ଆଜି ‘ଇଡି’ ହାଜତ ରହଣି ଶେଷ ହେଉଥିବାରୁ ଅନୀଲ ଦେଶମୁଖଙ୍କୁ ‘ପିଏମ୍‌ଏଲ୍‌ଏ’ କୋର୍ଟରେ ହାଜର କରାଯିବ

ମୁମ୍ବାଇ: ଆଜି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ହାଜତ ରହଣି ଶେଷ ହେଉଥିବାରୁ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ‘ସ୍ପେସାଲ୍‌ ପ୍ରିଭେନ୍‌ସନ୍‌ ଅଫ୍ ମନି ଲଣ୍ଡରିଙ୍ଗ୍‌ ଆକ୍ଟ୍‌’ ଅଦାଲତରେ ହାଜର କରାଯିବ। ୭୧ ବର୍ଷିୟ ଦେଶମୁଖଙ୍କୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ‘ଇଡି’ ହାଜତକୁ ପଠାଯାଇଥିଲା।

୧୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ୧୨ ଘଣ୍ଟା ଜେରା କରାଯିବା ପରେ ‘ଏନ୍‌ସିପି’ ନେତା ଦେଶମୁଖଙ୍କୁ ସୋମବାର ରାତିରେ ଗିରଫ କରାଯାଇଥିଲା।

ତାଙ୍କ ହାଜତ ରହଣି ବୃଦ୍ଧି କରିବା ପାଇଁ ‘ଇଡି’ ଅଦାଲତରେ ନିବେଦନ କରିପାରେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।

Image Courtesy of The Hindu Business Line

‘ସ୍ପେସାଲ୍‌ ପ୍ରିଭେନ୍‌ସନ୍‌ ଅଫ୍ ମନି ଲଣ୍ଡରିଙ୍ଗ୍‌ ଆକ୍ଟ୍‌’ ଅଦାଲତରେ ହାଜର ହେବାକୁ ଥିବାରୁ ଆଜି ସକାଳେ ତାଙ୍କୁ ଡାକ୍ତରୀ ପରୀକ୍ଷା ନିମନ୍ତେ ନିଆଯାଇଥିଲା।

‘ପ୍ରବର୍ତ୍ତନ ନିର୍ଦେଶାଳୟ’ ସୂତ୍ରରୁ ଜଣାପଡ଼ିଛି ଯେ, ଦେଶମୁଖ ତଦନ୍ତରେ ସହଯୋଗ କରୁ ନାହାନ୍ତି। କଳାଟଙ୍କା ବଦଳାଇବା ପାଇଁ ଦେଶମୁଖ ଏବଂ ତାଙ୍କ ପରିବାର ୨୭ଟି କମ୍ପାନିର ଉପଯୋଗ କରିଛନ୍ତି। ଏସବୁର ପ୍ରମାଣ ପାଇଁ ‘ଇଡି’ ଅଧିକ ସମୟ ନେଇ ପାରେ।

ଏହି ମାମଲାରେ ଗତକାଲି ଦେଶମୁଖଙ୍କ ପୁତ୍ର ହୃଷିକେଶଙ୍କୁ ସମନ ଜାରି ହୋଇଥିଲା। କିନ୍ତୁ, ସେ ଗତକାଲି ‘ଇଡି’ରେ ହାଜର ହୋଇ ନ ଥିଲେ। ସୋମବାର ଦିନ ତାଙ୍କୁ ପୁନର୍ବାର ନୂଆ ସମନ ଜାରି କରାଯିବ।

ପୂର୍ବରୁ ଅନୀଲ ଦେଶମୁଖ ମଧ୍ୟ ଏକାଧିକ ବାର ସମନ ଏଡ଼ାଇ ଥିଲେ।

ସମ୍ବନ୍ଧିତ ଖବର