ରାଜଧାନୀ ଦିଲ୍ଲୀରେ ତାଣ୍ଡବ ରଚିଲା କାଳବୈଶାଖୀ: ୫ ବିମାନ ଡାଇଭର୍ଟ; ୭୦ ବିମାନର ଚଳାଚଳ ବିଳମ୍ବ; ଜାମା ମସଜିଦର ମିନାରରୁ ଖସିପଡ଼ିଲା ପଥର, ଦୁଇ ଆହତ
ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ସୋମବାର ଅପରାହ୍ନରେ ତାଣ୍ଡବ ରଚିଛି କାଳବୈଶାଖୀ। କାଳବୈଶାଖୀ ଜନିତ ପ୍ରବଳ ଘୂର୍ଣ୍ଣିଝଡ଼, ବଜ୍ରପାତ ଓ କୁଆପଥର ବର୍ଷା ହେତୁ ଦିଲ୍ଲୀ ବିମାନବନ୍ଦରରେ ପାଞ୍ଚଟି ବିମାନର ଅବତରଣକୁ ବାତିଲ କରାଯିବା ସହ ସେଗୁଡ଼ିକୁ ଅନ୍ୟ ବିମାନବନ୍ଦରକୁ ପଠାଇ ଦିଆଯାଇଛି। ସେହିପରି ୭୦ଟି ବିମାନର ଚଳଚଳ ବିଳମ୍ବ ହୋଇଛି ବୋଲି ଅଧିକାରୀମାନେ କହିଛନ୍ତି।
ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦର ଅଧିକାରୀମାନେ କହିଛନ୍ତି ଯେ ବଜ୍ରପାତ ହେତୁ ଅତି କମରେ ୪୦ଟି ବିମାନର ପ୍ରସ୍ଥାନ ଏବଂ ୩୦ଟି ବିମାନର ଆଗମନରେ ବିଳମ୍ବ ଘଟିଥିଲା। ଅଧିକନ୍ତୁ, ବଜ୍ରପାତ ହେତୁ ଅତି କମରେ ପାଞ୍ଚଟି ବିମାନର ଆଗମନକୁ ଅନ୍ୟତ୍ର ଡାଇଭର୍ଟ କରାଯାଇଥିଲା ବୋଲି ସେମାନେ କହିଛନ୍ତି।

ରିପୋର୍ଟରୁ ପ୍ରକାଶ, ରାଜଧାନୀ ନୂଆଦିଲ୍ଲୀରେ ସୋମବାର ଅପରାହ୍ନରେ ହୋଇଥିବା କାଳବୈଶାଖୀ ଜନିତ ପ୍ରବଳ କୁଆପଥର ବର୍ଷା ସହିତ ପ୍ରବଳ ପବନ ଅନେକ କାରକୁ କ୍ଷତି ପହଞ୍ଚାଇଛି। ଅନେକ ସ୍ଥାନରେ ବଡ଼ ବଡ଼ ଗଛ ସବୁ ଉପୁଡ଼ି ପଡ଼ିବା ସହ ବିଦ୍ୟୁତ ସରବରାହ ବନ୍ଦ ହୋଇ ଯାଇଥିଲା। କାଳବୈଶାଖୀ ଜନିତ ଘୂର୍ଣିଝଡ଼ର ବେଗ ଏତେ ତୀବ୍ର ଓ ପ୍ରଖର ଥିଲା ଯେ ରାଜଧାନୀ ଦିଲ୍ଲୀର ଟ୍ରାଫିକ ଦୀର୍ଘ ସମୟ ପାଇଁ ଠପ୍ ହୋଇ ଯାଇଥିଲା।
ଅନ୍ୟପକ୍ଷରେ ଏହି କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ରେ ଐତିହାସିକ ଜାମା ମସଜିଦରେ ବ୍ୟାପକ କ୍ଷତି ହୋଇଛି। ଜାମା ମସଜିଦର ଶାହୀ ଇମାମ ସୟଦ ଅହମ୍ମଦ ବୁଖାରୀ କହିଛନ୍ତି ଯେ ମସଜିଦର ଗୋଟିଏ ମିନାର ଏବଂ ଅନ୍ୟାନ୍ୟ ସ୍ଥାନରୁ ଘୂର୍ଣ୍ଣିଝଡ଼ରେ ପଥର ଖସି ପଡଛି ଏବଂ ପଥର ଖସିବା ଫଳରେ ଦୁଇ ଜଣ ଆହତ ହୋଇଛନ୍ତି। ଦିଲ୍ଲୀ ୱାକଫ ବୋର୍ଡ ଅଧିକାରୀ କହିଛନ୍ତି ଯେ କ୍ଷୟକ୍ଷତିର ଯାଞ୍ଚ ଏବଂ ମୂଲ୍ୟାଙ୍କନ ପାଇଁ ଏକ ଦଳକୁ ଜାମା ମସଜିଦକୁ ପଠାଯାଇଛି।