ଆତଙ୍କରେ ଥରୁଛି ଆଫଗାନିସ୍ତାନ, ଦେଶ ଛାଡ଼ିବାକୁ ଲୋକଙ୍କ ପ୍ରାଣମୂର୍ଚ୍ଛା ଉଦ୍ୟମ

ବିମାନରୁ ଖସି ୩ ମୃତ, ତାଲିବାନ ସରକାରକୁ ଚୀନ୍‌ ଓ ପାକିସ୍ତାନର ସମର୍ଥନ

କାବୁଲ: ଆଫଗାନିସ୍ତାନ ତାଲିବାନ ଦଖଲକୁ ଯିବା ପରେ ସବୁଠି ଭୟ ଓ ଆତଙ୍କର ବାତାବରଣ ଲାଗି ରହିଛି। ବିଭିନ୍ନ ସହରେ ଲୁଟ୍‌ପାଟ ଓ ଆକ୍ରମଣ ଆରମ୍ଭ ହୋଇଥିବା ଖବର ମିଳିଛି। ଭାରତ ଆସିଥିବା ‌କେତେକ ଆଫଗାନ ଶରଣାର୍ଥୀ ଭାରତ ପହଞ୍ଚିବା ପରେ କହିଛନ୍ତି ଯେ ତାଲିବାନ ଲୋକଙ୍କ ଜୀବନକୁ ନର୍କ କରିଦେବା ପାଇଁ ଅଭିଯାନ ଆରମ୍ଭ କରିଛି। ଶିଶୁ ଓ ମହିଳାମାନଙ୍କୁ ଟାର୍ଗେଟ୍‌ କରାଯାଉଥିବାରୁ ଲୋକେ ପ୍ରାଣ ବିକଳରେ ଦେଶ ଛାଡ଼ିବାକୁ ଚାହୁଛନ୍ତି। ଆଜି ଏକ ସାମରିକ ବିମାନରେ ଅତି ବିପଜ୍ଜନକ ଭାବେ ଓହଳି ହୋଇଯାଉଥିବା ୩ ଜଣ ଖସିପଡ଼ି ପ୍ରାଣ ହରାଇଛନ୍ତି। ଏହା ସହିତ ବିମାନବନ୍ଦରରେ ପ୍ରବଳ ଭିଡ଼ ନିୟନ୍ତ୍ରଣ ପାଇଁ ହୋଇଥିବା ଗୁଳିମାଡ଼ରେ ଅତି କମ୍‌ରେ ପାଞ୍ଚ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଦେଶ ଛାଡ଼ିବା ପାଇଁ ଲୋକେ ଏକ ପରିବହନ ବିମାନର ଟାୟାର ମଝିରେ ଛିଡ଼ା ହୋଇଯାଇଥିଲେ। କାବୁଲ ଏୟାରପୋର୍ଟରୁ ବିମାନଟି ଉଡ଼ାଣ ଆରମ୍ଭ କରି ଉପରକୁ ଉଠିବା ମାତ୍ରେ ଜଣେ ପରେ ଜଣେ ତଳକୁ ଖସିପଡ଼ି ପ୍ରାଣ ହରାଇଥିଲେ। କାବୁଲ ବିମାନ ବନ୍ଦରରେ ଭୟାନକ ସ୍ଥିତି ଉପୁଜିବାକରୁ ଆମେରିକାର ସୈନିକମାନେ ବିମାନ ବନ୍ଦରକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ଏୟାରପୋର୍ଟରେ ପ୍ରାୟ ୪ ହଜାର ଆମେରିକୀୟ ସୈନିକ ମୁତୟନ ଅଛନ୍ତି। ଆଫଗାନିସ୍ତାନର ଏକ ସାମରିକ ବିମାନକୁ ମଧ୍ୟ ଉଜ୍‌ବେକିସ୍ତାନ ସେନା ଆଜି କ୍ଷେପଣାସ୍ତ୍ର ମାଡ଼ରେ ଖସାଇ ଦେଇଛି। ତେବେ ଏ ବାବଦ ମୃତାହତଙ୍କ ସଂପର୍କରେ କୌଣସି ସୂଚନା ଉପଲବ୍ଧ ହୋଇନାହିଁ। ଗତରାତିରୁ କାବୁଲ ସମେତ ବିଭିନ୍ନ ସହରରେ ଲୁଟ୍‌ପାଟ ଆରମ୍ଭ ହୋଇଯାଇଛି। ସରକାରୀ ସମ୍ପତ୍ତି, ଯାନ ବାହନ ଆଦି ଲୁଟ୍‌ କରିବା ପାଇଁ ଦଳ ଦଳ ହୋଇ ତାଲିବାନ ସମର୍ଥକ ବୁଲୁଛନ୍ତି ଏବଂ ସାଧାରଣ ଲୋକଙ୍କୁ ମଧ୍ୟ ଆକ୍ରମଣ କରୁଛନ୍ତି।

ଇତିମଧ୍ୟରେ ତାଲିବାନ ସରକାରକୁ ଚୀନ୍‌ ଓ ପାକିସ୍ତାନ ସମର୍ଥନ ଘୋଷଣା କରିବା ସହ କାବୁଲରେ ଦୂତାବାସ ଯଥାରୀତି କାର୍ଯ୍ୟ କରିବ ବୋଲି କହିଛନ୍ତି। ଏକ ଚରମପନ୍ଥୀ ଇସ୍‌ଲାମିକ ସଂଗଠନର ସରକାରକୁ ଚୀନ୍‌ର ଖୋଲା ସମର୍ଥନ ବିସ୍ମୟ ସୃଷ୍ଟି କରିଛି। ତାଲିବାନ ସରକାର ସହିତ ବନ୍ଧୁତ୍ବପୂର୍ଣ୍ଣ ସଂପର୍କ ବଢ଼ାଇବାକୁ ଆମେ ବଦ୍ଧପରିକର ବୋଲି ଚୀନ୍‌ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଆଜି ବିବୃତି ଜାରି କରିଛନ୍ତି। ନିଜ ଦେଶରେ ଉଇଘର ମୁସ୍‌ଲିମ୍‌ଙ୍କୁ ନିର୍ଯାତନା ନେଇ ଚୀନ୍‌ ବିବାଦ ଘେରରେ ଥିବା ବେଳେ ଏବେ ତାଲିବାନକୁ ସମର୍ଥନ କରି ଦୋମୁହାଁ ନୀତିର ପରିଚୟ ଦେଇଥିବା କୁହାଯାଉଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ତାଲିବାନକୁ ଭୂୟସୀ ପ୍ରଶଂସା କରିଛନ୍ତି ଏବଂ ତାଲିବାନର ଲଢ଼େଇ ଆଫଗାନିସ୍ତାନକୁ ଦାସତ୍ବର ଶୃଙ୍ଖଳରୁ ମୁକ୍ତି ଦେଇଛି ବୋଲି କହିଛନ୍ତି। ତାଲିବାନର ଏକ ପ୍ରତିନିଧି ଦଳ ସହିତ ପାକ୍‌ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି ଆଜି ଆଲୋଚନା କରିଛନ୍ତି। ଆଫଗାନିସ୍ତାନରେ ଏବେ ଗୃହ ଯୁଦ୍ଧର ଅବସାନ ଘଟିଛି ଏବଂ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି ବୋଲି କ୍ୟୁରେସି କହିଛନ୍ତି।
ଅନ୍ୟପକ୍ଷରେ ଆମେରିକା ମଧ୍ୟ କେତେକ କଠୋର ସର୍ତ୍ତ ରଖି ତାଲିବାନ ସରକାରକୁ ମାନ୍ୟତା ଦେଇପାରେ ବୋଲି କୁହାଯାଉଛି। ବିଦେଶ ସଚିବ ଏଣ୍ଟୋନି ବ୍ଲିଙ୍କେନ କହିଛନ୍ତି, ଆଫଗାନ ବାସିନ୍ଦାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ଆମେରିକା ପ୍ରୟାସ କରିବ ଏବଂ ତାଲିବାନ ସମ୍ମୁଖରେ ଏ ନେଇ ସର୍ତ୍ତ ରଖିବ।

କିଭଳି ଦଖଲ ହେଲା କାବୁଲ
କାବୁଲ: ଆଫଗାନିସ୍ତାନକୁ ଏତେ ଶୀଘ୍ର ତାଲିବାନ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ନେଇଯିବ ବୋଲି କେହି କଳ୍ପନା କରିନଥିଲେ। ଅନ୍ତତଃ ରାଜଧାନୀ କାବୁଲରେ ପ୍ରବଳ ଲଢ଼େଇ ଭିତରେ କ୍ଷମତା ଦଖଲ ପାଇଁ ତାଲିବାନକୁ ୯୦ ଦିନ ଲାଗିଯିବ ବୋଲି ଆକଳନ କରାଯାଇଥିଲା। ତେବେ ସମସ୍ତଙ୍କୁ ବିସ୍ମିତ କରି ତାଲିବାନ ମାତ୍ର କିଛି ଘଣ୍ଟା ମଧ୍ୟରେ କାବୁଲ ଦଖଲ କରିନେଇଛି। ଆଫଗାନ ସେନାରେ ପ୍ରାୟ ୩ ଲକ୍ଷ ସୈନିକ ରହିଥିବା ବେଳେ ବିପୁଳ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ରହିଥିବା ନେଇ ଯାହା କୁହାଯାଉଥିଲା ତାହା କେବଳ କାଗଜପତ୍ରରେ ସୀମିତ ଥିଲା ବୋଲି ଜଣାପଡ଼ିଛି। ଆମେରିକା, ବ୍ରିଟେନ୍‌ ଓ ନାଟୋ ସେନା କେବଳ ନିଜ ଶକ୍ତି ବଳରେ କାବୁଲକୁ ସୁରକ୍ଷା ଦେଉଥିଲେ ଏବଂ ଆଫଗାନ୍‌ ସେନାର ନିଜସ୍ବ ଶକ୍ତି ଓ ସମ୍ବଳ ଅତ୍ୟନ୍ତ ଦୁର୍ବଳ ରହିଥିଲା। ତାଲିବାନ ମାତ୍ର ୬ ସପ୍ତାହ ଭିତରେ ଆଫଗାନିସ୍ତାନର ସମସ୍ତ ଗୁରୁତ୍ବପୂର୍ଣ୍ଣ ସହର ଦଖଲ କରିବା ପରେ ଶନିବାର ରାତିରେ କାବୁଲରେ ପହଞ୍ଚିଥିଲା ଏବଂ ସଂଘର୍ଷ ହେଲେ ଯେଉଁ ଭୟାବହ ସ୍ଥିତି ଉପୁଜିବ ତାହାକୁ ସରକାରୀ ସେନା ସମ୍ମୁଖୀନ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ହୋଇଯିବା ପରେ ସେନା ତୁରନ୍ତ ଆତ୍ମସମର୍ପଣ କରିଥିଲା ଏବଂ ରାଷ୍ଟ୍ରପତି ଅସରଫ୍‌ ଘନି ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର ପାଇଁ ରାଜି ହୋଇଯାଇଥିଲେ।

କାବୁଲ ବାୟୁସୀମା ବନ୍ଦ, ଭାରତୀୟ ଫେରିବା ପ୍ରକ୍ରିୟା ବାଧାପ୍ର‌ାପ୍ତ
ନୂଆଦିଲ୍ଲୀ: କାବୁଲ ବାୟୁସୀମାକୁ ବନ୍ଦ କରିଦିଆଯାଇ ଥିବାରୁ କାବୁଲ ବିମାନବନ୍ଦରରୁ କୌଣସି ବିମାନ ଚଳାଚଳ କରିପାରିବ ନାହିଁ। କୌଣସି ବିମାନ ସେଠାରେ ଅବତରଣ କରିପାରିବ ନାହିଁ। ଏକ ଏୟାର ଇଣ୍ଡିଆ ବିମାନ ଲୋକମାନଙ୍କୁ ଆଣିବା ପାଇଁ ଆଫଗାନିସ୍ତାନ ଯିବାକୁ ସ୍ଥିର ହୋଇଥିଲା। ତାହା ବି ଆଉ ସେଠାକୁ ଯାଇପାରିବ ନାହିଁ ବୋଲି ଆଧିକାରିକ ସୂତ୍ରରୁ ପ୍ରକାଶ। କାବୁଲ ଆକାଶସୀମା ବନ୍ଦ ଅଛି ବୋଲି କହିବା ପାଇଁ ବିମାନବନ୍ଦର କର୍ମଚାରୀମାନଙ୍କୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଆଫଗାନିସ୍ତାନର ଆକାଶସୀମା ବନ୍ଦ ଥିବାରୁ ଆମେରିକାରୁ ଆସୁଥିବା ଏୟାର ଇଣ୍ଡିଆର ବିମାନଗୁଡ଼ିକ ଅନ୍ୟ ବାଟ ଦେଇ ଆସିବାର ସମ୍ଭାବନା ରହିଛି। ବିମାନ ଏଆଇ-୧୨୬ (ଶିକାଗୋ-ନୂଆଦିଲ୍ଲୀ) ଏବଂ ଏଆଇ-୧୭୪ (ସାନ୍‌ଫ୍ରାନ୍ସିସ୍କୋ-ନୂଆଦିଲ୍ଲୀ)କୁ ଇନ୍ଧନ ଭରିବା ପାଇଁ ଏକ ଉପସାଗରୀୟ ରାଷ୍ଟ୍ର ବାଟେ ବୁଲେଇ ଆଣିବାକୁ ପଡିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର