ଦିନକରେ ରେକର୍ଡ ୫୨୪୧ ମାମଲା: ଭାରତରେ ବଢ଼ି ଚାଲିଛି କରୋନା ପ୍ରକୋପ, ଆକ୍ରାନ୍ତ ସଂଖ୍ୟା ୯୬ ହଜାର ପାର୍‌

ଆରୋଗ୍ୟ ହାର ୩୮.୨୯%

ନୂଆଦିଲ୍ଲୀ: ବ୍ୟାପକ କଟକଣା ଓ ଲକ୍‌ଡାଉନ୍‌ ଭିତରେ ବି ଭାରତରେ କରୋନାଭୂତାଣୁ ସଂକ୍ରମଣ ବଢ଼ି ଚାଲିଛି ଏବଂ ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୨୪୧ ଜଣ ନୂଆ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ଏବଂ ୧୫୭ ଜଣଙ୍କ ମୃତ୍ୟୁ ଘଟିଛି।। ଏହା ସହିତ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୬ ହଜାର ଅତିକ୍ରମ କରିଛି। ଦେଶରେ ଦିନକ ମଧ୍ୟରେ ଏତେ ସଂକ୍ରମଣ ହେବା ଏକ ରେକର୍ଡ ହୋଇଥିବା ବେଳେ ଆଗକୁ ଏହା ଜଟିଳ ହେବା ଆଶଙ୍କା କରାଯାଉଛି। ତେବେ କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ହାର ମଧ୍ୟ ବଢ଼ି ଆଜି ୩୮.୨୯ରେ ପହଞ୍ଚିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ କରୋନାରେ ୬୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁଜରାଟରେ ୩୪ ଜଣ, ଦିଲ୍ଲୀରେ ୩୧ ଜଣ, ପଶ୍ଚିମବଂଗରେ ୬ ଜଣ, ରାଜସ୍ଥାନରେ ୫ ଜଣ, ମଧ୍ୟପ୍ରଦେଶରେ ୫ ଜଣ ଏବଂ ତାମିଲନାଡ଼ୁରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ କୋଭିଡ-୧୯ ମୃତକଙ୍କ ସଂଖ୍ୟା ୩ ହଜାର ଟପି ଯାଇଛି। ଆଜି ସୁଦ୍ଧା କରୋନାରେ ସର୍ବାଧିକ ମୃତ୍ୟୁ ମହାରାଷ୍ଟ୍ରରେ ହୋଇଥିବା ବେଳେ ଦ୍ବିତୀୟ ସ୍ଥାନରେ ଗୁଜରାଟ ରହିଛି। ମହାରାଷ୍ଟ୍ରରେ ୧୨ ଶହରୁ ଅଧ ପ୍ରାଣ ହରାଇଛନ୍ତି।

ଅନ୍ୟପକ୍ଷରେ ଦିଲ୍ଲୀରେ ମଧ୍ୟ କରୋନା ପ୍ରକୋପ ବଢ଼ିଚାଲିଛି। ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଅତିକ୍ରମ କରିଯାଇଥିବା ବେଳେ ବିଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩ ଶହ ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀରେ ଆରୋଗ୍ୟ ହାର ୪୪.୬ ରହିଛି। ମଧ୍ୟପ୍ରଦେଶର ଇନ୍ଦୋରରେ ସ୍ଥିତି ଜଟିଳ ହେବାରେ ଲାଗିଛି। ଗତକାଲି ଇନ୍ଦୋରରେ ୯୫ଟି ନୂଆ ମାମଲା ସହ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୫୬୫ରେ ପହଞ୍ଚିଛି। ଗୁଜରାଟରେ ୨୪ ଘଣ୍ଟାରେ ୩୯୧ଟି ନୂଆ ମାମଲା ସାମ୍ନାକୁ ଆସିବା ପରେ ଲାଲ୍‌ ଜୋନ୍‌ରେ ସର୍ବାଧିକ ସତର୍କତା ଅବଲମ୍ବନ କରାଯାଉଛି। ଅନ୍ୟପକ୍ଷରେ ତାମିଲନାଡ଼ୁରେ ମଧ୍ୟ ସ୍ଥିତି ଜଟିଳ ହେବାରେ ଲାଗିଛି। ରାଜ୍ୟରେ ୨୪ ଘଣ୍ଟାରେ ୬୩୯ ମାମଲା ସାମ୍ନାକୁ ଆସିଛି।

ସମ୍ବନ୍ଧିତ ଖବର