ପ୍ରତିବାଦକାରୀଙ୍କ ଶିବିରରେ ଶ୍ରୀଲଙ୍କା ନିରାପତ୍ତା ବଳର ଚଢ଼ାଉ; ୯ ଗିରଫ, ୫୦ ଆହତ

କଲମ୍ବୋ: ଗତରାତିରେ ଶ୍ରୀଲଙ୍କାର ବାଣିଜ୍ୟିକ ରାଜଧାନୀ କଲମ୍ବୋରେ ଶ୍ରୀଲଙ୍କୀୟ ନିରାପତ୍ତା ବଳ ଗୋଟାଏ ସରକାର ବିରୋଧୀ ପ୍ରତିବାଦକାରୀ ଶିବିରରେ ଚଢ଼ାଉ କରିଥିବା କଥା ଦୁଇଜଣ ପ୍ରତିବାଦକାରୀ କହିଛନ୍ତି। ଏହାର ଅର୍ଥ ଶପଥ ଗ୍ରହଣ କରିବାର ଦିନେ ନ ପୂରୁଣୁ ରାଷ୍ଟ୍ରପତି ପ୍ରତିବାଦକାରୀଙ୍କ ଉପରେ ଦମନ ଲୀଳା ଆରମ୍ଭ କରି ଦେଇଛନ୍ତି ବୋଲି ସେମାନେ କହିଛନ୍ତି।

ଚଢ଼ାଉ ସମୟରେ ୯ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା କଥା ମଧ୍ୟ ଜଣେ ପୁଲିସ ମୁଖପାତ୍ର କହିଛନ୍ତି।

ନିରାପତ୍ତାବଳ ଚଢ଼ାଉ ବେଳେ କେତେକ ସାମ୍ବାଦିକଙ୍କ ସମେତ ଅନ୍ୟୂନ ୫୦ଜଣ ପ୍ରତିବାଦକାରୀ ଆହତ ହୋଇଥିବା କଥା ଆୟୋଜନକାରୀମାନେ କହିଛନ୍ତି।

ପ୍ରତିବାଦକାରୀଦ୍ବୟ ଆହୁରି ମଧ୍ୟ କହିଛନ୍ତି, ମଧ୍ୟରାତ୍ର ପରେ ଅସଂଖ୍ୟ ନିରାପତ୍ତା ବଳ କର୍ମଚାରୀମାନେ ‘ଗୋଟା ଗୋ ଗାମା’ ପ୍ରତିବାଦ ଶିବିର ଚାରିପଟେ ଘେରି ଯାଇ କିଛି ପ୍ରତିବାଦକାରୀଙ୍କୁ ଧରି ନେଇଥିଲେ।

Image Courtesy of Reuters

ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’କୁ ପ୍ରତିବାଦକାରୀ ଚମୀରା ଡେଦ୍ଦୁୱାଗେ କହିଛନ୍ତି, ଏହା ଥିଲା ସୁବ୍ୟବସ୍ଥିତ ଏବଂ ସୁପରିକଳ୍ପିତ ଆକ୍ରମଣ। ବାସ୍ତବରେ ସେମାନେ ଲୋକମାନଙ୍କ ଉପରେ ଭୀଷଣ ଆକ୍ରମଣ କରିଛନ୍ତି।

ପ୍ରତିବାଦ ଶିବିରକୁ ବେଢ଼ିଯିବା ପରେ ନିରାପତ୍ତା ବଳର କର୍ମଚାରୀମାନେ ରାଷ୍ଟ୍ରପତିଙ୍କ ସଚିବାଳୟ ସମ୍ମୁଖକୁ ଯାଇ କେତେକ ତମ୍ବୁ ଖୋଲି ପକାଇବା ସହ ସେ ଅଞ୍ଚଳରେ ଥିବା ପ୍ରତିବାଦକାରୀଙ୍କୁ ଆକ୍ରମଣ କରିଥିଲେ ବୋଲି ପ୍ରତିବାଦ ଆୟୋଜନକାରୀ ମଞ୍ଜୁଳା ସମରସେକର କହିଛନ୍ତି।

ରବିବାର ଦିନ ନୂଆ ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ଶ୍ରୀଲଙ୍କାରେ ରାଷ୍ଟ୍ରୀୟ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି। ତେଣୁ, ପ୍ରତିବାଦକାରୀମାନଙ୍କୁ ଅଟକ ରଖିବା ଏବଂ ଗିରଫ କରିବା ସହ ପ୍ରତିବାଦ ପ୍ରଦର୍ଶନ ଅଧିକାରକୁ କାଣ୍ଟଛାଣ୍ଟ କରିବା ଲାଗି ସେନାକୁ କ୍ଷମତା ଦିଆଯାଇଛି।

ସମ୍ବନ୍ଧିତ ଖବର