ଆଫ୍ଗାନିସ୍ତାନରେ ୧ ନିୟୁତ ମହିଳା ଏବଂ ୧ଲକ୍ଷ ନାବାଳକ ନିୟମିତ ନିଶାସେବନ କରୁଛନ୍ତି
ନୂଆଦିଲ୍ଲୀ : ଆଫ୍ଗାନିସ୍ତାନରେ ଏବେ ସ୍ୱାସ୍ଥ୍ୟ ସଙ୍କଟ ଦେଖା ଦେଇଛି । ଏଠାରେ ପ୍ରାୟ ୩ ନିୟୁତ ଲୋକ ନିଶାଗ୍ରସ୍ତ(ଡ଼୍ରଗ୍ ଆଡ଼ିକ୍ଟ୍)ବୋଲି ଜଣା ପଡ଼ିଛି । ସେଥି ମଧ୍ୟରୁ ୧ ନିୟୁତ ମହିଳା ହୋଇଥିବା ବେଳେ ୧ଲକ୍ଷ ଶିଶୁ ଥିବା ଅନୁସନ୍ଧାନରୁ ପ୍ରକାଶ । ପୁଣି ଶିଶୁମାନଙ୍କର ବୟସ ୧୦ବର୍ଷରୁ କମ ହୋଇଥିବା ବୋଲି ଜଣା ପଡ଼ିଛି। ଏହି ରିପୋର୍ଟ ପ୍ରସ୍ତୁତି କରାଯାଉଥିବା ବେଳେ ଏତେ ସଂଖ୍ୟକ ମହିଳା ଏବଂ ଶିଶୁଥିବେ ବୋଲି ସାର୍ବଜନିକ ସ୍ୱାସ୍ଥ୍ୟ ଅଧିକାରୀ କେବେ ବି ଭାବି ନ ଥିଲେ । ସୂଚନା ମୁତାବକ, ଆଫ୍ଗାନିସ୍ତାନରେ ଅଧିକ ପରିମାଣରେ ଅଫିମ ଚାଷ କରାଯାଇଥାଏ, ଯାହାକୁ କି ହେରୋଇନ୍ ତିଆରି କରିବା ପାଇଁ ବ୍ୟବହାର କରାଯାଇଥାଏ । ଆଫ୍ଗାନିସ୍ତାନରେ ଏହାର ଚାଷ ଏବଂ ଉତ୍ପାଦନ ୨୦୧୭ରେ ୮୭% ପ୍ରତିଶତ ବଢ଼ିବା ସହ ନିଶାସେବନକାରୀଙ୍କ ସଂଖ୍ୟା ପ୍ରତି ବର୍ଷ ବଢ଼ିବାରେ ଲାଗିଛି ବୋଲି ୟୁନାଇଟେଡ଼୍ ନେସନ ସୂଚନା ଦେଇଛି । ମହିଳା ଏବଂ ଶିଶୁମାନଙ୍କ ମଧ୍ୟରେ ଏଭଳି ଅଭ୍ୟାସ ସେମାନଙ୍କ ସ୍ୱାମୀଙ୍କ ଯୋଗୁଁ ହୋଇଛି ବୋଲି କିଛି ମହିଳା ସ୍ୱୀକାର କରିଛନ୍ତି । ବର୍ତ୍ତମାନ ଦେଶରେ ୨୦ଟି ଡ଼୍ରଗ୍ ସୁଧାର କେନ୍ଦ୍ର ରହିଛି, ଯେଉଁଠି ମହିଳା ଏବଂ ଶିଶୁମାନଙ୍କର ଚିକିତ୍ସା କରାଯାଉଛି ।
Sambad is now on WhatsApp
Join and get latest news updates delivered to you via WhatsApp
କିନ୍ତୁ ଏହି ସୁଧାର କେନ୍ଦ୍ରରେ ଏହି ଅସୁବିଧାର ସମାଧାନ କରାଯାଇ ପାରିବ ନାହିଁ ବୋଲି ଆଫ୍ଗାନ ମହିଳା ମାର୍ଓ୍ଵା ମୁସଭି କହିଛନ୍ତି । ଯେ ପର୍ଯ୍ୟନ୍ତ ଡ଼୍ରଗ୍ ଡ଼ିଲରମାନେ ସକ୍ରିୟ ଅଛନ୍ତି ସେ ପର୍ଯ୍ୟନ୍ତ ଏହାର ସମାଧାନ ନାହିଁ । କାରଣ ଲୋକମାନେ ସୁଧାର କେନ୍ଦ୍ର ଯାଇ ଆସିବା ପରେ ପୁଣି ଥରେ ନିଶାଗ୍ରସ୍ତ ହେଉଛନ୍ତି ।