ଗୋଟିଏ ଝିଅର ଚିକିତ୍ସା ପାଇଁ ଆଉ ଗୋଟିଏ ଝିଅକୁ ୧୦ ହଜାର ଟଙ୍କାରେ ବିକ୍ରି କଲେ ଆନ୍ଧ୍ର ଦମ୍ପତି

ନୂଆଦିଲ୍ଲୀ: ୧୬ ବର୍ଷୀୟ ଝିଅର ଚିକିତ୍ସା ନିମନ୍ତେ ଆନ୍ଧ୍ର ପ୍ରଦେଶର ନେଲ୍ଲୋର୍‌ରେ ଏକ ଦିନ ମଜୁରିଆ ଦମ୍ପତି ସେମାନଙ୍କର ଆଉ ଏକ ୧୨ ବର୍ଷୀୟ ଝିଅକୁ ଜଣେ ୪୬ ବର୍ଷିୟ ବ୍ୟକ୍ତିଙ୍କୁ ବିକ୍ରୟ କରିଥିବା ଅଭିଯୋଗ ହୋଇଛି। ଶ୍ୱାସ-ପ୍ରଶ୍ୱାସଜନିତ ରୋଗରେ ପୀଡ଼ିତା ବଡ଼ଝିଅର ଚିକିତ୍ସା ନିମନ୍ତେ ଅର୍ଥ ଯୋଗାଡ଼ କରିବାରେ ଅସମର୍ଥ ହେବାରୁ ସେମାନେ ଏଭଳି ନିଷ୍ପତ୍ତି ନେଇଥିବା କଥା କୁହାଯାଉଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୧୦ ହଜାର ଟଙ୍କା ବିନିମୟରେ ଚିନ୍ନା ସୁବ୍ଦାୟା ନାମକ ଜଣେ ବ୍ୟକ୍ତିଙ୍କୁ ସେମାନେ ତାଙ୍କର ୧୨ ବର୍ଷୀୟ ଝିଅକୁ ବିକ୍ରି କରିଥିଲେ। ବୁଧବାର ଦିନ ସୁବ୍ଦାୟା ଉକ୍ତ ଝିଅକୁ ବିବାହ କରିଥିଲେ। ଏହାର ଦିନକ ପରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର କର୍ମଚାରୀମାନେ ସେ ଝିଅକୁ ଉଦ୍ଧାର କରି ଜିଲ୍ଲା ‘ଚାଇଲ୍‌ଡ୍‌ କେୟାର୍‌ ସେଣ୍ଟର୍‌’କୁ ଆଣିଥିଲେ। ସେଠାରେ ତାଙ୍କୁ ‘କାଉନ୍‌ସେଲିଙ୍ଗ୍‌’ ଦିଆଯାଉଛି।

ପ୍ରଥମେ ୨୫ ହଜାର ଟଙ୍କା ବିନିମୟରେ ଝିଅକୁ ବିକ୍ରୟ କରିବେ ବୋଲି ଉକ୍ତ ଦମ୍ପତି ପଡ଼ୋଶୀ ସୁବ୍ଦାୟାଙ୍କୁ କହିଥିଲେ। କିନ୍ତୁ, ମୂଲଚାଲ ପରେ ୧୦ ହଜାର ଟଙ୍କାରେ ଝିଅକୁ ବିକ୍ରି କରିବା ଲାଗି କଥା ଛିଡ଼ିଥିଲା।

Image Courtesy of The Times of India

ପୁଲିସ କହିବା ଅନୁସାରେ, ବୈବାହିକ ଜୀବନରେ ବିବାଦ ହେବାରୁ ସୁବ୍ଦାୟାଙ୍କ ପତ୍ନୀ ତାଙ୍କୁ ଛାଡ଼ି ଚାଲିଯାଇଥିଲେ। ତେଣୁ, ପୂର୍ବରୁ ମଧ୍ୟ ସେ ସାନଝିଅକୁ ବିବାହ କରିବା ଲାଗି ସୁବ୍ଦାୟା ଇଚ୍ଛା ପ୍ରକାଶ କରିଥିଲେ।

Image Courtesy of India Today

କିଣି ସାରିବା ପରେ ବୁଧବାର ରାତିରେ ସୁବ୍ଦାୟା ସେ ଝିଅକୁ ନେଇ ଦାମପୁରରେ ଥିବା ତାଙ୍କ ଆତ୍ମୀୟଙ୍କ ଘରକୁ ଯାଇଥିଲେ। ସେଠାରେ ଝିଅଟି ଚିତ୍କାର କରି କନ୍ଦାକଟା କରୁଥିବା ପଡ଼ୋଶୀମାନେ ଶୁଣିଲେ। ଘଟଣା କ’ଣ ଜାଣିବା ଲାଗି ସେମାନେ ସୁବ୍ଦାୟାଙ୍କ ଆତ୍ମୀୟଙ୍କ ଘରକୁ ଗଲେ ଓ ଘଟଣା ସଂକ୍ରାନ୍ତରେ ଅବଗତ ହୋଇ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଲେ।

ସରପଞ୍ଚ ଏ ସଂକ୍ରାନ୍ତରେ ସମନ୍ଵିତ ଶିଶୁ ବିକାଶ ସେବା କାର୍ଯ୍ୟାଳୟକୁ ଖବର ଦେବା ପରେ ଝିଅଟିକୁ ଉଦ୍ଧାର କରାଯାଇଥିଲା। ମାମଲା ରୁଜୁ କରି ପୁଲିସ ସୁବ୍ଦାୟାଙ୍କୁ ପଚରା ଉଚୁରା କରୁଛି।

ସମ୍ବନ୍ଧିତ ଖବର