ଭିଆରଏସ ପାଇଁ ଆବେଦନ କଲେ ବିଏସଏନଏଲ ଓ ଏମଟିଏନଏଲର ୯୨,୭୦୦ କର୍ମଚାରୀ

ନୂଆଦିଲ୍ଲୀ : ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନି ବିଏସଏନଏଲ ପକ୍ଷରୁ ସ୍ୱେଚ୍ଛାକୃତ ଅବସର ଯୋଜନା(ଭିଆରଏସ) ଗତ ୩ ତାରିଖରେ ଶେଷ ହୋଇଛି । ଏହି ଯୋଜନାରେ ପ୍ରାୟ ୯୨ ହଜାର ୭୦୦ କର୍ମଚାରୀ ଏଥିଲାଗି ଆବେଦନ କରିଛନ୍ତି ବୋଲି ବିଏସଏନଏଲ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପି.କେ. ପୁରଓ୍ଵାର କହିଛନ୍ତି ।

ଏହା ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ବୋଲି ସେ କହିଛନ୍ତି । କାରଣ ଭିଆରଏସ ଯୋଜନା ମାଧ୍ୟମରେ ୭୦ରୁ ୮୦ ହଜାର କର୍ମଚାରୀଙ୍କୁ ଅବସର ଦେବାକୁ ଲକ୍ଷ୍ୟ ରଖାଯାଇଥିଲା । ସେ କହିଛନ୍ତି ଯେ ଭିଆରଏସ ଆବେଦନ କରିଥିବା ୯୨୭୦୦ ହଜାର କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୭୮୩୦୦ ବିଏସଏନଏଲ କର୍ମଚାରୀ ଓ ଅବଶିଷ୍ଠ ୧୪,୩୭୮ ଜଣ ଏମଟିଏନଏଲ କର୍ମଚାରୀ । ଏସବୁ କର୍ମଚାରୀ ଅବସର ନେବା ପରେ ଦୁଇ କମ୍ପାନି ବର୍ଷକୁ ପ୍ରାୟ ୮୮୦୦ କୋଟି ଟଙ୍କା ସଂଚୟ କରିପାରିବେ ।

ଗତ ଅକ୍ଟୋବର ୨୩ ତାରିଖରେ ସରକାର ବିଏସଏନଏଲର ପୁନରୁଦ୍ଧାର ଯୋଜନାକୁ ମଂଜୁରୀ ଦେଇଥିଲେ । ଏହା ସହିତ ବିଏସଏନଏଲ-ଏମଟିଏନଏଲ ମିଶ୍ରଣକୁ ମଂଜୁରୀ ଦେଇଥିଲେ । ଏହା ସହିତ ସରକାର ଏହି କମ୍ପାନିରେ ପ୍ରାୟ ୨୯,୯୩୭ କୋଟି ଟଙ୍କାର ପୁଞ୍ଜି ଭର୍ତ୍ତି କରିବେ ବୋଲି ଘୋଷଣା କରିଥିଲେ । ଏଥିପାଇଁ ସୋଭେରିନ ବଣ୍ଡ ଜାରି କରି ବଜାରରୁ ୧୫ ହଜାର କୋଟି ଟଙ୍କା ସଂଗ୍ରହ କରାଯିବ । ଏହାଛଡା ଆସନ୍ତା ୪ ବର୍ଷରେ ୩୮ ହଜାର କୋଟି ଟଙ୍କାର ସଂପତ୍ତିକୁ ବିକ୍ରି କରାଯିବ ବୋଲି ସରକାର ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର