ଆସୁଛି ଅମ୍ଫାନ୍‌ : ବିପଦକୁ ଆଉ ୩୬ ଘଣ୍ଟା

ପରାମର୍ଶ ଲୋଡ଼ିଲା ବିଏମ୍‌ସି, ୬୫ କିମିରେ ପବନ, ୫୦ ମିମି ପର୍ଯ୍ୟନ୍ତ ବର୍ଷା

ଭୁବନେଶ୍ବର : ବାତ୍ୟା ଅମ୍ଫାନ୍ ପ୍ରଭାବରେ ରାଜଧାନୀରେ ମଙ୍ଗଳବାରଠାରୁ ବର୍ଷା ପବନ ଆରମ୍ଭ ହୋଇଯିବ। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ରାଜଧାନୀରେ ଜୋର୍‌ରେ ପବନ ନହେଲେ ବି ଘଣ୍ଟା ପ୍ରତି ୬୦ରୁ ୭୦କିମି ବେଗରେ ପବନ ବହିବ। ୫୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ତେଣୁ ଏହାର ମୁକାବିଲା ପାଇଁ ବିଏମ୍‌ସି ପକ୍ଷରୁ ଜୋରଦାର୍‌ ପ୍ରସ୍ତୁତି ଆରମ୍ଭ ହୋଇଛି।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ଓ ବୁଧବାର ଭୁବନେଶ୍ବର ପାଇଁ ଗୁରୁତ୍ବପୂର୍ଣ୍ଣ। ମଙ୍ଗଳବାର ରାଜଧାନୀରେ ୪୦ରୁ ୪୫କିମି ବେଗରେ ପବନ ବହିବା ସହ ପ୍ରାୟ ୩୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। କିନ୍ତୁ ବୁଧବାର ଅପରାହ୍‌ଣରେ ବାତ୍ୟାର ପ୍ରକୋପ ଅଧିକ ବଢ଼ିବ। ଏଠାରେ ୪୫ରୁ ୫୫ ମିମି ପର୍ଯ୍ୟନ୍ତ ବର୍ଷା ସହ ଘଣ୍ଟା ପ୍ରତି ୫୫ରୁ ୬୫ କିମି ପର୍ଯ୍ୟନ୍ତ ପବନ ବହିବ। ତେଣୁ ଏନେଇ ପ୍ରସ୍ତୁତ ରହିବାକୁ ବିଏମ୍‌ସିକୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରରୁ ବାତ୍ୟା ଜନିତ ପବନ ଓ ବର୍ଷାର ସୂଚନା ପାଇବା ପରେ ବିଏମ୍‌ସି ପକ୍ଷରୁ ଜୋରଦାର୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ଭୁବନେଶ୍ବରର ତିନି ବିଧାୟକଙ୍କୁ ଡାକି ଆଲୋଚନା କରିବା ସହ ସେମାନଙ୍କ ପରାମର୍ଶ ଲୋଡ଼ିଛି। ବିଧାୟକମାନେ ମଧ୍ୟ ସେମାନଙ୍କର ଅଭିଜ୍ଞତା ଅନୁଯାୟୀ ରାଜଧାନୀରେ କ’ଣ କରାଯାଇପାରିବ, କିପରି ଲୋକଙ୍କୁ ଆବଶ୍ୟକ ସ୍ଥଳେ ସ୍ଥାନାନ୍ତର କରାଯିବ, ଜଳବନ୍ଦୀ ଅଞ୍ଚଳରେ କିପରି ପାଣି ନିଷ୍କାସନ ହୋଇପାରିବ, ବସ୍ତି ଅଞ୍ଚଳରେ ମୁଖ୍ୟତଃ କ’ଣ କରିବାକୁ ପଡ଼ିବ, ସେନେଇ ପରାମର୍ଶ ଦେଇଥିଲେ। ବିଏମ୍‌ସି କର୍ମଚାରୀଙ୍କୁ ସମସ୍ତ ପ୍ରକାରର ସହଯୋଗ କରିବାକୁ ବିଧାୟକମାନେ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।

ବିଏମ୍‌ସି କମିସନର୍‌ ପ୍ରେମ ଚନ୍ଦ୍ର ଚୌଧରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ପ୍ରସ୍ତୁତି ବୈଠକରେ ଭୁବନେଶ୍ବର ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବିଏମ୍‌ସିର ଅତିରିକ୍ତ କମିସନର୍‌ ସୁରଥ ଚନ୍ଦ୍ର ମଲ୍ଲିକ, ଅବନିକାନ୍ତ ପଟ୍ଟନାୟକ, ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ।

ଏକାମ୍ର ବିଧାୟକ ତଥା ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ‌ଅଶୋକ ଚନ୍ଦ୍ର ପଣ୍ଡା କହିଥି‌ଲେ ଯେ ଲୋକ ଯେପରି ପିଇବା ପାଣି ଓ ବିଦ୍ୟୁତ୍‌ ଯୋଗାଣ ଯୋଗୁଁ ହଇରାଣ ନ ହେବେ, ସେଥିପାଇଁ ଆବଶ୍ୟକ ଜେନେରେଟର୍‌ ଓ କର୍ମଚାରୀ ନିୟୋଜିତ କରାଯାଉ। ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ପରାମର୍ଶ ଦେଇଥିଲେ ଯେ ବସ୍ତି ଅଞ୍ଚଳକୁ ବିଶେଷ ଧ୍ୟାନ ଦିଆଯାଉ। ସମ୍ବେଦନଶୀଳ ଅଞ୍ଚଳରୁ ଲୋକଙ୍କୁ ଆବଶ୍ୟକସ୍ଥଳେ ସ୍ଥାନାନ୍ତର କରି ନିରାପଦ ସ୍ଥାନକୁ ଅଣାଯାଉ, ମୁଖ୍ୟ ଡ୍ରେନ୍‌ ପାର୍ଶ୍ବବର୍ତ୍ତୀ ଅଞ୍ଚଳଗୁଡ଼ିକୁ ମୁଖ୍ୟତଃ ଧ୍ୟାନ ଦିଆଯାଉ। ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ ପରାମର୍ଶ ଦେଇଥିଲେ ଯେ ୱାର୍ଡ ନଂ-୪ରେ ପାଣି ଓ ଡ୍ରେନ୍‌ ସମସ୍ୟାକୁ ଧ୍ୟାନ ଦେଇ ସେଠାରେ ଜେନେରେଟର୍‌ ଓ ପାଣି ପମ୍ପ ନି‌ୟୋଜିତ କରାଯାଉ।

ଏହାପରେ ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର ବିଏମ୍‌ସିର ପ୍ରସ୍ତୁତି ନେଇ କହିଥିଲେ ଯେ ଭୁବନେଶ୍ବରରେ ଜଳବନ୍ଦୀ, ଭାଙ୍ଗି ଯାଇଥିବା ଗଛ, ଡାଳ, ହୋର୍ଡିଂ ଆଦି ହଟାଇବା ଭଳି କାର୍ଯ୍ୟ ତଦାରଖ କରିବାକୁ ୬ଟି ଟିମ୍‌ ଗଠନ ହୋଇଛି। ଭୁବନେଶ୍ବରକୁ ୧୨ଟି ଜୋନ୍‌ରେ ବିଭକ୍ତ କରି ୧୨ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ସେମାନେ ସେମାନଙ୍କ ଅଞ୍ଚଳରେ ସମସ୍ତ କାର୍ଯ୍ୟ ତଦାରଖ କରିବେ। ପ୍ରତି ଜୋନ୍‌ରେ ଜେସିବି, ଟିପର୍ ଓ ଟ୍ରାକ୍ଟର ଆଦି ରଖାଯାଇଛି। ସମ୍ବେଦନଶୀଳ ଅଞ୍ଚଳରେ ଯେପରି ଜଳବନ୍ଦୀ ସମସ୍ୟା ନହେବ, ସେଥିପାଇଁ ୨୦ଟି ପାଣିପମ୍ପ ନିୟୋଜିତ କରାଯାଇଛି। ଅଗ୍ନିଶମ ବିଭାଗ ସହାୟତାରେ ଜଳ ନିଷ୍କାସନ ଓ ଉଦ୍ଧାର କାର୍ଯ୍ୟ ହେବ। ଯଦି କୌଣସି ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜେ ବା ଲୋକଙ୍କ ଘରେ ପାଣି ପଶେ ତେବେ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ।

ସମ୍ବନ୍ଧିତ ଖବର