ଛତିଶଗଡ଼ରେ୧୭ ଯବାନ୍ ସହିଦ୍ ହେବା ଘଟଣା: ୧୫ଟି ଏକେ-୪୭ ଲୁଟିଥିବା ପ୍ରକାଶ କଲେ ମାଓବାଦୀ

ରାୟପୁର: ଗତ ଶନିବାର ସନ୍ଧ୍ୟାରେ ଛତିଶଗଡ଼ର ବସ୍ତର ଅଞ୍ଚଳର ସୁକମା ଜିଲ୍ଲାରେ ମାଓବାଦୀଙ୍କ ସହ ଗୁଳି ବିନିମୟ ପରେ ନିଖୋଜ ହୋଇଥିବା ନିରାପତ୍ତା କର୍ମଚାରୀଙ୍କୁ ହତ୍ୟା କରାଯାଇଛି। ଏନେଇ ମାଓ ସଂଗଠନ ପକ୍ଷରୁ ଏକ ଅଡିଓ ଜାରି ହୋଇଛି। ଏହି ଅଡିଓରେ ମାଓବାଦୀମାନେ ୧୨ଜଣ ଡିଆରଜି ଯବାନ୍ ଏବଂ ୫ଜଣ ଏସଟିଏଫ୍ ଯବାନଙ୍କୁ ଚକ୍ରବ୍ୟୁହରେ ଫସାଇ ଗୁଳି କରି ହତ୍ୟା କରିଥିବା କହିଛନ୍ତି। ସେମାନେ ଉକ୍ତ ଯବାନମାନଙ୍କଠାରୁ ୧୫ଟି ଏକେ-୪୭, ବହୁ ପରିମାଣର ଗୁଳି ଏବଂ ଦୈନନ୍ଦିନ ସାମଗ୍ରୀ ଲୁଟିଥିବାର ସୂଚନା ଦେଇଛନ୍ତି।

ଏହି ଗୁଳି ବିନିମୟ ଘଟଣାରେ୧୫ଜଣ ନିରାପତ୍ତା କର୍ମଚାରୀ ଆହତ ହୋଇଥିବାର ସୂଚନା ଦିଆଯାଇଛି। ଏହି ଗୁଳି ବିନିମୟ ଘଟଣାରେ ୩ଜଣ ମାଓବାଦୀ ବି ପ୍ରାଣ ହରାଇଥିବାର ସୂଚନା ଅଡିଓରେ ଦିଆଯାଇଛି। ସେହି ତିନି ମାଓବାଦୀ ହେଲେ କମ୍ରେଡ୍ କାବାସୀ ସକ୍ରୁ, ପୋଟାମ୍ ରାଜେଶ ଏବଂ କାରତାମ୍ ସୁକୁ। ମାଓ ସଂଗଠନ ପକ୍ଷରୁ ଉକ୍ତ ତିନିଜଣଙ୍କର ଶବ ସଂସ୍କାର କରାଯାଇଥିବା ଜଣାଯାଇଛି। ଏହାର ଫଟୋ ବି ମାଓ ସଂଗଠନ ପକ୍ଷରୁ ପ୍ରଦାନ କରାଯାଇଛି।


ସୂଚନାଯୋଗ୍ୟ, ଛତିଶଗଡ଼ ପୁଲିସ ମହାନିର୍ଦେଶକ ଡି.ଏମ୍. ଅୱସ୍ଥି କହିଥିଲେ ଯେ ଶନିବାର ଅପରାହ୍ଣ ପ୍ରାୟ ୧ଟା ବେଳେ ଚିନ୍ତାଗୁଫା ଅଞ୍ଚଳର କୋରଜଗୁଡ଼ା ପାହାଡ଼ ନିକଟରେ ଗୁଳି ବିନିମୟ ହୋଇଥିଲା । ସେତେବେଳେ ନିରାପତ୍ତା ବଳର ଏକ ମିଳିତ ଟିମ୍ ସେ ଅଞ୍ଚଳରେ ମାଓବିରୋଧୀ ଅଭିଯାନ ଚଳାଉଥିଲେ । ଅପରାହ୍ଣ ୧ଟା ପରେ ସନ୍ଧ୍ୟାଯାଏଁ ସେଠାରେ ଏକାଧିକ ବାର ଗୁଳି ବିନିମୟ ହୋଇଥିଲା ।

ନିରାପତ୍ତା ବଳର ଯବାନମାନେ ଅଭିଯାନରୁ ଫେରିବା ପରେ ଜଣାପଡ଼ିଲା ଯେ ସେମାନଙ୍କ ମଧ୍ୟରୁ ରାଜ୍ୟ ପୁଲିସର ୧୩ଜଣ ଯବାନ ଫେରି ନାହାନ୍ତି ଏବଂ ଅନ୍ୟ ୧୪ ଜଣ ଆହତ ହୋଇଛନ୍ତି । ଡିଆରଜି , ସ୍ପେସାଲ ଟାସ୍କ ଫୋର୍ସ ଏବଂ କୋବ୍ରା ବାହିନୀ ଚଳାଇଥିବା ଏହି ମାଓବିରୋଧୀ ଅଭିଯାନରେ ୧୫୦ଜଣ ନିରାପତ୍ତା କର୍ମଚାରୀ ସମ୍ପୃକ୍ତ ଥିଲେ ।

ସମ୍ବନ୍ଧିତ ଖବର