ମହାରାଷ୍ଟ୍ର କ୍ୟାବିନେଟ୍‌ର ସ୍ବୀକୃତି: ଔରଙ୍ଗାବାଦ ହେବ ସମ୍ଭାଜୀ ନଗର, ଉସମାନାବାଦ ସହର ହେବ ଧାରାଶିବ

ନୂଆଦିଲ୍ଲୀ: ମହାରାଷ୍ଟ୍ର କ୍ୟାବିନେଟ୍‌ରେ ଆଜି ଏକ ଦୀର୍ଘ ଦିନର ଦାବିକୁ ସ୍ବୀକୃତି ମିଳିଛି। ଔ‌ରଙ୍ଗାବାଦକୁ ସମ୍ଭାଜୀନଗର ଏବଂ ଉସମାନାବାଦ ସହରକୁ ଧାରାଶିବ କରିବାପାଇଁ ଦୀର୍ଘ ଦିନ ଧରି ‌ଯେଉଁ ଦାବି ରହିଥିଲା ତାହାକୁ ଆଜି କ୍ୟାବିନେଟ୍‌ ମଂଜୁରି ମିଳିଛି। ଔରଙ୍ଗାବାଦ ସମ୍ଭାଜୀ ନଗରରେ ପରିଣତ ହେବ ଏବଂ ଉସମାନାବାଦ ଧାରାଶିବରେ ପରିଣତ ହେବ। ସେହିପରି ନାଭି ମୁମ୍ବାଇ ବିମାନବନ୍ଦର ନାମ ପରିବର୍ତ୍ତନ କରି ଡିବି ପାଟିଲ ଅନ୍ତର୍ଜାତୀୟ ବିମାନବନ୍ଦର ହେବ। ମହାରାଷ୍ଟ୍ର ବିଧାନସଭାରେ ଫ୍ଲୋର ଟେଷ୍ଟ୍‌ ନେଇ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଆସିବା ପୂର୍ବରୁ ମହାରାଷ୍ଟ୍ର କ୍ୟାବିନେଟ୍‌ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଶେଷ ମୁହୂର୍ତ୍ତରେ ଠାକରେ ହିନ୍ଦୁତ୍ବ କାର୍ଡ ଖେଳିଛନ୍ତି। ବିଦ୍ରୋହୀ ନେତା ଏକନାଥ ସିନ୍ଦେ ବାରମ୍ବାର ଦାବି କରି ଆସିଛନ୍ତି ଯେ, ଶିବସେନା ହିନ୍ଦୁତ୍ବର ମୂଳ ବିଚାରଧାରା ସହ ସାଲିସ କରୁଛି। ତେଣୁ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଠାକରେଙ୍କ ପଦକ୍ଷେପ ଚର୍ଚ୍ଚାରେ ରହିଛି। ତେବେ କ୍ୟାବିନେଟ୍‌ର ଏହି ନିଷ୍ପତ୍ତି ବହୁ ବିଳମ୍ବରେ ନିଆଯାଇଛି ଏବଂ ଏମ୍‌ଭିଏ ସରକାର ଲୋକଙ୍କୁ ଧୋକା ଦେଉଛି ବୋଲି ବିଦ୍ରୋହୀ ଗୋଷ୍ଠୀ କହିଛନ୍ତି।

ସମ୍ବନ୍ଧିତ ଖବର