ମେହୁଲ୍‌ ଚୋକ୍‌ସି ପ୍ରତ୍ୟର୍ପଣ ସମ୍ଭାବନା; ଡୋମିନିକାରେ ଅବତରଣ କଲା ଦିଲ୍ଲୀରୁ ଯାଇଥିବା ବିମାନ

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ମେହୁଲ୍‌ ଚୋକ୍‌ସିଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବ ବୋଲି ଆଶା କରାଯାଉଥିବା ବେଳେ ଦିଲ୍ଲୀରୁ ଯାଇଥିବା ଗୋଟାଏ ବିମାନ ଡୋମିନିକାରେ ଅବତରଣ କରିଥିବା ଖବର ବିଷେଶ ସୂତ୍ରରୁ ମିଳିଛି।

‘କ୍ବାତାର ଏକ୍ଜିକ୍ୟୁଟିଭ୍‌’ର ଉକ୍ତ ‘ବୋମ୍ବାର୍ଡିୟର୍‌ ଗ୍ଲୋବାଲ୍‌ ୫୦୦୦’ ବିମାନଟି ମେ ୨୮ ତାରିଖ ଦିନ ଡୋମିନିକାର ‘ଡଗ୍‌ଲାସ୍‌ ଚାର୍ଲସ୍‌ ବିମାନ ବନ୍ଦର‌’ରେ ଅବତରଣ କରିଥିବା କୁହାଯାଉଛି।

‘ଟେଲ୍‌ ନମ୍ବର ଏଇ-ସିଇଇ’ ଥିବା ସେ ବିମାନଟି ଦୋହାରୁ ଆସି ମେ ୨୭ ତାରିଖ ଅପରାହ୍ଣ ୩.୧୨ ମିନିଟ୍‌ରେ ଦିଲ୍ଲୀର ‘ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର’ରେ ଅବତରଣ କରିଥିଲା। କିନ୍ତୁ, ଏଥିରେ ଦିଲ୍ଲୀରୁ କେହି ଡୋମିନିକା ଯାତ୍ରା କରିଛନ୍ତି କିଂବା କାହାକୁ ଆଣିବା ଲାଗି ପଠାଯାଇଛି, ସେ କଥା ସ୍ପଷ୍ଟ ହୋଇନାହିଁ।

Image Courtesy of The Economic Times

ଅସମର୍ଥିତ ସୂତ୍ରରୁ ପ୍ରକାଶ ଯେ, ବେଆଇନ ଭାବେ ଡୋମିନିକା ଦ୍ବୀପରେ ପ୍ରବେଶ କରିଥିବା କାରଣରୁ ସେଠାକାର ପୁଲିସ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କୁ ଗିରଫ କରିଛି। ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବାର ସମ୍ଭାବନା ଥିବା କଥା କୁହାଯାଉଛି। ସ୍ମରଣଯୋଗ୍ୟ, ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କ୍‌ରେ ହୋଇଥିବା ୧୩,୫୦୦ କୋଟି ଟଙ୍କା ଜାଲିଆତି ଘଟଣାର ‘ମାଷ୍ଟର୍‌ମାଇଣ୍ଡ୍‌’ ହେଉଛନ୍ତି ମେହୁଲ ଚୋକ୍‌ସି।

ତାଙ୍କୁ ବେଆଇନ ଭାବେ ଅଟକ ରଖାଯାଇଛି ଏବଂ ମେ ୨୩ ତାରିଖ ଦିନ ତାଙ୍କୁ ଆଣ୍ଟିଗୁଆରୁ ଅପହରଣ କରି ମାରଧର କରାଯିବା ସହ ଜବରଦସ୍ତି ଡୋମିନିକା ଦ୍ବୀପକୁ ନିଆଯାଇଥିବା କଥା ମେହୁଲ୍ ତାଙ୍କ ଡୋମିନିକା ଓକିଲଙ୍କ ଜରିଆରେ ଡୋମିନିକା ହାଇକୋର୍ଟରେ ଆବେଦନ କରିଥିଲେ। ତାଙ୍କ ଶରୀରରେ ଆଘାତ ଲାଗିଥିବାର ଚିହ୍ନ ଥିବା କେ‌ତୋଟି ଫଟୋ ମଧ୍ୟ ବିଭିନ୍ନ ଗଣମାଧ୍ୟମର ହସ୍ତଗତ ହୋଇଛି।

ତେଣୁ, ଏବେ କୌଣସି ଦେଶକୁ ପ୍ରତ୍ୟର୍ପଣ କରାଯାଇ ପାରିବ ନାହିଁ କହି ଅଦାଲତ ତାଙ୍କୁ ୨୦୨୧ ଜୁନ୍‌ ୨ ତାରିଖ ପର୍ଯ୍ୟନ୍ତ ‘କ୍ବାରେଣ୍ଟିନ୍‌’କୁ ପଠାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର