ଆସିଲା ଗଲଓ୍ବାନ ସଂଘର୍ଷର ଆଉ ଏକ ଭିଡିଓ

ନୂଆଦିଲ୍ଲୀ : ଗତ ବର୍ଷ ଗଲଓ୍ବାନ ଘାଟିରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷର ଆଉ ଏକ ଭିଡ଼ିଓ ଚୀନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପୂର୍ବ ଲଦାଖର ଗୋଗ୍ରା ଶିଖରରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଦୁଇଦେଶ ଏକ ମିଳିତ ଘୋଷଣାନାମା ପ୍ରକାଶ କରିବାର କିଛି ସମୟ ପରେ ଏହି ଭିଡିଓ ଅପଲୋଡ୍ କରାଯାଇଛି ।

୪୮ ମିନିଟର ଏହି ଭିଡିଓରେ ଦେଖାଯାଉଛି ଯେ ଚୀନ ସେନା ପକ୍ଷରୁ ଭାରତୀୟ ସୈନ୍ୟମାନଙ୍କ ଉପରେ ପଥର ମାଡ଼ କରାଯାଉଛି । କିନ୍ତୁ ଗଲଓ୍ବାନ ନଦୀର ପ୍ରବଳ ଥଣ୍ଡାପାଣିରେ ଥାଇ ବି ଭାରତୀୟ ସୈନ୍ୟମାନେ ଚୀନ ସୈନ୍ୟଙ୍କ ମୁକାବିଲା କରୁଛନ୍ତି । ଚୀନ ସୈନ୍ୟମାନେ ଏହି ପ୍ରବଳ ଥଣ୍ଡା ପାଣିରେ ଛିଡ଼ା ମଧ୍ୟ ହୋଇପାରୁନାହାନ୍ତି । ଭିଡ଼ିଓରେ ଚୀନ ସେନାର କେତେକ ଉପକରଣ ମଧ୍ୟ ଦେଖାଯାଉଛି ।

 

ଗଲଓ୍ବାନ ସଂଘର୍ଷରେ ପ୍ରାଣ ହରାଇଥିବା ଜଣେ ଚୀନ ସୈନିକଙ୍କ ପରିବାର ପକ୍ଷରୁ ଏହି ଭିଡିଓ ଅପଲୋଡ କରାଯାଇଥିବା କୁହାଯାଉଛି । ୨୦୨୦ ଜୁନ ୧୫ରେ ହୋଇଥିବା ଗଲଓ୍ବାନ ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିବା ଭାରତ ସରକାର ସ୍ବୀକାର କରିଥିଲେ । ତେବେ ଚୀନ ପ୍ରଥମେ ଏ ନେଇ ନୀରବତା ଅବଲମ୍ବନ କରିଥିଲେ ବି ପରେ ସ୍ବୀକାର କରିଥିଲା ଯେ ଏଥିରେ ୪ ଜଣ ପିଏଲଏ ସୈନିକ ମୃତ୍ୟୁବରଣ କରିଥିଲେ ।

ସମ୍ବନ୍ଧିତ ଖବର