଘାଟ ପର୍ବତମାଳାର କୁରନଗାନିରେ ପାହାଡ଼ ଚଢ଼ିଥିଲେ ଏବଂ ସନ୍ଧ୍ୟାରେ ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ଅଚାନକ ଜଂଗଲରେ ଭୀଷଣ ନିଆଁ ଲାଗିଥିଲା ଏବଂ ଚାହୁଁ ଚାହୁଁ ଏହା ଚାରିଆଡ଼େ ବ୍ୟାପୀ ଯାଇଥିଲା। ନିଆଁ ଘେରରୁ ଖସିବାକୁ ବାଟ ନପାଇ ଘଟଣାସ୍ଥଳରେ ହିଁ ୪ ଜଣ ଛାତ୍ର ପୋଡ଼ିଯାଇ ପ୍ରାଣ ହରାଇଥିଲେ। ଖବର ପାଇ ବିପନ୍ନ ଛାତ୍ରଙ୍କୁ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ଇକେ.ପଲାନିସ୍ୱାମୀଙ୍କ ଅନୁରୋଧ କ୍ରମେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଘଟଣାସ୍ଥଳକୁ ତୁରନ୍ତ ବାୟୁସେନା ପଠାଇଥିଲେ। ତେବେ ବାୟୁସେନା ଜବାନମାନେ ୨୦ ଜଣ ଛାତ୍ରଙ୍କୁ ଉଦ୍ଧାର କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେମାନଙ୍କୁ ବାୟୁସେନା ପକ୍ଷରୁ ଜରୁରୀ ଚିକିତ୍ସା ପ୍ରଦାନ ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ, ଜଂଗଲର ନିଆଁ ଲିଭାଇବାକୁ ମଧ୍ୟ ବ୍ୟାପକ ପ୍ରୟାସ ଆରମ୍ଭ ହୋଇଛି। ଅଗ୍ନିଶମ ବାହିନୀର ୯ଟି ଦଳ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଉପମୁଖ୍ୟମନ୍ତ୍ରୀ ଓ ପନିରସେଲ୍‌ଭମ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଆହୁରି ୧୦ ଜଣ ଛାତ୍ର ନିଆଁ ଘେରରେ ରହିଥିବାରୁ ସେମାନଙ୍କୁ ଉଦ୍ଧାର କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ଅଭିଯାନ ଜାରି ରହିଥିବା ମୁଖ୍ୟମନ୍ତ୍ରୀ ଇକେ ପଲାନିସ୍ୱାମୀ କହିଛନ୍ତି।

ସମ୍ବନ୍ଧିତ ଖବର