ବିମାନ ଅପରେଟରମାନେ ଅନ୍ତର୍ଜାତୀୟ ଯାତ୍ରୀଙ୍କ ବିବରଣୀ ସେୟାର କରିବାକୁ ବାଧ୍ୟ

ନୂଆଦିଳ୍ଲୀ: ଏଣିକି ପ୍ରତ୍ୟେକ ବିମାନ ଚଳାଚଳ ସଂସ୍ଥା ବିଦେଶରୁ ଭାରତକୁ ଆସୁଥିବା ଏବଂ ଭାରତରୁ ବିଦେଶ ଯାଉଥିବା ପ୍ରତ୍ୟେକ ଯାତ୍ରୀଙ୍କର ଯାତ୍ରା-ସମ୍ବନ୍ଧୀୟ ସମସ୍ତ ବିବରଣୀ ବିମାନ ଉଡ଼ାଣ ଆରମ୍ଭ କରିବାର ଅନ୍ୟୂନ ୨୪ ଘଣ୍ଟା ପୂର୍ବରୁ ସେୟାର କରିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି। ଯାତ୍ରୀମାନଙ୍କର ‘ରିସ୍କ ଆନାଲିସିସ୍’ ନିମନ୍ତେ ଏହି ସୂଚନା ସେଣ୍ଟ୍ରାଲ ବୋର୍ଡ ଅଫ୍ ଇନ୍‌ଡାଇରେକ୍ଟ ଟ୍ୟାକ୍ସେସ୍ ଆଣ୍ଡ୍ କଷ୍ଟମ୍ସ (ସିବିଆଇସି) ଦ୍ବାରା ପ୍ରତିଷ୍ଠିତ ସଂସ୍ଥା ନ୍ୟାସନାଲ କଷ୍ଟମ୍ସ ଟାର୍ଗେଟିଂ ସେଣ୍ଟର-ପ୍ୟାସେଞ୍ଜର (ଏନ୍‌ସିଟିସି-ପି) ସହ ସେୟାର କରିବାକୁ ପଡ଼ିବ। ପ୍ରତ୍ୟେକ ବିମାନ ଅପରେଟରଙ୍କୁ ବିମାନ ଉଡାଣ ଆରମ୍ଭ କରିବାର ଅନ୍ୟୂନ ୨୪ ଘଣ୍ଟା ପୂର୍ବରୁ ଏନ୍‌ସିଟିସି-ପିକୁ ନିର୍ଦ୍ଦିଷ୍ଟ ଫର୍ମାଟରେ ଯାତ୍ରୀମାନଙ୍କ ଯାତ୍ରା ସମ୍ବନ୍ଧୀୟ ସମସ୍ତ ସୂଚନା ପ୍ରଦାନ କରିବାକୁ ହେବ। ଏହି ସୂଚନାଗୁଡ଼ିକ ଭିତରେ ଅଛି- ପିଏନ୍‌ଆର୍ ନମ୍ବର, ରିଜର୍ଭେସନ ଓ ଟିକେଟ୍ ଇସ୍ୟୁ ତାରିଖ, ବାରମ୍ବାର ଯାତ୍ରା କରିବା ଯୋଗୁ ମାଗଣା ଟିକେଟ୍, ଅପ୍‌ଗ୍ରେଡ୍ ସୁବିଧା ଆଦି ପାଉଛନ୍ତି କି ନାହିଁ, ଟଙ୍କା ଦେଣ-ନେଣର ସବୁ ସୂଚନା (ଯଥା କ୍ରେଡିଟ୍‌କାର୍ଡ ନମ୍ବର), ଟ୍ରାଭେଲ ଏଜେନ୍ସି ଇତ୍ୟାଦି। ଯାତ୍ରୀଙ୍କ ନାମ ସହ ରିସ୍କ ଆନାଲିସିସ୍ ପାଇଁ ଆବଶ୍ୟକ ଅନ୍ୟ ସୂଚନା ବି ଦେବାକୁ ହେବ। ବିମାନ ଅପରେଟର ଯଦି ଯାତ୍ରୀଙ୍କ ଯାତ୍ରା ସମ୍ବନ୍ଧୀୟ ସୂଚନା ସେୟାର ନ କରନ୍ତି ତେବେ ତାଙ୍କୁ ସର୍ବନିମ୍ନ ୨୫,୦୦୦ ଟଙ୍କା ଜରିମାନା ଦେବାକୁ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର