ଦିନକରେ ବେଜୋସ୍‌ ହରାଇଲେ ୭୭ ହଜାର କୋଟି

ନୂଆଦିଲ୍ଲୀ : ଆମେରିକାର ମୁଦ୍ରାସ୍ଫୀତି ହାର ଐତିହାସିକ ରେକର୍ଡ ସ୍ତରରେ ପହଞ୍ଚିବା ଖବର ପ୍ରକାଶ ପାଇବା ପରେ ଷ୍ଟକ ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଥିଲା। ତାହାର ପ୍ରଭାବରେ ଆମେରିକାର ପ୍ରମୁଖ ଧନୀମାନେ କୋଟି କୋଟି ଡଲାରର କ୍ଷତି ସହିଛନ୍ତି। ଇ-କମର୍ସ ସଂସ୍ଥା ଆମାଜନ୍‌ର ମୁଖ୍ୟ ଜେଫ୍ ବେଜୋସ୍ ସର୍ବାଧିକ ୧୦ ବିଲିଅନ ଡଲାର ( ପ୍ରାୟ ୭୭ ହଜାର କୋଟି ଟଙ୍କା) ହରାଇଛନ୍ତି। ତାଙ୍କ ପଛକୁ ରହିଛନ୍ତି ବିଶ୍ବର ଏକ ନମ୍ବର ଧନୀ ତଥା ଟେସ୍‌ଲାର ମୁଖ୍ୟ ଏଲନ୍ ମସ୍କ। ସେ ୮୪୦ କୋଟି ଡଲାରର କ୍ଷତି ସହିଛନ୍ତି। ଫେସବୁକ୍‌ର ମାର୍କ ଜୁକରବର୍ଗ, ଗୁଗୁଲର ଲାରି ପେଜ୍ ଓ ସର୍ଜି ବ୍ରିନ୍‌ ଏବଂ ମାଇକ୍ରୋସଫ୍ଟର ପୂର୍ବତନ ସିଇଓ ଷ୍ଟିଭ୍‌ ବାଲ୍‌ମର୍‌ ୪୦୦ କୋଟି ଡଲାର ଲେଖାଏଁ ହରାଇଛନ୍ତି। ବର୍କସାୟାର ହାଥାୱେର ୱାରେନ୍‌ ବଫେ ୩୪୦ କୋଟି ଡଲାର ଓ ମାଇକ୍ରୋସଫ୍ଟର ବିଲ୍‌ ଗେଟ୍‌ସ ୨୮୦ କୋଟି ଡଲାରର କ୍ଷତି ସହିଥିବା ଜଣାପଡ଼ିଛି।

ଗୋଟିଏ ଦିନରେ ଆମେରିକୀୟ ଧନୀମାନେ ୯୩୦୦ କୋଟି ଡଲାରର କ୍ଷତି ସହିଛନ୍ତି। ଆମେରିକା ଇତିହାସରେ ଏଭଳି ଘଟଣା ନବମ ଥର ପାଇଁ ଘଟିଛି। ମୁଦ୍ରାସ୍ଫୀତି ଉଚ୍ଚ ସ୍ତରରେ ରହିଥିବାରୁ ଫେଡେରାଲ୍ ରିଜର୍ଭ ସୁଧ ହାର ବଢ଼ାଇବାର ଆଶଙ୍କା ସୃଷ୍ଟି ହୋଇଛି। ସେଥିପାଇଁ ଆଗକୁ ପ୍ରଭାବିତ ହେବାକୁ ଯାଉଥିବା କଂପାନିଗୁଡ଼ିକର ସେୟାରକୁ ନିବେଶକମା‌ନେ ବିକ୍ରି କରିବା ଆରମ୍ଭ କରିଛନ୍ତି। ତାହାର ପ୍ରଭାବରେ ଆମେରିକାର ଷ୍ଟକ ବଜାରରେ କାରବାର ଅସ୍ଥିର ହୋଇପଡ଼ିଛି। ଏହା ପୂର୍ବରୁ ଗତ ମାସରେ ଫେଡେରାଲ ରିଜର୍ଭର ମୁଖ୍ୟ ଜେରୋମି ପାୱେଲଙ୍କ ଆଠ ମିନିଟ୍‌ର ଅଭିଭାଷଣ ଷ୍ଟକ ବଜାରକୁ ଦୋହଲାଇ ଦେଇଥିଲେ। ସେହିଦିନ ଆମେରିକୀୟ ଧନୀମାନେ ୭୮୦୦ କୋଟି ଡଲାର ହରାଇଥିଲେ।

ସମ୍ବନ୍ଧିତ ଖବର