କେନ୍ଦ୍ରମନ୍ତ୍ରୀଙ୍କ ଦାଢି ଛିଣ୍ଡାଇ ଦେବାକୁ ଆହ୍ଵାନ ଦେଇ ଫସିଲେ ପଶ୍ଚିମବଙ୍ଗ ମନ୍ତ୍ରୀ: ଭିଡିଓ ହେଲା ଭାଇରାଲ

କୋଲକାତା: ପଶ୍ଚିମବଙ୍ଗ ମନ୍ତ୍ରୀ ଉଦୟନ ଗୁହା ଗୁରୁବାର ଦିନ ଏକ ସାଧାରଣ ସଭାରେ ତୃଣମୂଳ କଂଗ୍ରେସ କର୍ମୀମାନଙ୍କୁ କେନ୍ଦ୍ର ମନ୍ତ୍ରୀ ନିଶିଥ ପରମାଣିକଙ୍କ ନିଶ ଓ ଦାଢି ଛିଣ୍ଡାଇ ଦେବାକୁ ଆହ୍ଵାନ ଦେଇ ଏକ ବିବାଦରେ ଫସି ଯାଇଛନ୍ତି।

ରିପୋର୍ଟରୁ ପ୍ରକାଶ, ପଶ୍ଚିମବଙ୍ଗର ଉତ୍ତର ବଙ୍ଗଳା ଉନ୍ନୟନ ମନ୍ତ୍ରୀ ଉଦୟନ ଗୁହା ଏକ ସାଧାରଣ ସଭାରେ ଦଳୀୟ କର୍ମୀମାନଙ୍କୁ ଆହ୍ଵାନ ଦେଇ କହିଥିଲେ ଯେ ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ତୃଣମୂଳର ବିପୁଳ ବିଜୟ ହେବ। ଏହା ପୂର୍ବରୁ ହେବାକୁ ଥିବା ସାଧାରଣ ନିର୍ବାଚନରେ ମଧ୍ୟ ଦଳ ବିପୁଳ ବିଜୟ କରିବ। ଦିନହଟା ବିଧାନସଭା କ୍ଷେତ୍ରର ଶୁକାରୁର କୁଟି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଆୟୋଜିତ ହୋଇଥିବା ଏକ ସାଧାରଣ ସଭାରେ ମନ୍ତ୍ରୀ ଗୁହା ଭାଷଣ ଦେବା ଅବସରରେ ଏହି ଆହ୍ଵାନ ଦେଇଥିଲେ।

ଦଳୀୟ କର୍ମୀମାନଙ୍କୁ ଶ୍ରୀ ଗୁହା କହିଥିଲେ ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପରମାଣିକ ତାଙ୍କ ଭୋଟରଙ୍କୁ ଅଣଦେଖା କରିଛନ୍ତି ଏବଂ ଆସନ୍ତା ଲୋକସଭା ନିର୍ବାଚନରେ ତାଙ୍କୁ ପରାସ୍ତ କରାଯିବ। ସେ କହିଛନ୍ତି ଯେ ୨୦୧୯ଲୋକସଭା ନିର୍ବାଚନରେ କୁଚବିହାର ଆସନ ଜିତିବା ପରଠାରୁ କେନ୍ଦ୍ରମନ୍ତ୍ରୀ ଏହି ଅଞ୍ଚଳରେ କେବେ ପାଦ ଦେଇ ନାହାଁନ୍ତି। ନିଶିିଥ ପରମାଣିକ ଆପଣଙ୍କ ପାଇଁ କେବେ ବିି ଚିନ୍ତା କରିବେ ନାହିଁ। ୨୦୧୯ରେ ଲୋକସଭାକୁ କୁଚବିହାରରୁ ଜିତିବା ପରେ ସେ ଭୋଟରମାନଙ୍କୁ ସେମାନଙ୍କ ବିଶ୍ୱାସର ପ୍ରତିଦାନ ଦେଇ ନହାନ୍ତି। ତେଣୁ, ୨୦୨୪ ଲୋକସଭା ନିର୍ବାଚନରେ ପରମାଣିକଙ୍କୁ ପ୍ରତ୍ୟାଖାନ କରିବା ସହ ତାଙ୍କ ଦାଢି ଏବଂ ନିଶକୁ ଛିଣ୍ଡାଇ ଦେବାକୁ ସେ ଆହ୍ଵାନ ଦେଇଥିଲେ।

ଶ୍ରୀ ଗୁହାଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିଜେପି ରାଜ୍ୟ ମୁଖପାତ୍ର ସମିକ ଭଟ୍ଟାଚାର୍ଯ୍ୟ ସାମ୍ବାଦିକମାନଙ୍କୁ କହିଛନ୍ତି, କାର୍ପେଟ୍‌ ସେମାନଙ୍କ ପାଦ ତଳୁ ଖସିଯାଉଥିବା ଜାଣିଯିବା ପରେ ଉଦୟନ୍‌ ଗୁହାଙ୍କ ପରି ଟିଏମସି ନେତାମାନେ ଏହି ପ୍ରକାରର ସ୍ୱାଦହୀନ, ମୂର୍ଖ ଏବଂ ଜଙ୍ଗଲୀ ମନ୍ତବ୍ୟ ଦେଉଛନ୍ତି। ସେ କହିଛନ୍ତି ଯେ ଉଭୟ ପଞ୍ଚାୟତ ଏବଂ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗର ଜନତା ଟିଏମସିକୁ ଉଚିତ ଜବାବ ଦେବେ।

ସମ୍ବନ୍ଧିତ ଖବର