୩ ସପ୍ତାହ ପରେ ଆର୍ୟନଙ୍କୁ ଜାମିନ: ଅର୍ବାଜ ମର୍ଚ୍ଚାଣ୍ଟ ଓ ମୁନ୍‌ମୁନ୍‌ ଧମେଚାଙ୍କୁ ବି ଜାମିନ

ବମ୍ବେ ହାଇକୋର୍ଟଙ୍କ ଆନୁଷ୍ଠାନିକ ‌ଆଦେଶ ମିଳିବା ପରେ ମୁକୁଳିବେ

ନୂଆଦିଲ୍ଲୀ: କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଗିରଫ ହୋଇ ୩ ସପ୍ତାହରୁ ଅଧିକ ଦିନ ଧରି ଜେଲ୍‌ରେ ଥିବା ବଲିଉଡ୍ ସୁପରଷ୍ଟାର୍ ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ (୨୩ ବର୍ଷ)ଙ୍କୁ ବମ୍ବେ ହାଇକୋର୍ଟ ଆଜି ଜାମିନ ପ୍ରଦାନ କରିଛନ୍ତି। ଆର୍ୟନଙ୍କ ସାଥୀ ଅର୍ବାଜ୍ ମର୍ଚ୍ଚାଣ୍ଟ ଏବଂ ମଡେଲ ମୁନ୍‌ମୁନ୍‌ ଧମେଚାଙ୍କୁ ମଧ୍ୟ ଜାମିନ ମିଳିଛି। ତେବେ ଆସନ୍ତାକାଲି ବମ୍ବେ ହ‌ାଇକୋର୍ଟ ତାଙ୍କର ଆନୁଷ୍ଠାନିକ ଆଦେଶ ପ୍ରଦାନ ପ୍ରଦାନ କରିବେ। ତେଣୁ ଆଜି ରାତିକ ପାଇଁ ଆର୍ୟନଙ୍କ ସମେତ ଅନ୍ୟମାନେ ବି ଜେଲ୍‌ରେ ରହିବେ। ଆନୁଷ୍ଠାନିକ ଆଦେଶ ପ୍ରଦାନ ପରେ ହିଁ ସେମାନେ ଜେଲରୁ ବାହାରିବେ।

କ୍ରୁଜ୍‌ରେ ଚାଲିଥିବା ‌ରେଭ୍ ପାର୍ଟିରେ ଚଢ଼ଉ କରି ଡ୍ରଗ୍ସ ଜବତ କରିବା‌ ପରେ ଆର୍ୟନଙ୍କୁ ଏନ୍‌ସିବି ଗତ ୩ ତାରିଖରୁ ନିଜ ହେପାଜତକୁ ନେଇଥିଲା। ଗତ ୮ ତାରିଖରୁ ସେ ଆର୍ଥର ରୋଡ୍ ଜେଲ୍‌ରେ ଅଛନ୍ତି ଏବଂ ତଳ କୋର୍ଟ ପୂର୍ବରୁ ତାଙ୍କର ଜାମିନ ଆବେଦନକୁ ଦୁଇଥର ଖାରଜ କରିଦେଇଥିଲେ। ହାଇକୋର୍ଟରେ ଆର୍ୟନଙ୍କ ଆଇନଜୀବୀ ବାରମ୍ବାର ଯୁକ୍ତି ଦର୍ଶାଇଥିଲେ ଯେ ତାଙ୍କ ନିକଟରୁ କିଛି ଡ୍ରଗ୍ସ ଜବତ ହୋଇନାହିଁ। ତେଣୁ ତାଙ୍କୁ ଗିରଫ କରାଯିବାର ସେଭଳି କୌଣସି ବଳିଷ୍ଠ କାରଣ ନାହିଁ। ଏନ୍‌ସିବି ଯୁକ୍ତି ଦର୍ଶାଇଥିଲା ଯେ ଷଡ଼୍‌ଯନ୍ତ୍ରରେ ଆର୍ୟନ ସାମିଲ ଥିଲେ। ବେଆଇନ୍ ଡ୍ରଗ୍ସ କାରବାରରେ ସେ ସଂଶ୍ଳିଷ୍ଟ ଥିବା ତାଙ୍କ ହ୍ବାଟ୍‌ସଆପ୍‌ ଚାଟ୍‌ରୁ ଜଣାପଡ଼ିଛି। ହାଇକୋର୍ଟରେ ଏହି ମାମଲା ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗି ଲଢ଼ିଥିଲେ। ଆଜି ରୋହତଗି ଶାହାରୁଖଙ୍କୁ ପ୍ରଥମେ ଆର୍ଯ୍ୟନଙ୍କୁ ଜାମିନ ମିଳିବା ଖବର ଦେଇଥିଲେ ଏବଂ ଏଥିରେ ଶାହରୁଖଙ୍କ ଆଖିରେ ଲୁହ ଆସିଯାଇଥିଲା ବୋଲି ରୋହତଗି କହିଛନ୍ତି।

କୋର୍ଟରେ ଉଭୟ ପକ୍ଷର ଯୁକ୍ତି କ’ଣ ଥିଲା?
ରୋହତଗି କୋର୍ଟରେ କହିଥିଲେ, ଆର୍ୟନଙ୍କୁ ଗିରଫ କରିବା ଠିକ୍ ହୋଇନାହିଁ। ଏହାଦ୍ବାରା ତାଙ୍କ ସାମ୍ବିଧାନିକ ଅଧିକାର ଉଲ୍ଲଂଘନ ହୋଇଛି। କେବଳ ଦୁଇବର୍ଷ ତଳର ହ୍ବାଟ୍‌ସଆପ୍‌ ଚାଟ୍‌କୁ ନେଇ ମାମଲା କରାଯିବା ସଂପୂର୍ଣ୍ଣ ଭାବେ ଅପ୍ରାସଙ୍ଗିକ। ଏମାନେ କମ୍ ବୟସର ପିଲା। ସେମାନଙ୍କୁ ଥଇଥାନ କେନ୍ଦ୍ରକୁ ପଠାଯାଇ ପାରିବ ଏବଂ ସେମାନଙ୍କ ବିଚାରଣ କରାଯିବା ଉଚିତ ନୁହେଁ। ଯଦି କମ୍ ପରିମାଣର ଡ୍ରଗ୍ସ ଜବତ ହୋଇଛି ବା ଖାଇଛନ୍ତି ଏବଂ ଥଇଥାନ କେନ୍ଦ୍ରକୁ ଯିବାପାଇଁ ରାଜି ଅଛନ୍ତି ତାହେଲେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ନୁହେଁ। ସ୍ବତନ୍ତ୍ର ଆଣ୍ଟି ଡ୍ରଗ୍ସ କୋର୍ଟ ଗତ ସପ୍ତାହରେ ତାଙ୍କୁ ଜାମିନ ଦେବାକୁ ମନା କରିଥିଲେ। ସାଥୀ ଅର୍ବାଜ ମର୍ଚ୍ଚାଣ୍ଟଙ୍କ ଜୋତାରେ ଡ୍ରଗ୍ସ ଲୁଚାଯାଇଥିବା ବିଷୟ ଆର୍ୟନ ଜାଣିଥିଲେ। ଏହାଦ୍ବାରା ସେ ଡ୍ରଗ୍ସ ସଂପର୍କରେ ସଚେତନ ଥିଲେ। ସ୍ବତନ୍ତ୍ର କୋର୍ଟଙ୍କ ଏହି ଆଭିମୁଖ୍ୟ ଉପରେ ରୋହତଗି ଆଜି ପ୍ରଶ୍ନ ଉଠାଇଥିଲେ। ରୋହତଗି କହିଥିଲେ, ଅର୍ବାଜଙ୍କ ଜୋତାରେ କ’ଣ ରହିଛି ତାହା ଆର୍ୟନଙ୍କ ନିୟନ୍ତ୍ରଣରେ ନଥିଲା। ଆର୍ୟନଙ୍କ ଜାଣତରେ ଏହା ରହିବାର ପ୍ରଶ୍ନ ଉଠୁନାହିଁ। ଅର୍ବାଜ ଆର୍ୟନଙ୍କ ଚାକର ନୁହନ୍ତି। ସେ ମଧ୍ୟ ତାଙ୍କ ନିୟନ୍ତ୍ରଣରେ ନଥିଲେ। ତେବେ ଆଜି ଏନସିବି ପକ୍ଷରୁ ଯୁକ୍ତି ରଖାଯାଇଥିଲା ଯେ ଆର୍ୟନ ନିୟମିତ ଡ୍ରଗ୍ସ ଖାଉଛନ୍ତି। ତାଙ୍କ ହ୍ବାଟ୍‌ସଆପ୍‌ ଚାଟ୍‌ରୁ ଜଣାଯାଉଛି ଯେ ସେ ଅତି ସାଂଘାତିକ ଡ୍ରଗ୍ସ ଆଣୁଥିଲେ।

ଏହାର ପରିମାଣ ଯାହା ରହିଥିଲା ତାହାର ବାଣିଜ୍ୟିକ କାରବାର ମଧ୍ୟ ହୋଇପାରିବ। ତେଣୁ ଏଭଳି କ୍ଷେତ୍ରରେ ଜାମିନ ଏକ ନିୟମ ନୁହେଁ ବରଂ ଏକ ବ୍ୟତିକ୍ରମ। ଆର୍ୟନ ଖାନ୍ ମଧ୍ୟ ପ୍ରଥମ ଥର ପାଇଁ ଡ୍ରଗ୍ସ ବ୍ୟବହାର କରୁନାହାନ୍ତି ବୋଲି ଅତିରିକ୍ତ ସଲିସିଟର ଜେନେରାଲ ଅନୀଲ ସିଂହ କହିଥିଲେ। ଗତ କିଛିବର୍ଷ ହେଲା ସେ ନିୟମିତ ଭାବେ ଡ୍ରଗ୍ସ ବ୍ୟବହାର କରୁଛନ୍ତି ଏବଂ କିଣୁଛନ୍ତି। ସେ ‌ଡ୍ରଗ୍ସ ‌ପେଡଲରଙ୍କ ସହ ଯୋଗାଯୋଗରେ ଅଛନ୍ତି ବୋଲି ଶ୍ରୀ ସିଂହ କହିଥିଲେ। କିପରି ଜାଣିଲ ଯେ ସେ ବ୍ୟବସାୟ ପାଇଁ ଡ୍ରଗ୍ସ କାରବାର କରୁଥିଲେ? ଏହାର ଉତ୍ତରରେ ଏନସିବି ପକ୍ଷରୁ ତାଙ୍କ ହ୍ବାଟ୍‌ସଆପ୍ ଚାଟ୍‌ ବିଷୟ ଉଲ୍ଲେଖ କରାଯାଇଥିଲା। କେବଳ ସେତିକି ନୁହେଁ ଯେତେବେଳେ ସେମାନଙ୍କୁ କ୍ରୁଜ୍‌ରେ ଧରାଯାଇଥିଲା ସମସ୍ତ ୮ ଜଣଙ୍କ ନିକଟରୁ ଡ୍ରଗ୍ସ ମିଳିଥିଲା। ଏହା ଏକ ସଂଯୋଗ ହୋଇ ନପାରେ। ଯଦି ଡ୍ରଗ୍ସର ପରିମାଣ ଏବଂ ପ୍ରକୃତିକୁ ଦେଖାଯିବ ତାହେଲେ ଏହା ସଂଯୋଗ ବୋଲି କୁହାଯାଇ ପାରିବ ନାହିଁ। ଏହାକୁ ଖଣ୍ଡନ କରିବାକୁ ଯାଇ ରୋହତଗି କହିଥିଲେ କ୍ରୁଜ୍‌ରେ ୧୩୦୦ ଲୋକ ଥିଲେ। ତାଜ୍‌ରେ ୫୦୦ ରୁମ୍ ରହିଛି। ଯଦି ତାଜ୍‌ର ଦୁଇଟି ରୁମ୍‌ରେ ଦୁଇ ଜଣ ଡ୍ରଗ୍ସ ସେବନ କରୁଛନ୍ତି ତାହେଲେ ତୁମେ କ’ଣ ପୂରା ହୋଟେଲକୁ ଧରିବ? ଷଡ଼୍‌ଯନ୍ତ୍ର ପାଇଁ କୌଣସି ପଦାର୍ଥ ନଥିଲା ବୋଲି ରୋହତଗି ଯୁକ୍ତି ବାଢ଼ିଥିଲେ।

ସମ୍ବନ୍ଧିତ ଖବର