କଶ୍ମୀରର ପୁଲ୍‌ଓ୍ଵାମାରୁ ମିଳିଲା ଅପହୃତ ବିଜେପି ନେତା ଶବିର ଅହମଦ୍‌ ଭଟଙ୍କ ଶବ

ଶ୍ରୀନଗର: ବୁଧବାର ପ୍ରତ୍ୟୁଷରେ ପୁଲ୍‌ଓ୍ଵାମା ଠାରୁ ଭାରତୀୟ ଜନତା ପାର୍ଟି ନିର୍ବାଚନ ମଣ୍ଡଳୀ ଅଧ୍ୟକ୍ଷ ଶବିର ଅହମଦ୍‌ ଭଟଙ୍କ ଶବ ଉଦ୍ଧାର କରାଯାଇଛି। ୨୬ ବର୍ଷିୟ ଭଟ ମଙ୍ଗଳବାର ଦିନ ଶ୍ରୀନଗରରୁ ପୁଲ୍‌ଓ୍ଵାମାସ୍ଥିତ ଘରକୁ ଯିବା ବାଟରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଦ୍ୱାରା ଅପହୃତ ହୋଇଥିଲେ।

ଶ୍ରୀନଗର ଠାରେ ଗୋଟାଏ ଭଡ଼ାଘରେ ରହୁଥିବା ଭଟ ଥିଲେ ଜଣେ ସୁରକ୍ଷିତ ବ୍ୟକ୍ତି। ଜନ୍ମସ୍ଥାନରେ ଇଦ୍‌ ପାଳିବାକୁ ସେ ମଙ୍ଗଳବାର ସଂଧ୍ୟାରେ ପୁଲ୍‌ଓ୍ଵାମା ଯାଉଥିଲେ। ପୁଲ୍‌ଓ୍ଵାମା ଠାରେ ନିଜ ଘର ପାଖରୁ ତାଙ୍କୁ ଅପହରଣ କରି ନିଆଯାଇଥିଲା।

ପୁଲ୍‌ଓ୍ଵାମାର ଲିଟର୍‌ ଗାଁରୁ ତାଙ୍କ ଶବ ଉଦ୍ଧାର କରାଯାଇଛି। ବିଜେପି ନେତାଙ୍କ ହତ୍ୟାର ପରିସ୍ଥିତିକୁ ଆମେ ତଦନ୍ତ କରୁଛୁ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ବିଜେପିର ରାଜ୍ୟ ମୁଖପାତ୍ର ଅଲ୍‌ତାଫ୍‌ ଠାକୁର ବିଜେପି ନେତାଙ୍କ ହତ୍ୟାକୁ ନିନ୍ଦା କରି ଆତଙ୍କବାଦୀଙ୍କୁ ନିନ୍ଦା କରିଛନ୍ତି। ଭଟ ଥିଲେ ଆମ ନିର୍ବାଚନ ମଣ୍ଡଳୀର ଅଧ୍ୟକ୍ଷ ଏବଂ ଉତ୍ସର୍ଗୀକୃତ ନେତା। ପରିବାରବର୍ଗଙ୍କ ସହ ଇଦ୍‌ ପାଳିବାକୁ ସେ ନିଜ ଘରକୁ ଯାଇଥିଲେ, କିନ୍ତୁ ଆତଙ୍କବାଦୀମାନେ ତାଙ୍କୁ ଅପହରଣ କରି ହତ୍ୟା କଲେ।

ଭଟ ହେଉଛନ୍ତି ଗତ ବର୍ଷକ ମଧ୍ୟରେ ଦକ୍ଷିଣ କଶ୍ମୀରରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଦ୍ୱାରା ନିହତ ହୋଇଥିବା ତୃତୀୟ ବିଜେପି ନେତା। ତାଙ୍କ ହତ୍ୟା ନିମନ୍ତେ ନିଜକୁ କୌଣସି ଆତଙ୍କବାଦୀ ସଙ୍ଗଠନ ଦାୟୀ କରି ନାହାନ୍ତି।

ସମ୍ବନ୍ଧିତ ଖବର