ଆସାମରୁ ମେଘାଳୟ ଯାଉଥିବା ଗାଡି ଉପରେ ରୋକ ଲଗାଇଲେ ସରକାର, ଏସବୁ ଜିଲ୍ଲାରେ ସୋମବାର ଯାଏଁ ଇଣ୍ଟରନେଟ ବନ୍ଦ

ଗୌହାଟୀ: ଆସାମ-ମେଘାଳୟ ସୀମାର ବିବାଦୀୟ ଅଂଚଳରେ ହିଂସାକାଣ୍ଡ ଘଟି ୬ ଜଣଙ୍କର ମୃତ୍ୟୁ ଘଟିବା ପରେ ଲଗାତାର ପଞ୍ଚମ ଦିନ ପାଇଁ ଆସାମ ସରକାର ମେଘାଳୟ ଯିବାକୁ ଲୋକ ଏବଂ ବେସରକାରୀ ଯାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଅନ୍ୟପକ୍ଷରେ, ମେଘାଳୟର ସାତଟି ପ୍ରଭାବିତ ଜିଲ୍ଲାରେ ଇଣ୍ଟରନେଟ୍ ସେବା ଉପରେ ପ୍ରତିବନ୍ଧକକୁ ଆସନ୍ତା ୪୮ ଘଣ୍ଟା ପାଇଁ ବୃଦ୍ଧି କରାଯାଇଛି। ତେବେ, ମେଘାଳୟର ପ୍ରଭାବିତ ଜିଲ୍ଲାମାନଙ୍କରେ ଆଇନଶୃଙ୍ଖଳା ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ଅବସ୍ଥାକୁ ଆସୁଛି ଓ ଶିଲଙ୍ଗରେ ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଖୋଲିଛି। ମିଳିଥିବା ସୂଚନା ମୁତାବକ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସାମ ପୁଲିସ ରାଜ୍ୟବାସୀଙ୍କୁ ମେଘାଳୟକୁ ନ ଯିବାକୁ ପରାମର୍ଶ ଦେଇଛି।

ଉଲ୍ଲେଖ ଥାଉ କି ନଭେମ୍ବର ୨୨ରେ ଆସାମ-ମେଘାଳୟ ସୀମାରେ ଥିବା ମୁକ୍ରୋ ଗ୍ରାମରେ ହିଂସାକାଣ୍ଡ ଘଟି ଜଣେ ବନ କର୍ମଚାରୀଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଥିଲା। ମେଘାଳୟ ସୀମାରେ ପଶ୍ଚିମ କାର୍ବି ଆଙ୍ଗ୍ଲୋଙ୍ଗ ଜିଲ୍ଲାର ମୋଇକ୍ରାଙ୍ଗରେ ଆସାମ ବନ ବିଭାଗ ଦଳ ଏହି ଟ୍ରକକୁ ଅଟକାଇଥିଲା। ଟ୍ରକ ଡ୍ରାଇଭର ଖସିଯିବାକୁ ଚେଷ୍ଟା କଲା ପରେ ବନ କର୍ମଚାରୀ ତାଙ୍କୁ ଗୋଡ଼ାଇଥିଲେ। ଏହି ସମୟରେ ମେଘାଳୟର ବହୁ ସଂଖ୍ୟକ ଲୋକ ବିଭିନ୍ନ ଅସ୍ତ୍ରଶସ୍ତ୍ର ଧରି ସକାଳ ପ୍ରାୟ ୫ଟା ସମୟରେ ଘଟଣାସ୍ଥଳରେ ଏକାଠି ହୋଇଥିଲେ। ଘଟଣାସ୍ଥଳରେ ପହଞ୍ଚିବା ପରେ ଆତ୍ମସୁରକ୍ଷା ପାଇଁ ପୁଲିସ ଦଳକୁ ଫାୟାରିଂ କରିବାକୁ ପଡ଼ିଥିଲା | ଆଉ ଏଥିରେ ଜଣେ ଫରେଷ୍ଟ ଗାର୍ଡ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଆସାମ ସରକାରଙ୍କ ପକ୍ଷରୁ କୁହାଯାଇଛି ଲୋକମାନେ ମେଘାଳୟ ଯାଆନ୍ତୁ ନାହିଁ, କିନ୍ତୁ ଯଦି ନିତାନ୍ତ ଆବଶ୍ୟକ ପଡେ ତେବେ ଆମେ ସେମାନଙ୍କୁ ମେଘାଳୟର ପଞ୍ଜୀକୃତ ଗାଡିରେ ଯିବାକୁ ଅନୁମତି ଦେବୁ।

ସମ୍ବନ୍ଧିତ ଖବର