ଶୋଇଥିବା ଅବସ୍ଥାରେ କାମୁଡ଼ି ଦେଲା ସାପ, ସାପକୁ ସାଥିରେ ଧରି ହସ୍ପିଟାଲ୍‌ରେ ପହଞ୍ଚିଲେ ପୀଡ଼ିତ, ଜାଣନ୍ତୁ କାରଣ

କନୌଜ: ଉତ୍ତରପ୍ରଦେଶର କନୌଜ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଜିଲ୍ଲାର ସଦର କୋଟଓ୍ଵାଲି ପୁଲିସ୍‌ ଥାନା ଅଞ୍ଚଳରେ ନିଜ ଜମିକୁ ଲାଗି ଥିବା ଏକ ମନ୍ଦିର ପରିସରରେ ଜଣେ ବ୍ୟକ୍ତି ଶୋଇଥିବା ଅବସ୍ଥାରେ ବୁଧବାର ଏକ ନାଗ ସାପ ତାଙ୍କୁ ଦଂଶନ କରିଥିଲା। ରାମ କୁମାର(୫୧) ନାମକ ଏହି ବ୍ୟକ୍ତି ଜଣକ ତାଙ୍କୁ କାମୁଡ଼ି ଥିବା ସାପକୁ ଧରି ଯାଇ ହସ୍ପିଟାଲ୍‌ରେ ପହଞ୍ଚିବା କଥା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

କନୌଜ ଜିଲ୍ଲାର ଚେଉରାଚନ୍ଦନପୁର ଗାଁର ରାମ କୁମାର ସାପଟିକୁ ନେଇ ହସ୍ପିଟାଲ୍‌ରେ ପହଞ୍ଚିବା ପରେ ବିଭିନ୍ନ ଲୋକ ବିଭିନ୍ନ କଥା ପଚାରିଥିଲେ। ସେ କାହିଁକି ସାପଟିକୁ ଧରି ହସ୍ପିଟାଲ୍‌ ଆସିଛନ୍ତି ବୋଲି ପଚରାଯିବାରୁ ସେ କହନ୍ତି କି ଚିକିତ୍ସା ସମୟରେ ଡାକ୍ତର ତାଙ୍କୁ ନିଶ୍ଚୟ ସାପର ରଂଗ, ଆକୃତି ଓ କେଉଁ ସାପ ବୋଲି ବଚାରିବେ। ତାହାର ଉତ୍ତର ଦେବା ବଦଳରେ ସେ ସାପ ଧରି ପଳାଇ ଆସିଛନ୍ତି।

ପୂର୍ବରୁ ମଧ୍ୟ ଗ୍ରାମର ଅନେକ ବ୍ୟକ୍ତି ସାପ କାମୁଡ଼ାର ଶିକାର ହୋଇ ସାରିଛନ୍ତି। ସେମାନଙ୍କୁ କେଉଁ ସାପ କାମୁଡ଼ିଛି ବୋଲି ଡାକ୍ତର ପ୍ରଶ୍ନ କରିଥାନ୍ତି। ସେଥିପାଇଁ ସେ ସାପଟିକୁ ନିଜ ସାଥିରେ ଧରି ପଳାଇ ଆସିଥିଲେ।

ରାମ କୁମାର ହସ୍ପିଟାଲ୍‌ରେ ପହଞ୍ଚିବା ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପ୍ରଦାନ କରାଯାଇଥିଲା। ତାଙ୍କ ଅବସ୍ଥା ଏବେ ବିପଦଶୂନ୍ୟ ରହିଛି। ସୋମବାର ଦିନ ତାଙ୍କୁ ଘରକୁ ପଠାଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର