ଅଯୋଧ୍ୟା ମାମଲାରେ ସୁପ୍ରିମ୍‌ କୋର୍ଟଙ୍କ ରାୟକୁ ନେଇ ପ୍ରତିକ୍ରିୟା

ନୂଆଦିଲ୍ଲୀ : ଅଯୋଧ୍ୟା ମାମଲାରେ ସୁପ୍ରିମ କୋର୍ଟ ଆଜି ଐତିହାସିକ ରାୟ ଶୁଣାଇଛନ୍ତି। ବିବାଦୀୟ ୨.୭୭ ଏକର ଜମିରେ ମନ୍ଦିର ନିର୍ମାଣ ପାଇଁ ଅନୁମତି ଦେଇଛନ୍ତି। ଅନ୍ୟପକ୍ଷରେ ମସଜିଦ ନିର୍ମାଣ ପାଇଁ ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ୫ ଏକର ଜମି ପ୍ରଦାନ କରିବା ଲାଗି ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ସର୍ବେ‌ାଚ୍ଚ ଅଦାଲତଙ୍କ ଏହି ରାୟ ପ‌େର ୭୦ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଅଯୋଧ୍ୟା ନ୍ୟାୟିକ ବିବାଦର ଅନ୍ତ ଘଟିଛି। ଏହାପରେ ଏହି ରାୟକୁ ନେଇ ବିଶିଷ୍ଟ ରାଜନେତା, ଅନୁଷ୍ଠାନ ଓ ରାଜନୈତିକ ଦଳ ପକ୍ଷରୁ ମତାମତ ଆସିଥିଲା।

ବିଜୟ କିମ୍ବା ପରାଜୟ ନୁହେଁ: ଜମିଅତ୍
ନୂଆଦିଲ୍ଲୀ: ଜମିଅତ ଉଲେମା ଏ ହିନ୍ଦର ସଭାପତି ମୌଲାନା ଅର୍ସଦ ମଦନୀ କହିଛନ୍ତି ଯେ ଅଯୋଧ୍ୟା ରାୟ ଆମ ଆଶା ଅନୁରୂପ ହୋଇନାହିଁ। କିନ୍ତୁ ସୁପ୍ରିମ କୋର୍ଟ ହେଉଛନ୍ତି ସର୍ବୋଚ୍ଚ। ରାୟକୁ ନେଇ ହତାଶ ହେବାର କୌଣସି କାରଣ ନାହିଁ। ଏହାକୁ ବିଜୟ ବା ପରାଜୟ ବୋଲି କହିବା ଠିକ୍ ହେବ ନାହିଁ। ଦେଶରେ ଶାନ୍ତି ଓ ସଦଭାବ ବଜାୟ ରଖିବା ଲାଗି ‌େସ ମୁସଲମାନମାନଙ୍କୁ ଅନୁରୋଧ କରିଛନ୍ତି।

ଭାରତ ବିଜୟୀ ହୋଇଛି: ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ
ଅଯୋଧ୍ୟା ବିବାଦ ନେଇ ଆଜି ସୁପ୍ରିମ୍‌ କୋର୍ଟ ଯେଉଁ ରାୟ ପ୍ରକାଶ କରିଛନ୍ତି ସେଥିରେ ଭାରତର ବିଜୟ ହୋଇଛି ବୋଲି ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡ଼ୁ କହିଛନ୍ତି। ରାୟ ପ୍ରକାଶରେ ସମସ୍ତ ୫ ଜଣ ବିଚାରପତିଙ୍କ ଗୋଟିଏ ମତ ପ୍ରକାଶ ପାଇବା ଅତୀବ ଗୁରୁତ୍ବପୂର୍ଣ୍ଣ। ଅତୀତର ତିକ୍ତତତାକୁ ଭୁଲି ଶାନ୍ତି ଓ ସଦ୍‌ଭାବନାର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ନାଇଡ଼ୁ ଗୁରୁତ୍ବାରୋପ କରିଛନ୍ତି।

ନ୍ୟାୟପାଳିକାର ଇତିହାସରେ ଏକ ମାଇଲଖୁଣ୍ଟ: ଅମିତ ଶାହ
ଦୀର୍ଘ ଦଶନ୍ଧିର ବିବାଦକୁ ସମାଧାନ କରିବା ନେଇ ଆଜି ସୁପ୍ରିମ୍‌ କୋର୍ଟ ଯେଉଁ ରାୟ ପ୍ରକାଶ କରିଛନ୍ତି ତାହା ଭାରତୀୟ ନ୍ୟାୟପାଳିକାର ଇତିହାସରେ ଏକ ମାଇଲଖଣ୍ଟ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ଦେଶରେ ସବୁ ସଂପ୍ରଦାୟ ମଧ୍ୟରେ ସଦ୍‌ଭାବନା ବଜାୟ ରଖିବାକୁ ଶାହ ଗୁରୁତ୍ବାରୋପ କରିଛନ୍ତି। ବିବାଦର ଅବସାନ ପାଇଁ ଶାହ ସମସ୍ତ ସାଧୁସନ୍ଥ, ସଂଗଠନ ଏବଂ ବ୍ୟକ୍ତିବିଶେଷଙ୍କୁ କୃତଜ୍ଞତା ଜଣାଇଛନ୍ତି।

କଂଗ୍ରେସ ରାମ ମନ୍ଦିର ନିର୍ମାଣ ସପକ୍ଷରେ
ଅଯୋଧ୍ୟା ମାମଲାରେ ସୁପ୍ରିମ୍‌ କୋର୍ଟ ରାୟକୁ ସ୍ବାଗତ କରି କଂଗ୍ରେସ କାର୍ଯ୍ୟକାରିଣୀ କମିଟି ପକ୍ଷରୁ ଏକ ପ୍ରସ୍ତାବ ଗୃହୀତ ହୋଇଛି। କଂଗ୍ରେସ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସପକ୍ଷରେ ରହିଛି ବୋଲି ଏଥିରେ ଦର୍ଶାଯାଇଛି। କଂଗ୍ରେସ ସୁପ୍ରିମ୍‌ କୋର୍ଟ ରାୟକୁ ସ୍ବାଗତ କରୁଛି ଏବଂ ଦେଶରେ ଶାନ୍ତି ଓ ସଦ୍‌ଭାବନା ରକ୍ଷା ପାଇଁ ସବୁ ଦଳ ଏବଂ ସଂପ୍ରଦାୟକୁ ନିବେଦନ କରୁଛି ବୋଲି ଦଳ ମୁଖପାତ୍ର ରଣଦୀପ ସୁର୍ଯ୍ୟେୱାଲା କହିଛନ୍ତି।

ସୁପ୍ରିମ୍‌ କୋର୍ଟ ରାୟ ଦେଶର ଏକତାକୁ ସୁଦୃଢ଼ କରିଛି: ମୋହନ ଭାଗୱତ
ଅଯୋଧ୍ୟା ମାମଲାରେ ଆଜି ସୁପ୍ରିମ୍‌ କୋର୍ଟ ରାୟକୁ କେହି ଜୟ, ପରାଜୟ ଦୃଷ୍ଟିରେ ଦେଖିବା ଉଚିତ ନୁହେଁ। ଏହି ରାୟ ଦେଶର ଏକତାକୁ ସୁଦୃଢ଼ କରିଛି। ଅଯୋଧ୍ୟା ସହିତ ଆର୍‌ଏସ୍‌ଏସ୍‌ର ନିବିଡ଼ ସଂପୃକ୍ତି ରହିଛି । ରାମ ମନ୍ଦିର ଆନ୍ଦୋଳନର ସୁଫଳ ମିଳିଛି। ଦେଶରେ ସଦ୍‌ଭାବନାର ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଥିବାରୁ ସମସ୍ତେ ଏହାକୁ ସ୍ବାଗତ କରି ଆଗକୁ ବଢ଼ିବା ଉଚିତ ବୋଲି ସେ କହିଛନ୍ତି।

ଇତିହାସରେ ଏକ ସ୍ମରଣୀୟ ଦିବସ: ଉଦ୍ଧବ ଠାକରେ
ଅଯୋଧ୍ୟା ରାୟ ପ୍ରକାଶ ଇତିହାସରେ ଏକ ସ୍ମରଣୀୟ ଦିବସ ହୋଇ ରହିବ ଏବଂ ଏହି ଅବସରରେ ମୁଁ ବାଲ୍‌ ଥାକ୍‌ରେ ଏବଂ ଅଶୋକ ସିଂଘଲଙ୍କୁ ମନେ ପକାଉଛି ବୋଲି ଶିବସେନା ସୁପ୍ରିମ୍‌ ଉଦ୍ଧବ ଠାକ୍‌ରେ କହିଛନ୍ତି।

ବାବ୍‌ରି ଧ୍ବଂସ ପାଇଁ ମୁସ୍‌ଲିମ୍‌ଙ୍କୁ କ୍ଷତିପୂରଣ ମିଳୁ: ଦେବ ଗୌଡ଼ା
ଅଯୋଧ୍ୟା ରାୟକୁ ସ୍ବାଗତ କରି ପୂର୍ବ ପ୍ରଧାନମନ୍ତ୍ରୀ ଦେବଗୌଡ଼ା କହିଛନ୍ତି ଯେ ବାବ୍‌ରି ମସ୍‌ଜିଦ୍‌ ଧ୍ବଂସ କରାଯାଇଥିବାରୁ ଏଥିପାଇଁ ସଂଖ୍ୟାଲଘୁମାନଙ୍କୁ ସରକାର କ୍ଷତିପୂରଣ ଦିଅନ୍ତୁ। ସୁପ୍ରିମ୍‌ କୋର୍ଟ ବାବ୍‌ରି ଧ୍ବଂସକୁ ବେଆଇନ ବୋଲି ଦର୍ଶାଇଥିବାରୁ ସରକାର ସଂଖ୍ୟାଲଘୁଙ୍କ ପାଇଁ ମଧ୍ୟ ପଦକ୍ଷେପ ନେବାକୁ ସେ କହିଛନ୍ତି।

ରାୟର କେତେକ ଅଂଶକୁ ନେଇ ପ୍ରଶ୍ନ ଉଠିବ: ସିପିଏମ୍‌
ଅଯୋଧ୍ୟା ମାମଲାରେ ସୁପ୍ରିମ୍‌ କୋର୍ଟ ଯେଉଁ ରାୟ ଦେଇଛନ୍ତି ତାହାର କେତେକ ଅଂଶକୁ ନେଇ ପ୍ରଶ୍ନ ଉଠିବ ବୋଲି ସିପିଏମ୍‌ ପକ୍ଷରୁ କୁହାଯାଇଛି । ୧୯୯୨ରେ ବାବ୍‌ରି ମସ୍‌ଜିଦ୍‌ ଭଙ୍ଗାଯିବା ଆଇନର ଉଲ୍ଲଂଘନ ଥିଲା ବୋଲି କୋର୍ଟ କହିଥିବାରୁ ଏବେ ଏ ଦିଗରେ ନ୍ୟାୟ ପ୍ରଦାନ ପାଇଁ ବିଚାର ପ୍ରକ୍ରିୟା ତ୍ବରାନ୍ବିତ ହେବା ଆବଶ୍ୟକ ବୋଲି ସିପିଏମ୍‌ କହିଛି।

ଭବ୍ୟ ରାମ ମନ୍ଦିର ନିର୍ମାଣ ହେବ: ବିଶ୍ବ ହିନ୍ଦୁ ପରିଷଦ
ଅଯୋଧ୍ୟା ମାମଲାରେ ସୁପ୍ରିମ୍‌ କୋର୍ଟଙ୍କ ରାୟ ଏକ ନିର୍ଣ୍ଣାୟକ ପଦକ୍ଷେପ। ଏକ ବିଶାଳ ତଥା ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ପଦକ୍ଷେପ ତ୍ବରାନ୍ବିତ ହେବ। କୋର୍ଟ ରାୟକୁ ପାଳନ କରିବା ପାଇଁ କେନ୍ଦ୍ର ସରକାର ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ଭିଏଚ୍‌ପି କାର୍ଯ୍ୟକାରୀ ସଭାପତି ଆଲୋକ କୁମାର କହିଛନ୍ତି। ରାମ ମନ୍ଦିର ପାଇଁ ୬୦ ପ୍ରତିଶତ ପିଲାର୍‌ କାର୍ଯ୍ୟ ସଂପୂର୍ଣ୍ଣ ହୋଇସାରିଛି ବୋଲି ସେ କହିଛନ୍ତି। ଆଜି ବିଶ୍ବବ୍ୟାପୀ ହିନ୍ଦୁମାନଙ୍କ ପାଇଁ ଖୁସିର ଦିନ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର