ଓଡ଼ିଶା ପୋଲିସରେ ୯.୦୮% ମହିଳା

ନୂଆଦିଲ୍ଲୀ : ଓଡ଼ିଶା ପୋଲିସରେ ଜାନୁଆରି ୧, ୨୦୨୧ ସୁଦ୍ଧା କାର୍ଯ୍ୟରତ ମହିଳା ପୋଲିସଙ୍କ ସଂଖ୍ୟା ଥିଲା ୯.୦୮ ପ୍ରତିଶତ । ରାଜ୍ୟ ପୋଲିସରେ ମୋଟ ୬୪,୩୫୯ କାର୍ଯ୍ୟ କରୁଥିବାବେଳେ ଏଥିରେ ରହିଛନ୍ତି ୫୮୪୭ ମହିଳା ପୋଲିସ। ଏମାନଙ୍କ ମଧ୍ୟରୁ ସିଭିଲ ପୋଲିସରେ ୪୧୬୨, ଜିଲ୍ଲା ଆର୍ମଡ୍‌ ରିଜର୍ଭ ପୋଲିସରେ ୧୪୮୭ ଏବଂ ସ୍ପେସାଲ୍‌ ଆର୍ମଡ ପୋଲିସ ବାଟାଲିୟନରେ ୧୯୮ ଜଣ କାର୍ଯ୍ୟକରୁଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟର ବ୍ୟୁରୋ ଅଫ୍‌ ପୋଲିସ ରିସର୍ଚ ଆଣ୍ଡ‌୍ ଡେଭଲପମେଣ୍ଟ୍‌ (ବିପିଆର୍‌ଆଣ୍ଡ୍‌ଡି) ପକ୍ଷରୁ ସଦ୍ୟ ପ୍ରକାଶିତ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି। ଓଡ଼ିଶା ସମେତ ୨୦ଟି ରାଜ୍ୟରେ ପୋଲିସରେ ନିଯୁକ୍ତ ମହିଳାଙ୍କ ସଂଖ୍ୟା ୧୦ ପ୍ରତିଶତରୁ କମ ରହିଛି। ଅନ୍ୟ ପକ୍ଷରେ ଓଡ଼ିଶା ସମେତ ୧୫ଟି ରାଜ୍ୟରେ ପୋଲିସ ନିଯୁକ୍ତିରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି। ସାରା ଦେଶରେ ମହିଳା ପୋଲିସଙ୍କ ସଂଖ୍ୟା ରହିଛି ୨,୧୭,୦୨୬। ଜାତୀୟ ସ୍ତରରେ କାର୍ଯ୍ୟରତ ମହିଳା ପୋଲିସଙ୍କ ହାର ୧୦.୪୯ ରହିଛି। ଓଡ଼ିଶାରେ ମହିଳା ପୋଲିସ ସଂଖ୍ୟା ଜାତୀୟ ହାର ଠାରୁ କମ ରହିଛି।

ତାମିଲନାଡ଼ୁରେ ଏହି ସଂଖ୍ୟା ସର୍ବାଧିକ ୧୯.୩୭ ପ୍ରତିଶତ ରହିଛି। ରିପୋର୍ଟରେ ଦିଆଯାଇଥିବା ତଥ୍ୟ ଅନୁସାରେ ଓଡ଼ିଶାରେ ଏକ ଲକ୍ଷ ଜନସଂଖ୍ୟାରେ ୧୬୫.୩୧ ଜଣ ପୋଲିସ ବ୍ୟବସ୍ଥା ଥିବା ବେଳେ ଅଛନ୍ତି ୧୪୧.୨୯। ରାଜ୍ୟରେ ମଂଜୁରିପ୍ରାପ୍ତ ପୋଲିସ ପଦବି ସଂଖ୍ୟା ୭୫,୩୦୦। କିନ୍ତୁ ଏଥିରୁ ୧୦,୯୪୧ ପଦ ଖାଲିପଡ଼ିଛି। ସେହି ଭଳି ରାଜ୍ୟରେ ମଂଜୁରିପ୍ରାପ୍ତ ୧୯୫ ଆଇପିଏସ୍‌ ଅଧିକାରୀଙ୍କ ମଧ୍ୟରୁ ଅଛନ୍ତି ୧୨୪। ୨୧ ଜଣ ଆଇପିଏସ୍‌ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ୨୦୨୦-୨୧ରେ ୧,୫୦,୦୦୦ କୋଟି ଟଙ୍କାର ରାଜ୍ୟ ବଜେଟ୍‌ରୁ ପୋଲିସ ପାଇଁ ୪୧୭୬.୮୮ କୋଟି ଟଙ୍କା ବ୍ୟବସ୍ଥା ହୋଇଥିଲା। ଜାନୁଆରୀ ୧,୨୦୨୧ ସୁଦ୍ଧା ଓଡ଼ିଶାର ୧୫ଟି ପୋଲିସ ଜିଲ୍ଲା ନକ୍ସଲ ପ୍ରଭାବିତ ଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର