ଜମ୍ମୁ ଓ କଶ୍ମୀରରୁ ଅସ୍ତ୍ରଶସ୍ତ୍ର ଜବତ କଲା ସେନା, ଡ୍ରୋନ ମାଧ୍ୟମରେ ପାକିସ୍ତାନରୁ ଆସିଥିବା ସଂଦେହ

ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀରର ସାମ୍ବା ଜିଲ୍ଲାରେ ଆଜି ଭାରତୀୟ ସେନା ପକ୍ଷରୁ କିଛି ବିଦେଶୀ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ପାକିସ୍ତାନପଟୁ ଡ୍ରୋନ ମାଧ୍ୟମରେ ଏସବୁ ଅସ୍ତ୍ରଶସ୍ତ୍ର ପଠାଯାଇଥିବା ସେନା ସଂଦେହ କରୁଛି ।

ଭାରତୀୟ ସେନାର ଓ୍ବେଷ୍ଟର୍ଣ୍ଣ କମାଣ୍ଡ ପକ୍ଷରୁ ଟୁଇଟ୍ କରି ଦିଆଯାଇଥିବା ସୂଚନା ଅନୁସାରେ ଆଜି ସକାଳେ ସାମ୍ବା ନିକଟସ୍ଥ ଅନ୍ତର୍ଜାତୀୟ ସୀମା ନିକଟରେ ସଂଦିଗ୍ଧ ଡ୍ରୋନ ଉଡ଼ୁଥିବା ସେନାର ଯବାନମାନେ ଦେଖିବାକୁ ପାଇଥିଲେ । ସଂପୃକ୍ତ ଅଞ୍ଚଳରେ ଯାଞ୍ଚ କରାଯିବା ପରେ ସାର୍ଥିଆନ ଗାଁ ନିକଟରେ ଏକ ବ୍ୟାଗରୁ ଦୁଇଟି ପିସ୍ତଲ, ୫ଟି ମାଗାଜିନ, ୧୨୨ ରାଉଣ୍ଡ ଗୁଳି ମିଳିଥିଲା । ଯେଉଁ ସ୍ଥାନରୁ ଏହି ବ୍ୟାଗ୍ ମିଳିଥିଲା ତାହା ଅନ୍ତର୍ଜାତୀୟ ସୀମାଠାରୁ ମାତ୍ର ୨ କିଲୋମିଟର ଦୂରରେ ଅବସ୍ଥିତ । ସକାଳେ ଦେଖାଯାଇଥିବା ଡ୍ରୋନ ଏସବୁ ଅସ୍ତ୍ରଶସ୍ତ୍ରକୁ ପକାଇଥିବା ସଂଦେହ କରାଯାଉଛି । ତେବେ ଏ ନେଇ ଅଧିକ ତଦନ୍ତ ଜାରି ରହିଛି ।

 

ଗତ ଜୁନ ୨୭ରେ ଜମ୍ମୁସ୍ଥିତ ଭାରତୀୟ ବାୟୁସେନା ଘାଟିରେ ଡ୍ରୋନ ମାଧ୍ୟମରେ ବିସ୍ଫୋରଣ କରାଯିବା ପରେ ନିୟମିତଭାବେ ଜମ୍ମୁ ଓ କଶ୍ମୀରରେ ଡ୍ରୋନ ଚିହ୍ନଟ ହେଉଛି । ଆତଙ୍କବାଦୀଙ୍କ ସହାୟତା ପାଇଁ ପାକିସ୍ତାନର ଆଇଏସଆଇ ପକ୍ଷରୁ ଏସବୁ ଡ୍ରୋନ ପଠାଯାଉଥିବା କୁହାଯାଉଛି ।

ସମ୍ବନ୍ଧିତ ଖବର