ମହାବାତ୍ୟା ‘ଅମ୍ଫାନ’ ନେଇ ନବୀନଙ୍କ ସହ କଥା ହେଲେ ଶାହ

‘ଫନି’ ଅଗ୍ରୀମ ସହାୟତା ମିଳିଥିଲା, ଅମ୍ଫାନ ପାଇଁ ନାହିଁ

ନୂଆଦିଲ୍ଲୀ : ମହାବାତ୍ୟା ‘ଅମ୍ଫାନ’ର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନିଜେ ପରିସ୍ଥିତି ଉପରେ ନଜର ରଖିବା ସହିତ ସମୀକ୍ଷା କରୁଛନ୍ତି। ବାତ୍ୟା ମୁକାବିଲା ପାଇଁ ପଶ୍ଚିମବଙ୍ଗ ଓ ଓଡ଼ିଶା ସରକାରଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଆଜି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଟେଲିଫୋନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଛନ୍ତି। ହେଲେ ଫନି ଭଳି ଏଥର ମହାବାତ୍ୟା ‘ଅମ୍ଫାନ’ର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ଅଗ୍ରୀମ ସହାୟତା ରାଶି ଘୋଷଣା କରିନାହାନ୍ତି। ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଆସନ୍ତାକାଲି ‘ଅମ୍ଫାନ’ ମହାବାତ୍ୟା ସ୍ଥଳଭାଗ ଛୁଇଁବା ପରେ କ୍ଷୟକ୍ଷତି ଘଟାଇବାର ସମ୍ଭାବନା ରହିଥିବାରୁ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଟିମ୍‌ କ୍ଷୟକ୍ଷତି ଆକଳନ ପାଇଁ ଶୀଘ୍ର ପଠାଯିବ ବୋଲି ସୂଚନା ମିଳିଛି।

ଗତବର୍ଷ ଏପ୍ରିଲ ମାସରେ ଆଇଏମ୍‌ଡି ଦ୍ବାରା ‘ଫନି’ ବାତ୍ୟାକୁ ନେଇ ପ୍ରାକ୍‌ ସୂଚନା ମିଳିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ କରାଯାଇଥିଲା। ଏପ୍ରିଲ ୩୦ ତାରିଖରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ କମିଟି (ଏନ୍‌ସିଏମ୍‌ସି) ଦ୍ବାରା ଓଡ଼ିଶା, ପଶ୍ଚିମବଙ୍ଗ, ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶକୁ ୧୦୮୬ କୋଟି ଟଙ୍କାର ଆଗୁଆ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏଥିରେ ଓଡ଼ିଶାକୁ ସର୍ବାଧିକ ୩୪୦.୮୭ କୋଟି ଟଙ୍କା ମଂଜୁର କରାଯାଇଥିଲା। ଅଗ୍ରୀମ ବାବଦ ମିଳିଥିବା ଅର୍ଥରାଶିକୁ ରାଜ୍ୟମାନେ ‘ଫନି’ ବାତ୍ୟା ପାଇଁ ସତର୍କତାମୂଳକ ପଦକ୍ଷେପ ତଥା ରିଲିଫ ପାଇଁ ବିନିଯୋଗ କରିପାରିବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଜାତୀୟ ବିପର୍ଯ୍ୟୟ ପ୍ରଶମନ କମିଟି ‘ଅମ୍ଫାନ’କୁ ନେଇ କ୍ୟାବିନେଟ୍‌ ସଚିବଙ୍କ ଅଧ୍ୟକ୍ଷତାରେ ଲଗାତାର ବୈଠକ କରୁଛି। ହେଲେ ରାଜ୍ୟମାନଙ୍କୁ ଅଗ୍ରୀମ ସହାୟତା ରାଶି ପ୍ରଦାନ ପାଇଁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

ସମ୍ବନ୍ଧିତ ଖବର