ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକାର ବିଶ୍ୱସନୀୟତା ଉପରେ ଲାଗିଲା ପ୍ରଶ୍ନବାଚୀ

ଲଣ୍ଡନ୍‌: ଏକ ଅତ୍ୟନ୍ତ ଶସ୍ତା, ଅତି ସହଜରେ ତିଆରି ହୋଇପାରୁଥିବା ଏବଂ ସର୍ବୋପରି କରୋନାଭାଇରସ୍‌ ବିରୋଧରେ ୯୦% ପ୍ରଭାବଶାଳୀ ଥିବା ଏକ ଟିକାକୁ ଆଷ୍ଟ୍ରାଜେନେକା ଏବଂ ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ସଫଳତା ପୂର୍ବକ ବିକଶିତ କରାଯାଇ ପାରିଛି ବୋଲି ଚଳିତ ସପ୍ତାହର ଆରମ୍ଭରେ ଯେତେବେଳେ ଘୋଷଣା କରାଗଲା ସେତେବେଳେ ତମାମ ବିଶ୍ୱରେ ଖୁସିର ଲହରି ଖେଳିଯାଇଥିଲା। କାରଣ, ଏହି ଟିକାର ମୂଲ୍ୟ ଏକ କପ୍‌ କଫିରୁ ମୂଲ୍ୟ ଠାରୁ ସୁଦ୍ଧା କମ୍‌ ଥିଲା।

କିନ୍ତୁ, ପ୍ରାଥମିକ ପରୀକ୍ଷଣର ଫଳାଫଳକୁ ନେଇ ଏହି ଟିକାର ସଫଳତା ଘୋଷଣା କରିବା ପରେ ଏବେ ଆଷ୍ଟ୍ରାଜେନେକା ପରୀକ୍ଷଣ କାଳରେ ସ୍ୱେଚ୍ଛାସେବୀ ଅଂଶଗ୍ରହଣକାରୀଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଟିକା ଡୋଜରେ ଏକ ପ୍ରମୁଖ ତ୍ରୁଟି ରହି ଯାଇଥିବା ସ୍ୱୀକାର କରିଛନ୍ତି। ସ୍ୱେଚ୍ଛାସେବୀ ଅଂଶଗ୍ରହଣକାରୀଙ୍କୁ ପ୍ରଦାନ କରାଯାଇଥିବା ଟିକାର ଡୋଜ୍‌ରେ ତାରତମ୍ୟ ରହି ଯାଇଥିଲା ବୋଲି କହିଛି ଆଷ୍ଟ୍ରାଜେନେକା।

ତେଣୁ, ସ୍ୱାଭାବିକ ଭାବେ ଏହି ଘଟଣା ପରେ ଏବେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକାର ବିଶ୍ୱସନୀୟତା ଓ ପ୍ରଭାବ ଉପରେ ପ୍ରଶ୍ନବାଚୀ ଲାଗିଯାଇଛି। ଏବଂ ଟୀକାକରଣର ପ୍ରଭାବ ଅତିରିକ୍ତ ପରୀକ୍ଷଣ ଅଧୀନରେ ରହିବ କି ନାହିଁ ସେଥିନେଇ ମଧ୍ୟ ଏବେ ପ୍ରଶ ଉଠିଛି। ବୈଜ୍ଞାନିକ ଏବଂ ଶିଳ୍ପ ବିଶେଷଜ୍ଞମାନେ କହିଛନ୍ତି ଯେ ତ୍ରୁଟି ଏବଂ ଅନ୍ୟାନ୍ୟ ଅନିୟମିତତାକୁ ଆଷ୍ଟ୍ରାଜେନେକା ସ୍ୱୀକାର କରିବା ପରେ ପ୍ରାରମ୍ଭରେ ଏହି ଟିକାର ବିଶ୍ୱସନୀୟତା ଉପରେ ସେମାନଙ୍କର ଯେପରି ଆତ୍ମବିଶ୍ୱାସ ରହିଥିଲା ତାହା ବର୍ତ୍ତମାନ ହ୍ରାସ ପାଇଛି।

ଏଥିସହ ପରୀକ୍ଷଣ କାଳରେ ଯୁବଗୋଷ୍ଠୀଙ୍କ ଶରୀର ଉପରେ ପ୍ରଭାବକୁ ଆଷ୍ଟ୍ରାଜେନିକା ଗୁରୁତ୍ୱ ଦେଇଥିବା ବେଳେ ଟୀକାକରଣ ନେଇ ସବୁଠାରୁ ବେଶୀ ମାତ୍ରାରେ ଆଶାବାଦୀ ଥିବା ବୟସ୍କ ବ୍ୟକ୍ତିଙ୍କ ତଥ୍ୟ ପରୀକ୍ଷଣ ରିପୋର୍ଟରେ ଆଷ୍ଟ୍ରାଜେନେକା ପ୍ରତିଫଳିତ କରି ନଥିବା ବିଶେଷଜ୍ଞମାନେ ଅଭିଯୋଗ କରିଛନ୍ତି।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଏହି ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକାକୁ ଭାରତ ଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ ବିଶ୍ୱର ବହୁ ବଡ଼ ବଡ଼ ରାଷ୍ଟ୍ର ଚାତକ ପରି ଅନାଇ ରହିଥିଲେ।

ସମ୍ବନ୍ଧିତ ଖବର