ଗୋଟିଏ ଟିକା ଦେବାର ଥିଲା, କିନ୍ତୁ ୫ ଦିନର ଶିଶୁକୁ ୫ଟି ଟିକା ଦେଲେ ନର୍ସ; ‘ଆଇସିୟୁ’ରେ ଶିଶୁ

ତିରୁଅନନ୍ତପୁରମ୍‌: କେରଳ ରାଜ୍ୟର ପାଲକ୍କାଡ଼ ଜିଲ୍ଲା ଅନ୍ତର୍ଗତ ଗୋଟାଏ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ନର୍ସ ଗୋଟାଏ ୫ ଦିନର କଅଁଳାପିଲାକୁ ଗୋଟିଏ ଟିକା ଦେବା ପରିବର୍ତ୍ତେ ୫ଟି ଟିକା ଦେଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

‘ଭ୍ୟାକ୍‌ସିନ୍‌ ଓଭର୍‌’ ଡୋଜ୍‌ ହେବା କାରଣରୁ ଶିଶୁଟିକୁ ସମ୍ପ୍ରତି ଜିଲ୍ଲା ହସ୍ପିଟାଲ୍‌ର ‘ଆଇସିୟୁ’ରେ ଭର୍ତ୍ତି କରାଯାଇଛି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଘଟଣାଟି ବୁଧବାର ଦିନ ଘଟିଥିଲା। ଛୁଆଟିକୁ ‘ବିସିଜି’ ଟିକା ଦିଆଇବା ପାଇଁ ତା’ର ବାପାମାଆ ନାଦିରଶାହା ଓ ସିବିନା ପିରାୟିଗିରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ। ସେମାନେ ପ୍ରଥମେ ଡାକ୍ତରଙ୍କ ସହିତ ପରାମର୍ଶ କରି ‘ପ୍ରସ୍‌କ୍ରିପ୍‌ସନ୍‌’ ନେଇ ଟିକା କେନ୍ଦ୍ରକୁ ଗଲେ।

Image Courtesy of The New Indian Express

ଦୁହେଁ ଅଭିଯୋଗ କରିଛନ୍ତି ଯେ, ସେମାନେ ଯାଇ ‘ଡିୟୁଟି ନର୍ସ’ ଚାରୁଲତାଙ୍କୁ ଭେଟି ‘ବିସିଜି’ ଟିକା ନେବାକୁ ଆସିଥିବା କଥା କହିଥିଲେ। କିନ୍ତୁ, ନର୍ସ ଏଥିରେ ଉତ୍‌କ୍ଷିପ୍ତ ହୋଇଗଲେ ଓ ଛୁଆଟିକୁ ‘ବିସିଜି’ ସହିତ ‘ଆଇଭିପି’, ‘ପିସିଭି’, ‘ଓପିଭି’ ଓ ‘ରୋଟାଭାଇରସ୍‌’ ଟିକା ବି ଦେଇ ଦେଲେ।

ଏହା ଦେଖି ନାଦିରଶାହା ଓ ସିବିନା ଡାକ୍ତରଙ୍କ ପାଖକୁ ଯାଇ ସବୁକଥା କହିଲେ।

ଦୁହିଁଙ୍କ ଅଭିଯୋଗ ଆଧାରରେ ନର୍ସ ଚାରୁଲତାଙ୍କୁ ନିଲମ୍ବିତ କରାଗଲା। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର