ନବ ବିବାହିତା ମହିଳାଙ୍କୁ ଯୌନ ନିର୍ଯାତନା ମହଙ୍ଗା ପଡ଼ିଲା; ଜେଲ ଗଲେ ଆତ୍ମଘୋଷିତ ବାବା ରାଜଶେଖର

ଚେନ୍ନାଇ: ଚେନ୍ନାଇରେ ଜନୈକ ଆତ୍ମଘୋଷିତ ଧର୍ମଗୁରୁ ତଥା ବାବା ଜନୈକା ନବ ବିବାହିତା ମହିଳାଙ୍କୁ ଯୌନ ନିର୍ଯାତନା ଦେଇ ପୁଲିସ୍‌ ହାତରେ ଗିରଫ ହୋଇ ଜେଲ ଯିବା ଘଟଣା ଏବେ ସମଗ୍ର ତାମିଲନାଡ଼ୁରେ ଆଲୋଡ଼ନ ସୃଷ୍ଟି କରିଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଚେନ୍ନାଇର ଥିରୁଭାଲୁର ଜିଲ୍ଲା ନିକଟବର୍ତ୍ତୀ ମିଞ୍ଜୁର ଠାରେ ରାଜଶେଖର ନାମକ ୫୫ ବର୍ଷ ବୟସ୍କ ଜନୈକ ଆତ୍ମଘୋଷିତ ଧର୍ମଗୁରୁ ଏକ ମନ୍ଦିର ଓ ଆଶ୍ରମ ପ୍ରତିଷ୍ଠା କରିଥିଲେ। ରାଜଶେଖରଙ୍କ ଏହି ମନ୍ଦିର ଓ ଆଶ୍ରମକୁ ବହୁ ସଂଖ୍ୟାରେ ମହିଳାମାନେ ଯାଉଥିଲେ। ମହିଳାମାନଙ୍କର ବିଶ୍ୱାସ ରହିଥିଲା ଯେ ଯଦି ସେମାନଙ୍କ ଘରେ କୌଣସି ପ୍ରକାରର ପାରିବାରିକ ସମସ୍ୟା ବା ବିବାଦ ରହିଛି ତେବେ ଏହି ମନ୍ଦିର ଓ ଆଶ୍ରମକୁ ଗଲେ ସେସବୁର ସମାଧାନ ବାବା ରାଜଶେଖରଙ୍କ ଆଶୀର୍ବାଦରୁ ହୋଇଯିବ। ଏହି ବିଶ୍ୱାସ କାରଣରୁ ବାବା ରାଜୋଖରଙ୍କ ମନ୍ଦିର ଓ ଆଶ୍ରମରେ ପ୍ରତ୍ୟହ ଶହଶହ ମହିଳାଙ୍କ ଭିଡ଼ ଲାଗୁଥିଲା।

ଏହି କ୍ରମରେ ଜନୈକା ନବବିବାହିତା ମହିଳା ଗତ ସପ୍ତାହରେ ଆତ୍ମଘୋଷିତ ବାବା ରାଜଶେଖରଙ୍କ ନିକଟକୁ ଯାଇଥିଲେ। ରାଜଶେଖର ସେଇ ନବ ବିବାହିତା ମହିଳା ଜଣଙ୍କୁ ଦେଖୁ ଦେଖୁ କହିଲେ ସେ ଆଗକୁ କୁଆଡ଼େ ତାଙ୍କର ବହୁ ସମସ୍ୟା ରହିଛି। ତେବେ, ଏଥିପାଇଁ ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ମହିଳା ଜଣଙ୍କ ତାଙ୍କ ସହ ଯଦି କୌଣସି ଏକ ନିକାଞ୍ଚନ ସ୍ଥାନକୁ ଯାଆନ୍ତି, ତେବେ ସେ ତାଙ୍କୁ ସବୁ ସମସ୍ୟାରୁ ମୁକୁଳିବାର ବାଟ ବତାଇଦେବେ। ରାଜଶେଖରଙ୍କ ପ୍ରସ୍ତାବରେ ରାଜି ହେବା ପରେ ସେ ମହିଳା ଜଣଙ୍କୁ ସଙ୍ଗରେ ଧରି ଆଶ୍ରମ ଠାରୁ ଅଳ୍ପ ଦୂରରେ ଥିବା ଏକ ଗୋଟିକିଆ ଘର ମଧ୍ୟକୁ ନେଇ ଯାଇଥିଲେ। ସେଠାରେ ସେ ନବ ବିବାହିତା ଜଣକଙ୍କୁ ଆଖି ବନ୍ଦ କରି ବସିବାକୁ କହିବା ସହ ଘରର କବାଟ ଝରକା ବନ୍ଦ କରି ଦେଇଥିଲେ। ପରେ ରାଜଶେଖର ତାଙ୍କ ଶରୀରର ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ହସ୍ତଚାଳନା କରିବା ସହ ସେ ପିନ୍ଧିଥିବା ଲୁଗାକୁ ଖୋଲି ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ତେବେ, ଏଥିରେ ଭୟଭୀତ ହୋଇ ନବ ବିବାହିତା ଜଣକ କୌଣସି ମତେ ରାଜଶେଖରଙ୍କ କବଳରୁ ଖସି ଆସିବା ସହ ଘଟଣା ସଂପର୍କରେ ମହିଳା ପୁଲିସ୍‌ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ମିଳିବା ପରେ ପୁଲିସ୍‌ ଗତ ଗୁରୁବାର ରାଜଶେଖରଙ୍କୁ କୋର୍ଟ ଚାଲାଣ କରିଥିଲେ। କୋର୍ଟରେ ରାଜଶେଖରଙ୍କ ଜାମିନ ଆବେଦନ ଖାରଜ ହୋଇଯିବା ପରେ ତାଙ୍କୁ ଏବେ ପୁଝାଲ କେନ୍ଦ୍ରୀୟ କାରାଗାରକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର