କିଛି ଲୋକଙ୍କ ପାଇଁ ଜାତୀୟ ସୁରକ୍ଷା ତୁଳନାରେ ନିଜର ଟ୍ରେଜେରୀ ଗୁରୁତ୍ୱପୂର୍ଣ୍ଣ : ରାଫେଲ ପ୍ରସଙ୍ଗରେ ସୀତାରମଣଙ୍କ କଡା ଆଭିମୁଖ୍ୟ

ନୂଆଦିଲ୍ଲୀ : ରାଫେଲ ବିମାନ କିଣା ପ୍ରସଙ୍ଗରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ କଡା ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ ପ୍ରତିରକ୍ଷା ସାମଗ୍ରୀ କାରବାର ଓ ପ୍ରତିରକ୍ଷା ସାମଗ୍ରୀରେ କାରବାର ମଧ୍ୟରେ ତଫାତ ରହିଛି । ଆମେ ଜାତୀୟ ସ୍ୱାର୍ଥକୁ ସର୍ବୋପରି ରଖି ପ୍ରତିରକ୍ଷା ସାମଗ୍ରୀ କ୍ରୟ କରିଥାଉ । ସେ ଅଭିଯୋଗ କରିଛନ୍ତି ଯେ ୟୁପିଏ ସରକାର ବାୟୁସେନାର ଜରୁରୀ ଆବଶ୍ୟକତା ଥିଲେ ମଧ୍ୟ ରାଫେଲ କିଣିବାକୁ ଇଚ୍ଛୁକ ନଥିଲେ । “ବାୟୁସେନା ଯୁଦ୍ଧବିମାନ ଅଭାବରେ ଥିଲେ ମଧ୍ୟ ତୁମେମାନେ ଡିଲ୍‌ କରିନଥିଲ । କାରଣ ତୁମକୁ ଅର୍ଥ ମିଳିନଥିଲା” ବୋଲି ସେ କଡା ଭାଷାରେ କହିଛନ୍ତି । ସେମାନଙ୍କ ପାଇଁ ନିଜର ଟ୍ରେଜେରୀ ଗୁରୁତ୍ୱପୂର୍ଣ୍ଣ ।

ସେ କହିଛନ୍ତି ଯେ ଭାରତୀୟ ବାୟୁସେନା ପାଇଁ ରାଫେଲ ବିମାନର ଆବଶ୍ୟକତା ରହିଛି । ଦେଶର ସୁରକ୍ଷା ଦୃଷ୍ଟିରୁ ପ୍ରତିରକ୍ଷା ଡିଲ ଗୁଡିକ ଠିକ ସମୟରେ କାର୍ଯ୍ୟକାରୀ ହେବା ଆବଶ୍ୟକ । କିନ୍ତୁ କଂଗ୍ରେସ ଜାଣିଶୁଣି ଏସବୁ ଡିଲକୁ ନେଇ ବିବାଦ ସୃଷ୍ଟି କରୁଛି । ସେ ସ୍ପଷ୍ଟ କରିଦେଇଛନ୍ତି ଯେ ହାଲ ଓ ଡସାଁ ଆଭିଏସନ ମଧ୍ୟରେ କୌଣସି ଚୁକ୍ତି ହୋଇନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କୁ କୌଣସି ମିଥ୍ୟା ତଥ୍ୟ ଦିଆଯାଇନାହିଁ ।

ଏହା ପୂର୍ବରୁ କଂଗ୍ରେସ ତରଫରୁ ଗୁଲାମନବୀ ଆଜାଦ, ମଲ୍ଲିକାର୍ଜୁନ ଖଡଗେ ଓ ରଣଦୀପ ସୂର୍ଯେଓ୍ଵାଲା ରାଫେଲ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଥିଲେ । ବିଭିନ୍ନ ଦସ୍ତାବିଜ ରଖି ସେମାନେ ସରକାରଙ୍କୁ ଟାର୍ଗେଟ କରିଥିଲେ । ବୁଧବାରଦିନ ରାଫେଲ ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ରାହୁଲ ଗାନ୍ଧୀଙ୍କୁ ଅଭିଯୋଗର ଜବାବ ଦେଇଥିଲେ ।

ସମ୍ବନ୍ଧିତ ଖବର