ଲଣ୍ଡନରେ ପ୍ରବାସୀ ଓଡ଼ିଆଙ୍କ ଭିନ୍ନ ଉଦ୍ୟମ: ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ୬ହଜାର ୬୦୦ ମାଇଲ ଯାତ୍ରା

ଲଣ୍ଡନ : ନା ଦୂରତା ବାଧିବ, ନା କଷ୍ଟ ଲାଗିବ। ମହାପ୍ରଭୁଙ୍କ ପାଇଁ ଚାଲିବୁ ଓ ମନ୍ଦିର ନିର୍ମାଣ କରିବୁ। ଲଣ୍ଡନରେ ରହୁଥିବା ପ୍ରବାସୀ ଓଡ଼ିଆ ଏଭଳି ସଂକଳ୍ପ ନେଇ ତାହାକୁ ପୂରଣ କରିବାକୁ ଲାଗି ପଡ଼ିଛନ୍ତି। ଲଣ୍ଡନରେ ନିର୍ମାଣ ହେବାକୁ ଥିବା ଭବ୍ୟ ଜଗନ୍ନାଥ ମନ୍ଦିର ପାଇଁ ଏବେ ଅର୍ଥ ସଂଗ୍ରହରେ ଲାଗି ପଡ଼ିଛନ୍ତି ଲଣ୍ଡନରେ ରହୁଥିବା ଓଡ଼ିଆ ସମାଜ।

ଶ୍ରୀଜଗନ୍ନାଥ ସୋସାଇଟି, ୟୁକେ ଟ୍ରଷ୍ଟ ନାମରେ ନାମିତ ଏହି ସଂଗଠନର ସଦସ୍ୟମାନେ ପାଣ୍ଠି ସଂଗ୍ରହ ପାଇଁ ଏବେ ଦିନରାତି ଏକ କରିଦେଇଛନ୍ତି। ଶ୍ରୀଜଗନ୍ନାଥ ସୋସାଇଟି ୟୁକେ ତରଫରୁ ଲଣ୍ଡନଠାରୁ ପୁରୀ ଦୂରତା ଚ୍ୟାଲେଞ୍ଜ ୩ରୁ ୪ମାସ ଧରି ଆୟୋଜନ କରାଯାଇଛି। ଏହି ଚ୍ୟାଲେଞ୍ଜରେ ଜଗନ୍ନାଥପ୍ରେମୀ ଭକ୍ତମାନଙ୍କୁ ଲଣ୍ଡନରୁ ପୁରୀ ୬ ହଜାର ୬୦୦ ମାଇଲ ସମ୍ପୂର୍ଣ୍ଣ କରିବାକୁ ଚ୍ୟାଲେଞ୍ଜ ଦିଆଯାଇଛି। ବିଶ୍ୱର ଯେକୌଣସି ସ୍ଥାନରେ ଥିଲେ ବି ଜଣେ ଏହି ଚ୍ୟାଲେଞ୍ଜରେ ଭାଗ ନେଇ ପାରି‌ବେ। ୬ ମାସରେ ଏହି ଦୂରତା ଅତିକ୍ରମ କରିବା ସହ ଜଗନ୍ନାଥ ମନ୍ଦିର ନିର୍ମାଣ କରିବାର ଯଥାର୍ଥତା ସହ କିଭଳି ଲୋକଙ୍କ ସାହାଯ୍ୟ ମିଳିପାରିବ, ତାହା ହିଁ ଲକ୍ଷ୍ୟ ରଖାଯାଇଛି।

ଏଥିପାଇଁ ଶ୍ରୀଜଗନ୍ନାଥ ସୋସାଇଟି, ୟୁକେ ପକ୍ଷରୁ ୮ଟି ଟିମ୍‌ (ମହାବାହୁ, ଚକାଡୋଳା, ଜଗନ୍ନାଥ, ପୁରୁଷୋତ୍ତମ, ବଳଭଦ୍ର, ସୁଭଦ୍ରା, ନନ୍ଦିଘୋଷ ଓ ଆମ୍ବୃସ) ଗଠନ କରାଯାଇଛି। ଏଥିରେ ୩ଟି ଦୌଡ଼ ବା ରନିଙ୍ଗ ଟିମ୍‌, ୩ଟି ଚାଲିବା ବା ୱାକିଙ୍ଗ ଟିମ୍‌ ଓ ୨ଟି ସାଇକେଲିଂ ଟିମ୍‌ ଗଠନ କରାଯାଇଛି। ପ୍ରତି ଟିମ୍‌ରେ ୧୨ଜଣ ସଦସ୍ୟ ଥିବା ବେଳେ ସେମାନେ ୬ ମାସରେ ୬ ହଜାର ୬୦୦ ମାଇଲକୁ ସମ୍ପୂର୍ଣ୍ଣ କରିବାର ଚ୍ୟାଲେଞ୍ଜ ନେଇଛନ୍ତି। ୱାକିଙ୍ଗ୍‌ ଟିମ୍‌ର ଡ. ଜୟଶ୍ରୀ ନନ୍ଦ ନିଜ ଚ୍ୟାଲେଞ୍ଜ ସମ୍ପୂର୍ଣ୍ଣ କରିସାରିଛନ୍ତି। ସେ ୩ ମାସରେ ୧ ହଜାର ମାଇଲ ବା ପ୍ରାୟ ୧୬୦୦ କିଲୋମିଟର ଚାଲିଚାଲି ମନ୍ଦିର ନିର୍ମାଣ ପାଇଁ ୧୨୦୦ ପାଉଣ୍ଡ ବା ୧ ଲକ୍ଷ ୨୦ହଜାର ଟଙ୍କା ସଂଗ୍ରହ କରିଛନ୍ତି। ସମୁଦାୟ ୮୪ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ବିଭୁ ପଟ୍ଟନାୟକ, ଅଞ୍ଜନ ମିଶ୍ର, ଉପସ୍ମିତା ମିଶ୍ର ଓ ରଶ୍ମିତା ପାତ୍ର ପ୍ରମୁଖ ନିଜର ମାରାଥନ୍‌ ସାରି ଦାନ ଅର୍ଥ ସଂଗ୍ରହ କରିସାରିଛନ୍ତି।

ଜୟଶ୍ରୀଙ୍କ କହିବା କଥା, ମହାପ୍ରଭୁଙ୍କୁ ହୃଦୟରେ ରଖି ଚାଲିଥିବାରୁ କଷ୍ଟ କ’ଣ ଜାଣି ପାରିନଥିଲେ। ପ୍ରତିଦିନ ସେ ୧୬ କିଲୋମିଟର ଚାଲୁଥିଲେ। ଦିନକୁ ୩ ଘଣ୍ଟା ଚାଲି ଚାଲି ସେ ଏହି ଚ୍ୟାଲେଞ୍ଜକୁ ସମ୍ପୂର୍ଣ୍ଣ କରିଛନ୍ତି। ସେ କହିଛନ୍ତି, ଗ୍ରେଟର୍‌ ଲଣ୍ଡନ ଅଞ୍ଚଳରେ ନିର୍ମାଣ ହେବାକୁ ଥିବା ଏହି ମନ୍ଦିର ପାଇଁ ବ୍ରିଟେନ୍‌ରେ ଥିବା ଓଡ଼ିଆ ଏବଂ ସମଗ୍ର ବିଶ୍ୱରେ ଥିବା ଜଗନ୍ନାଥ ଭକ୍ତ, କର୍ପୋରେଟ୍ ସଂସ୍ଥାଠାରୁ ସହାୟତା ମାଧ୍ୟମରେ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପାଣ୍ଠି ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି। ଏହି ପ୍ରୟାସରେ ଯଦି ଗୁଣ୍ଡୁଚି ମୂଷା ଭଳି ଯୋଗଦାନ ଦେଇପାରିବୁ, ତାହାଠାରୁ ଭଳି ସୌଭାଗ୍ୟର କଥା ଆଉ କିଛି ନାହିଁ। ସୋସାଇଟିର ଅଧ୍ୟକ୍ଷ ଡ. ସହଦେବ ସ୍ୱାଇଁ କହିଛନ୍ତି ଯେ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ୟୁକେ ଉଦ୍ୟମରେ ୨୦୨୪ ସୁଦ୍ଧା ଏହି ମନ୍ଦିର ନିର୍ମାଣ କରାଯିବ ବୋଲି ଘୋଷଣା କରାଯାଇଛି। ଏହି ମନ୍ଦିର ନିର୍ମାଣରେ ପ୍ରାୟ ୪୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ କରାଯାଇଥିବା ବେଳେ ଲଣ୍ଡନ ଖୁବ୍‌ଶୀଘ୍ର ୟୁରୋପର ‘ଜଗନ୍ନାଥ ଧାମ’ ଭାବେ ପରିଚିତ ହେବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ୬ ହଜାର ୬୦୦ ମାଇଲ ଦୂରତାକୁ ଭର୍ଚୁଆଲ ଢଙ୍ଗରେ ସମାପନ କରାଯିବ। ଲଣ୍ଡନରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ବ୍ରୁସେଲସ-ବର୍ଲିନ-କାବୁଲ-ନୂଆଦିଲ୍ଲୀ-ବାରଣାସୀ-କୋଲକତା-ଭୁବନେଶ୍ୱର ଦେଇ ପୁରୀ‌ରେ ଶେଷ ହେବ।

ସମ୍ବନ୍ଧିତ ଖବର